ଏଣିକି ଟ୍ରେନରେ ଲାଗିବ ସ୍ମାର୍ଟ କୋଚ । ଅପରାଧୀ ଚଢିବା ମାତ୍ରକେ କଂଟ୍ରୋଲ ରୁମରେ ପହଞ୍ଚିଯିବ ଖବର

117

ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ଅନେକ ବିଭିନ୍ନ ପ୍ରକାରର ନିୟମ କାନୁନ ପ୍ରଣୟନ କରିଥାଏ । ଯାହା ସର୍ବଦା ସ୍ୱାଗତ ଯୋଗ୍ୟ ଅଟେ । ଏଭଳି ହିଁ ଏକ ବ୍ୟବସ୍ଥା ଏବେ ଆଣିବାକୁ ଯୋଜନା କରୁଛି ଭାରତୀୟ ରେଳ ମନ୍ତ୍ରାଳୟ । ତେବେ ଯାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଖୁବ୍ ଶୀଘ୍ର ଟ୍ରେନରେ ଲଗାଯିବ ସ୍ମାର୍ଟ କୋଚ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଏହି କୋଚ ଆର୍ଟିଫିସିଆଲ ଇନଟେଲିଜେନ୍ସି ତଥା ଏଆଇ ସିଷ୍ଟମ ସହ ସୁସଜ୍ଜିତ ହେବ । ତେବେ ଏହି ସିଷ୍ଟମର ଖାସ୍ କଥା ହେଉଛି, ଏହା ଜରିଆରେ ସନ୍ଧିଗ୍ଧ ଚେହେରାକୁ ଚିହ୍ନଟ କରାଯାଇ ସିଧା କଂଟ୍ରୋଲ ରୁମକୁ ସୂଚିତ କରିଦିଆଯିବ । ଏହି ସିଷ୍ଟମରେ ।ଦେଶରେ ଥିବା ସମସ୍ତ ଚର୍ଚ୍ଚିତ ଅପରାଧିଙ୍କର ଫଟୋ ଏବଂ ସେମାନଙ୍କ ସହ ଜଡିତ ପ୍ରତିଟି ଛୋଟ ବଡ ସୂଚନା ଦିଆଯାଇଥାଏ ଏବଂ ଏହାକୁ ଇଂଟରନେଟରେ ଛାଡି ଦିଆଯାଇଥାଏ । ଯାହାଦ୍ୱାରା ଯଦି ଟ୍ରେନରେ କିମ୍ବା କୌଣସି ପ୍ଲାଟଫର୍ମରେ କୌଣସି ସନ୍ଧିଗ୍ଧ ବ୍ୟକ୍ତି ନଜର ଆସନ୍ତି ତେବେ ତାର ସୂଚନା ତତ୍ କ୍ଷଣାତ ରେଳବାଇର କଂଟ୍ରୋଲ ରୁମରେ ପହଂଚି ଯିବ ।

ସୂଚନା ମୁତାବକ, ସନ୍ଧିଗ୍ଧଙ୍କୁ ଧରିବା ପାଇଁ ଏହି କୋଚରେ ଚାରି ମେଗା ପିକ୍ସଲର କ୍ୟାମେରା ଲଗାଯାଉଛି, ଯାହାଦ୍ୱାରା ଅନ୍ଧାରରେ ବି ସନ୍ଧିଗ୍ଧଙ୍କ ଉପରେ ନଜର ରଖିହେବ । ଏହି କ୍ୟାମେରା କୋଚରେ ଚଢୁଥିବା ପ୍ରତ୍ୟେକ ଯାତ୍ରୀଙ୍କ ଫଟୋକୁ ସିଷ୍ଟମରେ ପୂର୍ବରୁ ହିଁ ଦିଆଯାଇଥିବା ସନ୍ଧିଗ୍ଧ ବ୍ୟକ୍ତିଙ୍କ ଫଟୋ ସହ ମିଶା ଯିବ, ଏହାପରେ ସନ୍ଧିଗ୍ଧ ଅପରାଧି ଧରାପଡିଲେ ତାର ସୂଚନା ତୁରନ୍ତ ରେଳ ବିଭାଗର କଂଟ୍ରୋଲ ରୁମରେ ପହଂଚାଇ ଦିଆଯିବ । ଖାଲି ଏତିକି ନୁହେଁ ଯଦି କେହି ଏହି କୋଚରେ କୌଣସି ପ୍ରକାରର ମାରଣାସ୍ତ୍ର ଧରି ବି ଚଢନ୍ତି ତେବେ ଏଥିରେ ଲାଗିଥିବା ସେନସର ସିଷ୍ଟମ ତାର ସୂଚନା ମଧ୍ୟ କଂଟ୍ରୋଲ ରୁମକୁ ପଠାଇ ଦେବ ।

ଏହାବ୍ୟତୀତ, କୋଚରେ ଏଭଳି ସେନସର ସିଷ୍ଟମ ଲଗାଯାଇଛି, ଯାହା ପୂର୍ବରୁ ହିଁ ଏସଂପର୍କରେ ତଥ୍ୟ ଦେବା ଆରମ୍ବ କରିଦେବ କି ପାଣି ସରିବାକୁ ଯାଉଛି । ଏଥିସହିତ ହିଁ କୋଚର ଚକ ଗରମ ହୋଇଗଲାଣି ତଥା କୋଚରେ କୌଣସି ପ୍ରକାରର ବୈଷୟିକ ତ୍ରୁଟି ଦେଖାଦେଇଛି । ତେବେ ଏହି ଭାବରେ ଟ୍ରେନ ଜନିତ ପ୍ରତିଟି ସୂଚନା ଆଗାମୀ ଷ୍ଟେସନ ମାଷ୍ଟରଙ୍କ ନିକଟରେ ପହଂଚି ଯିବ ।