ପଦ ଛାଡିବେ ପ୍ରଭୁ ! ବାରମ୍ବାର ଟ୍ରେନ୍ ଦୁର୍ଘଟଣା ଯୋଗୁଁ ବ୍ୟଥିତ ରେଳମନ୍ତ୍ରୀ ମୋଦିଙ୍କୁ ଭେଟି ଇସ୍ତଫା ଦେବା ପାଇଁ ଆଗ୍ରହ ପ୍ରକାଶ କଲେ

28

WhatsApp Image 2017-08-23 at 3.08.00 PMକନକ ବ୍ୟୁରୋ : ପଦ ଛାଡିବେ କି ପ୍ରଭୁ । ଦେଶରେ ବାରମ୍ବାର ରେଳ ଦୁର୍ଘଟଣା ପରେ ପଦ ଛାଡି ପାରନ୍ତି ରେଳମନ୍ତ୍ରୀ । ନୈତିକତା ଦୃଷ୍ଟିରୁ ପଦ ଛାଡିବା ନେଇ ଇଛା ପ୍ରକାଶ କରିଛନ୍ତି ରେଳମନ୍ତ୍ରୀ ସୁରେଶ ପ୍ରଭୁ । ଏଥିପାଇଁ ସେ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିବା ଟ୍ୱିଟ୍ କରି ଜଣାଇଛନ୍ତି । ମୋଦିଙ୍କୁ ଭେଟି ପ୍ରଭୁ ମନକଥା ଜଣାଇଛନ୍ତି  ।

ରେଳ ମନ୍ତ୍ରୀ ରହିବା ଦିନରୁ ରେଳ ବିଭାଗକୁ ସୂଚାରୁରୂପେ ସମ୍ଭାଳିବା ପାଇଁ ବହୁ ପରିଶ୍ରମ କରିଛନ୍ତି । ନିଜର ରକ୍ତ ଓ ଝାଳ ଦେଇ ବିଭାଗ ପାଇଁ ନିରନ୍ତର କାମ କରିଛନ୍ତି । ବର୍ତମାନ ରେଳ ବିଭାଗ ଅଗ୍ରଗତି କରୁଛି । ଏତିକି ବେଳେ ଦୁର୍ଘଟଣାରେ ଯାତ୍ରୀଙ୍କ ମୃତ୍ୟୁ ଓ ଆହତ ତାଙ୍କୁ ମର୍ମାହତ କରିଥିବା କହିଛନ୍ତି ରେଳମନ୍ତ୍ରୀ । ତେବେ ଏହି ଘଟାଣରେ ଅପେକ୍ଷା କରିବା ପାଇଁ ସୁରେଶ ପ୍ରଭୁଙ୍କ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଉଲ୍ଲେଖଯୋଗ୍ୟ , ଗୋଟିଏ ସପ୍ତାହରେ ଦୁଇ ଦୁଇଟି ବଡ ଟ୍ରେନ ଦୁର୍ଘଟଣା ପୁଣି ଗୋଟିଏ ରାଜ୍ୟରେ । ଗତ ଗତ ଅଗଷ୍ଟ ୧୯ରେ ଉତ୍ତରପ୍ରଦେଶର ମୁଜାଫରନଗରରେ ଉକ୍ରଳ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇ ୨୦ ରୁ ଅଧିକ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୯୭ ଜଣ ଯାତ୍ରୀ ଆହତ ହୋଇଥିଲେ । ୧୪ଟି ବଗି ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିଲା । ଟ୍ରାକରେ ଚାଲିଥିବା ମରାମତି କାମ ପାଇଁ ଦୁର୍ଘଟଣା ଘଟିଥିବା ଜଣାପଡିଥିଲା । ତେବେ ଏନେଇ ତଦନ୍ତ ମଧ୍ୟ ଚାଲିଛି । ରେଳମନ୍ତ୍ରୀ ସୁରେଶ ପ୍ରଭୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କିଛି ଅଧିକାରୀଙ୍କୁ ଛୁଟିରେ ପଠାଇଥିଲେ ।

ପୁଣି ଗତରାତିରେ ଆଜମଗଡରୁ ଦିଲ୍ଲୀ ଯାଉଥିବା କୈଫିୟତ ଏକ୍ସପ୍ରେସ ଦୁର୍ଘଟଣାଗସ୍ତ ହୋଇଛି । ରାତି ପ୍ରାୟ ୨ଟା ୪୦ମିନିଟରେ ସମୟରେ କାନପୁର ଓ ଇଟାୱା ମଧ୍ୟରେ ଥିବା ଏକ ମାନବବିହୀନ ରେଳ ଫାଟକରେ ଏକ ଡମ୍ପରକୁ ଧକ୍କା ଦେଇଛି କୈଫିୟତ ଏକ୍ସପ୍ରେସ । ଡମ୍ପରକୁ ଧକ୍କା ଦେବା ଫଳରେ ଟ୍ରେନର ୯ଟି ବଗି ଲାଇନଚ୍ୟୁତ ହୋଇଯାଇଛି । ଏହି ଦୁର୍ଘଟଣାରେ ପ୍ରାୟ ୫୦ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ମନ୍ତ୍ରୀ ସୁରେଶ ପ୍ରଭୁଙ୍କ ୩ ବର୍ଷ କାର୍ଯ୍ୟକାଳ ଭିତରେ ସବୁଠାରୁ ଅଧିକ ରେଳ ଦୁର୍ଘଟଣା ଘଟିଛି । ଯାହାକୁ ନେଇ ସୁରେଶ ପ୍ରଭୁଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ସିଧାସଳଖ ଏହା ରେଳବାଇର ଅବହେଳାକୁ ହିଁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ବଡ ପ୍ରଶ୍ନ ହେଲା, ଦେଶରେ ବୁଲେଟନ ଟ୍ରେନର ସ୍ୱପ୍ନ ଦେଖୁଥିବା ସରକାର ଏଭଳି ଦୁର୍ଘଟଣାକୁ କେମିତି ରୋକିବେ । ପ୍ରତ୍ୟେକ ଥର ଦୁର୍ଘଟଣା ହେଲେ ସେହି ଚିରାଚରତ ଢଙ୍ଗରେ ରେଳମନ୍ତ୍ର ଟ୍ୱିଟ କରୁଛନ୍ତି ଓ ତଦନ୍ତ ନିର୍ଦ୍ଦେଶ ପରେ କିଛି ଲୋକଙ୍କୁ ସସପେଣ୍ଡ କରିଦେଲେ କଥା ସରିଲା ।

ଗତ ୫ ବର୍ଷ ମଧ୍ୟରେ ୫୮୬ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରୁ ୫୩ ପ୍ରତିଶତ ଟ୍ରେନ୍ ଲାଇନଚ୍ୟୁତ କାରଣରୁ ଦୁର୍ଘଟଣାର ଶିକାର ହୋଇଛି । ନଭେମ୍ବର ୨୦୧୬ରେ ବଡ ଦୁର୍ଘଟଣା ଘଟିଥିଲା । ଇନ୍ଦୋର-ପାଟନା ଟ୍ରେନ ଲାଇନଚ୍ୟୁତ ହେବାରୁ ୧୫୦ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ।

ଅନ୍ୟପଟେ ଇସ୍ତଫା ଦେଇଛନ୍ତି ରେଲୱେ ବୋର୍ଡ ଚେୟାରମ୍ୟାନ ଏ. କେ. ମିତ୍ତଲ । ବୁଧବାର ସେ ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିବା ଜଣାପଡିଛି । ଗତ ଚାରି ଦିନ ଭିତରେ ଦୁଇଟି ଏକ୍ସପ୍ରେସ ଟ୍ରେନ୍ ଦୁର୍ଘଟଣାର ଶିକାର ହେବା ପରେ ସେ ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିବା ଜଣାପଡିଛି । ଗତ ଜୁଲାଇ ମାସରେ ମିତ୍ତଲଙ୍କ କାର୍ଯ୍ୟକାଳକୁ ଦୁଇବର୍ଷ ବଢାଯାଇଥିଲା । ରେଲୱେ ଇତିହାସରେ ଏହା ପ୍ରଥମ ଘଟଣା ଥିଲା, ଯେତେବେଳେ ଜଣେ ଚେୟାରମ୍ୟାନଙ୍କ କାର୍ଯ୍ୟକାଳକୁ ବଢାଯାଇଥିଲା । ତାଙ୍କ ନିଯୁକ୍ତିକୁ ସେହି ସମୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁମୋଦନ ଦେଇଥିଲା । ତେବେ ଗତ କିଛି ଦିନ ଭିତରେ ଘଟିଥିବା ରେଳ ଦୁର୍ଘଟଣା ପାଇଁ ସେ ଉତ୍ତରଦାୟିତ୍ୱ ମୁଣ୍ଡାଇବା ସହ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ମିତ୍ତଲ ।

ଜୁଲାଇ ୨୦୧୮ରେ ତାଙ୍କ କାର୍ଯ୍ୟକାଳ ସରିଥାନ୍ତା । ସର୍ବାଧିକ ସମୟ ଧରି ରେଲୱେ ବୋର୍ଡ ଚେୟାରମ୍ୟାନ ରହିବାର ଇତିହାସ ସେ ରଚିଥାନ୍ତେ ଯଦି ନିଜ କାର୍ଯ୍ୟକାଳକୁ ସେ ପୁରଣ କରିଥାନ୍ତେ । ମିତ୍ତଲ ହେଉଛି ୧୯୭୬ ବ୍ୟାଚର ଇଣ୍ଡିଅନ ରେଲୱେ ଷ୍ଟୋର ସର୍ଭିସର ଅଧିକାରୀ । ଏହି ସର୍ଭିସରୁ ଆସି ରେଲୱେର ସବୁଠାରୁ ବଡ ପଦବୀ ହାସଲ କରିବାରେ ସେ ହେଉଛନ୍ତି ଏକମାତ୍ର ଅଧିକାରୀ ।