ସମ୍ପୂର୍ଣ୍ଣ ଶୀତ ଛାଡ଼ିନଥିବା ବେଳେ ଅସ୍ତବ୍ୟସ୍ତ କଲାଣି ତାପମାତ୍ରା ବୃଦ୍ଧି ! ସେପଟେ ୨୫ରେ ବର୍ଷା ସମ୍ଭାବନା, ଓଡ଼ିଶା ପାଇଁ ସତର୍କ ସୂଚନା ଜାରି

380

କନକ ବ୍ୟୁରୋ : ଭୁବନେଶ୍ବରରୁ ଭବାନୀପାଟଣା ହେଉ ଅଥବା ମାଲକାନଗିରିରୁ ତାଳଚେର, ଏବେଠାରୁ ଅସହ୍ୟ ହେଲାଣି ତାତି । ଫେବ୍ରୁଆରି ମାସରେ ସବୁଠି ତାପମାତ୍ରା ୩୫ ଡିଗ୍ରି ପାର୍‌ ହୋଇଛି । ଏପର୍ଯ୍ୟନ୍ତ ଶୀତ ସମ୍ପୂର୍ଣ୍ଣ ଛାଡ଼ି ନଥିବା ବେଳେ ତାପମାତ୍ରା ବୃଦ୍ଧିରେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ସାଧାରଣ ଲୋକେ । ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ରହିଥିଲା । ଭୁବନେଶ୍ବର ତାପମାତ୍ରା ବି ରେକର୍ଡ ଭାଙ୍ଗିଛି । ଏଠାରେ ଚଳିତବର୍ଷର ସର୍ବାଧିକ ତାପମାତ୍ରା ୩୬.୩ ଡିଗ୍ରି ରେକର୍ଡ ହୋଇଛି । ଏହି ଦୁଇ ସହର ବ୍ୟତୀତ ଅନ୍ୟ ୧୪ଟି ସହରର ତାପମାତ୍ରା ଆଜି ୩୩ ଡିଗ୍ରି ଉପ‌ରେ ରହିଥିଲା । ଏଭଳି ସ୍ଥିତି ଆହୁରି ଦୁଇ ଦିନ ଲାଗିରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଅନ୍ୟପକ୍ଷରେ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଫଳରେ ୨୪ ଓ ୨୫ ତାରିଖରେ ଓଡ଼ିଶାରେ ବର୍ଷା ହେବାର ଆଶଙ୍କା ରହିଛି । ତେଣୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୨୫ ତାରିଖରେ ଓଡ଼ିଶା ପାଇଁ ସତର୍କ ସୂଚନା ଜାରି କରାଯାଇଛି । କେନ୍ଦୁଝର ସମେତ ଅନୁଗୁଳ, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା  ଓ କଟକରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶା ସମେତ ଖୋର୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ଆଶଙ୍କା ରହିଛି । ଏହି ସମୟରେ ଘଣ୍ଟାପ୍ରତି ୩୦ କିମି ବେଗରେ ପବନ ବୋହିବ । ଏଥିପ୍ରତି ସତର୍କ ରହିବାକୁ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି ।

ସେପଟେ ଉତ୍ତର ଓ ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି ଲାଗିରହିଛି । ଭୁବନେଶ୍ୱର ଓ କଟକ ସମେତ ବାଲେଶ୍ବର, କେନ୍ଦୁଝର, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ପ୍ରଭୃତି ଜିଲ୍ଲାରେ ଗତକାଲି କୁହୁଡ଼ି ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । କୁହୁଡିର ଆସ୍ତରଣ ଏତେ ରହିଥିଲା ଯେ ୧୦୦ ମିଟର ପର‌୍ୟ୍ୟନ୍ତ ଦୃଶ୍ୟମାନ କଷ୍ଟକର ହୋଇପଡ଼ିଥିଲା । ଶୁକ୍ରବାର ମଧ୍ୟ ସମାନ ସ୍ଥିତି ଲାଗିରହିବ । ତେଣୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।