ପଛୁଆ ଜିଲ୍ଲାରେ ଟ୍ରେନ୍

17

ମାନଚିତ୍ରରେ ବଦଳିବ ରେଲୱେର ନକ୍ସା । ନବରଙ୍ଗପୁର ଓ ମାଲକାନଗିରିକୁ ହେବ ରେଳ ସଂଯୋଗ । ଟ୍ରେନରେ ଗତିରେ ତାଳ ଦେଇ ଆଗେଇବ ଏହି ଦୁଇ ପଛୁଆ ଜିଲ୍ଲା । କୋରାପୁଟ ଜିଲ୍ଲା ଜୟପୁରକୁ ସଂଯୋଗ କରି ନିର୍ମାଣ ହେବ ଏହି ରେଳଧାରଣା । ଗୋଟିଏ ପଟେ ଜୟପୁରରୁ ମାଲକାନଗିରି ଓ ଅନ୍ୟପଟେ ଜୟପୁରରୁ ନବରଙ୍ଗପୁରକୁ ସଂଯୋଗ ହେବ ରେଳପଥ । ସୀମାନ୍ତର ଏହି ଦୁଇ ଜିଲ୍ଲାକୁ ରେଳ ସଂଯୋଗୀକରଣ ପାଇଁ ଆଗେଇ ଆସିଛନ୍ତି ସରକାର । ଆଗାମୀ ଦୁଇ ସପ୍ତାହ ମଧ୍ୟରେ ରେଳମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିଧିବଦ୍ଧ ଭାବେ ଚୁକ୍ତି ସ୍ୱାକ୍ଷରିତ ହେବ । ଜୟପୁରରୁ ନବରଙ୍ଗପୁର ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଓ ୫୦ ପ୍ରତିଶତ ଅର୍ଥ ଯୋଗଇ ଦେଉଥିବା ବେଳେ ଜୟପୁରରୁ ମାଲକାନଗିରି ପ୍ରକଳ୍ପ ପାଇଁ ୨୫ ପ୍ରତିଶତ ଅର୍ଥ ଯୋଗାଇ ଦେବେ ।

ଏବେବି ରାଜ୍ୟର ୭ଟି ଜିଲ୍ଲାର ଲୋକ ରେଳ ସେବାରୁ ବଂଚିତ । ଆଉ ଏହି ଜିଲ୍ଲାଗୁଡ଼ିକରେ ରେଳ ସଂଯୋଗ ନେଇ ଆଗେଇ ଆସିଛନ୍ତି ରେଳମନ୍ତ୍ରାଳୟ ଓ ରାଜ୍ୟ ସରକାର । ଗଂଜାମ ଜିଲ୍ଲା ବ୍ରହ୍ମପୁରରୁ ଫୁଲବାଣୀ ଜିଲ୍ଲାକୁ ହେବ ରେଳ ସଂଯୋଗ । ଏହି ନୂଆ ରେଳ ଧାରଣା ବ୍ରହ୍ମପୁରରୁ ଫୁଲବାଣୀ ଦେଇ ସମ୍ବଲପୁରକୁ ସଂଯୋଗ କରିବ । ଏହା ମଧ୍ୟରେ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାକୁ ସଂଯୋଗ ହେବ ରେଳ ସେବା । ସେହିପରି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନୟାଗଡ଼ ଜିଲ୍ଲା, ହରିଦାସପୁର ପାରାଦୀପ ରେଳପଥ କେନ୍ଦ୍ରାପଡ଼ା ଜିଲ୍ଲା ଏବଂ ତାଳଚେର ବିମଳଗଡ଼ ରେଳପଥ ଦେବଗଡ଼ ଜିଲ୍ଲାକୁ ସଂଯୋଗ କରିବ ।