ଚିକେନ୍ ଖାଇବା ପାଇଁ ୭ ଦିନ ଛୁଟି ମାଗିଲେ ରେଲୱେ କର୍ମୀ ! ଭାଇରାଲ୍ ହେବାରେ ଲାଗିଛି ଆବେଦନ ପତ୍ର

681

ଏଯାଏଁ ଆପଣମାନେ ଜାଣିଛନ୍ତି ସ୍ୱସ୍ଥ୍ୟ ଖରାପ କିମ୍ବା ଅନ୍ୟ କୌଣସି ଜରୁରୀ କାମ ପାଇଁ ଛୁଟି ଦରଖାସ୍ତ ଦେବା । କିନ୍ତୁ ଚିକେନ୍ ଖାଇବାକୁ ୭ ଦିନ ପାଇଁ ଛୁଟି ଆବେଦନ କରିଛନ୍ତି ଜଣେ ରେଲୱେ କର୍ମଚାରୀ । ଅବିଶ୍ୱସନୀୟ ଲାଗୁଥିବା ଏହି ଘଟଣାଟି କିନ୍ତୁ ସତ । ଭାଇରାଲ୍ ହୋଇଥିବା ଏହି ଛୁଟି ଦରଖାସ୍ତ ଅନୁଯାୟୀ, ରେଲୱେର ସାଇଡିଙ୍ଗ୍ ବିଭାଗରେ କାମ କରୁଥିବା ପଙ୍କଜ ରାଜ୍ ଗୌଡ ଷ୍ଟେସନ୍ ମାଷ୍ଟରଙ୍କୁ ୭ ଦିନ ଛୁଟି ପାଇଁ ଦରଖାସ୍ତ ଦେଇଛନ୍ତି । ଆଉ ଏହି ଦରଖାସ୍ତର ବିଷୟରେ ସ୍ପଷ୍ଟ ଭାବରେ ଚିକେନ୍ ଖାଇବା ପାଇଁ ଲେଖିଛନ୍ତି ପଙ୍କଜ ।

ଅବେଦନ ପତ୍ରରେ ପଙ୍କଜ ଆଗକୁ ଲେଖିଛନ୍ତି, ‘ଆସନ୍ତା ମାସରୁ ଶ୍ରାବଣ ମାସ ଆରମ୍ଭ ହେଉଛି । ଆଉ ମୋ ଘରେ ଏହି ଋତୁରେ ଚିକେନ୍ ହେବନାହିଁ । ଯାହା ଫଳରେ ମୋତେ ଚିକେନ୍ ଖାଇବାକୁ ମିଳିବ ନାହିଁ । ଏବଂ ଚିକେନ୍ ନଖାଇଲେ ମୋତେ ଦୁର୍ବଳ ଲାଗିବ । ତେଣୁ ମୋତେ ୨୦ ଜୁନ୍ ୨୦୧୭ରୁ ୨୭ ଜୁନ୍ ୨୦୧୭ ଯାଏଁ ଛୁଟି ଦେବାର କୃପା କରନ୍ତୁ । ଏହି ସାତ ଦିନ ଚିକେନ୍ ଖାଇ ଆସନ୍ତା ଏକ ମାସ କଭର୍ କରିପାରିବି’ ।

ପଙ୍କଜଙ୍କ ଏହି ଛୁଟି ଦରଖାସ୍ତ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଛୁଟି ମିଳିବ କି ନାହିଁ ପର କଥା କିନ୍ତୁ ପଙ୍କଜଙ୍କ ଏହି ଦରଖାସ୍ତ ଏବେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଯାଇଛି ।