ଦେଶରୁ ପ୍ରତ୍ୟାବର୍ତନ କଲା ମୌସୁମୀ ବାୟୁ । ସେପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ୩ ଦିନ ଘଡିଘଡି ସହ ହେବ ବର୍ଷା

4,213

କନକ ବ୍ୟୁରୋ : ସାରା ଦେଶରୁ ପ୍ରତ୍ୟାବର୍ତ୍ତନ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ୪ ମାସ ୬ ଦିନ ଧରି ଦେଶରେ ରହିଥିବା ମୌସୁମୀ ପ୍ରଭାବରେ ଏଥର ସ୍ବାଭାବିକ ବର୍ଷା ହୋଇଛି। ଅବଶ୍ୟ କେଉଁଠି ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି ତ ଆଉ କେଉଁଠି ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ପଶ୍ଚିମ ଓ ଉତ୍ତର ଭାରତର କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜନଜୀବନ ମଧ୍ୟ ପ୍ରଭାବିତ ହୋଇଛି। ଅଳ୍ପ କେତେକ ସ୍ଥାନରେ ନିଅଣ୍ଟିଆ ବର୍ଷା ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ଯେ ସାରା ଦେଶରୁ ମୌସୁମୀ ପ୍ରତ୍ୟାବର୍ତନ କରିବା ସହ ଉତ୍ତରପୂର୍ବ ମୌସୁମୀ ବାୟୁ ପ୍ରବାହିତ ହୋଇଛି। ଫଳରେ ତାମିଲନାଡ଼ୁ ସମେତ ସଂଲଗ୍ନ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ କେରଳରେ ବର୍ଷା ହୋଇଛି। ଆସନ୍ତା ୨ରୁ ୩ ଦିନ ଧରି ଜାରି ରହିବ। ପୂର୍ବକେନ୍ଦ୍ରୀୟ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଯାହାକି ଦକ୍ଷିଣ କର୍ଣ୍ଣାଟକ ପର୍ଯ୍ୟନ୍ତ ଲମ୍ବିଛି। ସେହିପରି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରଠାରୁ ତାମିଲନାଡ଼ୁ ଉପକୂଳ ପର୍ଯ୍ୟନ୍ତ ଏକ ଟ୍ରପ୍-ଲାଇନ୍ ସୃଷ୍ଟି ହୋଇଥିବାରୁ ଦକ୍ଷିଣ ଭାରତର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବ। ଓଡ଼ିଶାରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହେବ। ଆଞ୍ଚଳିକ ପାଣପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ହେଉଛି ଯେ ଆସନ୍ତା ୩ ଦିନ ଧରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ।

ସ୍ଥାନେ ସ୍ଥାନେ ବଜ୍ରପାତର ଆଶଙ୍କା ରହିଛି। ବୁଧବାର ମଧ୍ୟାହ୍ନ ସୁଦ୍ଧା ଉପକୂଳ ଓଡ଼ିଶା ସମେତ କଳାହାଣ୍ଡି, କନ୍ଧମାଳ, ଗଜପତି, ୧୮ ତାରିଖ ମଧ୍ୟାହ୍ନ ସୁଦ୍ଧା ଦକ୍ଷିଣ ଓଡ଼ିଶା ସମେତ ଖୋର୍ଧା, ନୟାଗଡ଼, କଟକ ଜିଲ୍ଲା ଓ ୧୯ ତାରିଖ ପୂର୍ବାହ୍ନ ସୁଦ୍ଧା କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୋନପୁର, ଝାରସୁଗୁଡ଼ା, କୋରାପୁଟ ଓ ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ତେଣୁ ଉକ୍ତ ଜିଲ୍ଲାଗୁଡ଼ିକ ଲାଗି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପରବର୍ତୀ ଦୁଇଦିନ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ରହିବ। ଗତ ୧୨ ଘଣ୍ଟା ମଧ୍ୟରେ ପାରାଦୀପରେ ସର୍ବାଧିକ ୪୩ ମିମି ବର୍ଷା ହୋଇଥିବା ବେଳେ କଟକରେ ୧୩, ଗୋପାଳପୁରରେ ୬, ଭୁବନେଶ୍ବରରେ ୪, ଚାନ୍ଦବାଲିରେ ୩ ମିମି ବର୍ଷା ରେକର୍ଡ କରାଯାଇଛି।