ରାଜ୍ୟରେ ମୌସୁମୀ ସକ୍ରିୟ : ବର୍ଷା ଆହୁରି ୪୮ ଘଂଟା, ଭିଜୁଛି ସାରା ଓଡିଶା

32

କନକ ବ୍ୟୁରୋ : ସାରା ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ହୋଇଛି । ଏହାର ପ୍ରଭାବରେ ପ୍ରବଳ ଓ ଝିପିଝିପି ବର୍ଷା ଲାଗି ରହିଛି । ତେବେ ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ପରିମାଣ ସ୍ୱାଭାବିକ ଠାରୁ ଅଧିକ ରହିବ । କିନ୍ତୁ ଜୁନ ୨୯ରୁ ଜୁଲାଇ ୫ ପର୍ଯ୍ୟନ୍ତ କମ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ଦିନଗୁଡିକରେ ଦୁର୍ବଳ ମୌସୁମୀ ଯୋଗୁଁ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ସାମାନ୍ୟ ବୃଦ୍ଧି ପାଇବ । ତେବେ ରାତିର ତାପମାତ୍ରା କମ ରହିବ । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏବେ ବି ଓଡିଶାରେ ସକ୍ରିୟ ରହିଛି । ଉପକୂଳ ଓ ଉତ୍ତର ଓଡିଶାରେ ବର୍ଷା ଜାରି ରହିଛି । ଆସନ୍ତା ୪୮ଘଂଟା ମଧ୍ୟରେ ଆଉ କିଛି ଜିଲ୍ଲାରେ ମୌସୁମୀ ସକ୍ରିୟ ହୋଇପାରେ ।

rain

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ବାଂଲାଦେଶର ଦକ୍ଷିଣାଂଚଳରେ ରହିଛି । ତାହାର କୌଣସି ପ୍ରଭାବ ମୌସୁମୀ ଉପରେ ପଡିବ ନାହିଁ । ଗତ ୨୪ ଘଂଟା ମଧ୍ୟରେ ଉତ୍ତର ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହୋଇଛି । ବାଲେଶ୍ୱରର ରାଜଘାଟଠାରେ ସର୍ବାଧିକ ୧୪ସେମି ବର୍ଷା ରେକର୍ଡ କରାଯାଇଛି । ଆସନ୍ତା ୨୪ଘଂଟା ମଧ୍ୟରେ ୮ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏନେଇ କେନ୍ଦୁଝର ସମେତ ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିହପୁର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି । ପୁରୀ, ଖୋର୍ଧା, କଟକ, ଗଜପତି, ଗଞ୍ଜାମ, ନୟାଗଡ, ଅନୁଗୁଳ, ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା ଓ ସମ୍ବଲପୁରରେ ପ୍ରବଳ ବର୍ଷା ହୋଇପାରେ ।