ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା : ରାଜଧାନୀର ଅଧିକାଂଶ ଅଂଚଳ ଉବୁଟୁବୁ

40

କନକ ବ୍ୟୁରୋ : ରାଜ୍ୟରେ ପ୍ରବଳ ବର୍ଷା । ଏପଟେ ଉବୁଟୁବୁ ରାଜଧାନୀ । ସେପଟେ ଭାସୁଛି କଟକ ସହର । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ଭୀଷଣ ବର୍ଷା ଜାରି ରହିଛି । କଟକ, ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ଗଜପତି, ଗଞ୍ଜାମ ସହ ଆହୁରି ଅନେକ ଜିଲ୍ଲାରେ ଖୁବ୍ ଜୋରରେ ବର୍ଷା ହେଉଛି । ବର୍ଷାରେ ରାଜଧାନୀ ଭୁବନେଶ୍ୱର ପୁଣି ଥରେ ଉବୁଟୁବୁ ହୋଇଛି । ରସୁଲଗଡ, ବମିଖାଲ, ଲକ୍ଷ୍ମୀସାଗରରେ ଆଣ୍ଠୁଏ ଉଚ୍ଚର ପାଣି ଦେଖିବାକୁ ମିଳିଥିବା ବେଳେ ନୟାପଲ୍ଲୀ ଇସ୍କନ୍ ମନ୍ଦିର ସାମନାରେ ଛାତିଏ ଉଚ୍ଚର ପାଣି ବୋହୁଛି । ସେହିପରି ଜୟଦେବ ବିହାର ଓ ଆଚାର୍ଯ୍ୟବିହାର ଅଂଚଳରେ ମଧ୍ୟ ଅବସ୍ଥା ସଙ୍ଗୀନ ହୋଇପଡିଛି । ତଳିଆ ଅଂଚଳରେ ଘର ଭିତରେ ପାଣି ପଶିଯାଇଛି ।

ସେପଟେ କଟକରେ ମଧ୍ୟ ବର୍ଷା ଯୋଗୁ ଅବସ୍ଥା ବେହାଲ ହୋଇପଡିଛି । ରାସ୍ତା ଉପରେ ପାଣିର ସୁଅ ଛୁଟୁଥିବା ବେଳେ ଅନେକ ଅଂଚଳରେ ଘର ଭିତରେ ନର୍ଦ୍ଦମା ପାଣି ଭାସୁଛି । ରୋଭର ଷ୍ଟ୍ରୀଟ୍, ସୂତାହାଟ, ପଟାପୋଲ, ରାଣୀହାଟ ଓ ଖଟବିନ୍ ସାହି ଇତ୍ୟାଦି ଅଂଚଳ ଜଳମଗ୍ନ ହୋଇପଡିଛି । ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତେବେ ସିଏମସି ପକ୍ଷରୁ ପାଣି ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି । ଆଜି ଓ କାଲି ଅର୍ଥାତ୍ ୨୧ ଓ ୨୨ ତାରିଖରେ ୧୯ଟି ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆଗୁଆ ସୂଚନା ଜାରି କରିଥିଲା । ପୁରୀ ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଂଚଳିକ ପାଣିପାଗ ବିଭାଗ ଆକଳନ କରିଥିଲା ।

ଅନ୍ୟପଟେ ରାଜ୍ୟରେ ବର୍ଷା ବିତ୍ପାତ ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଘଡଘଡି ନେଇଛି ଜୀବନ । ବଜ୍ରାଘାତରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ସୋରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରେମୁଣାରେ ଜଣେ ଗୁରୁତର ହୋଇଛନ୍ତି । ବସ୍ତା ବ୍ଲକରେ ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଜଳେଶ୍ୱର ବ୍ଲକରେ ମଧ୍ୟ ବଜ୍ରାଘାତରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ବୋଲଗଡରେ ବଜ୍ରାଘାତରେ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସେପଟେ ମୟୂରଭଂଜ ଉଦଳାରେ ବଜ୍ରପାତ ନେଇଛି ଜଣଙ୍କ ଜୀବନ । ସେହିପରି ବରଗଡ଼ରେ ୩ ଜଣଙ୍କର ମୃତ୍ୟୁ ହୋଇଛି ।