ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଦୁଇଟି ଲଘୁଚାପ: ପ୍ରଭାବରେ ସେପ୍ଟେମ୍ବର ପ୍ରଥମ ସପ୍ତାହ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

2,049

କନକ ବ୍ୟୁରୋ: ଓଡ଼ିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ଦାନା ବାନ୍ଧୁଛି। ପ୍ରଥମେ ୨୮ରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୯ରୁ ଏହା ଲଘୁଚାପରେ ପରିଣତ ହେବ। ଏହାପରେ ସେପ୍ଟେମ୍ବର ୨ରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବ। ଦୁଇଟି ଯାକ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ସେପ୍ଟେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବର୍ତ୍ତମାନ ଲଘୁଚାପ ପ୍ରଭାବରେ ଯେଉଁ ବର୍ଷା ହେଉଛି, ତା’ଠାରୁ ଅଧିକ ବର୍ଷା ଏହି ଦୁଇଟି ଲଘୁଚାପ ପ୍ରଭାବରେ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଜୁନ୍-ଜୁଲାଇରେ ରାଜ୍ୟରେ ସ୍ବଳ୍ପ ବୃଷ୍ଟି ଦେଖାଯାଇଥିବା ବେଳେ ଅଗଷ୍ଟ ଓ ସେପ୍ଟେମ୍ବରରେ ଏହା ଭରଣା ହେବ ବୋଲି ଆଶା କରାଯାଉଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବର୍ତ୍ତମାନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେଉଛି। ଆଜି ଛତିଶଗଡ଼ ଓ ମଧ୍ୟପ୍ରଦେଶ ଅଭିମୁଖେ ଏହା ଗତି କରିବ। ଏହାପରେ ପଶ୍ଚିମମୁହାଁ ହୋଇ ମଧ୍ୟପ୍ରଦେଶ ଦେଇ ଗୁଜୁରାଟ ଯିବ। ହେଲେ ୨୮ରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୨୬ ଓ ୨୭ ତାରିଖରେ ସାରା ରାଜ୍ୟରେ ପାଗ ମେଘୁଆ ରହିବ। ଯାଜପୁର-ସମ୍ବଲପୁର ସଂଲଗ୍ନ ସରଳରେଖାର ଉତ୍ତରରେ ଅଧିକ ବର୍ଷା ହେବ। କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ। କେନ୍ଦୁଝର ଓ ମୟୂରଭଞ୍ଜରେ କିନ୍ତୁ ପ୍ରବଳ ବର୍ଷା ହେବ। ସେହିପରି ୨୮ରେ ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା କମ୍ ଥିଲେ ହେଁ ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହେବ। ୨୯ରେ ସାରା ରାଜ୍ୟରେ ବର୍ଷା ହେବ। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

ସେହିଭଳି ୩୦ରେ ପଶ୍ଚିମ ଓଡ଼ିଶାରେ ବର୍ଷା ବଢ଼ିବ। ଉପକୂଳରେ ବର୍ଷା କମିବ। କିନ୍ତୁ ସେପ୍ଟେମ୍ବର ୨ରୁ ବର୍ଷାର ପ୍ରକୋପ ବଢ଼ିବ। ବିଶେଷକରି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ବଢ଼ିବ। ଅନେକ ସ୍ଥାନରେ ଭୀଷଣ ବର୍ଷା ହେବ। ଏହି ଦୁଇ ଲଘୁଚାପ ପ୍ରଭାବରେ ଅଗଷ୍ଟରେ ଏବଂ ସେପ୍ଟେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ସ୍ବାଭାବିକଠାରୁ ଅଧିକ ବର୍ଷା ହେବ। ବାଲେଶ୍ବର, ଦେବଗଡ଼, ଗଜପତି, କେନ୍ଦୁଝର ଓ ଅନୁଗୁଳରେ ଜୁନ୍-ଜୁଲାଇରେ ସ୍ବଳ୍ପ ବୃଷ୍ଟି ହୋଇଥିବା ବେଳେ ଅଗଷ୍ଟ ଓ ସେପ୍ଟେମ୍ବର ବର୍ଷା ଏହାକୁ ଭରଣା କରିବ।

ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ସୋମବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର ଓ ଭଦ୍ରକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏହାପରେ ଦୁଇ ଦିନ ବର୍ଷା ହେବାକୁ ନଥିଲେ ହେଁ ୨୯ତାରିଖରେ ପୁରୀ, ଜଗତସିଂହପୁର, କଟକ, ଢେଙ୍କାନାଳ, କେନ୍ଦ୍ରାପଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ।