ରଥଯାତ୍ରା ପାଇଁ ସ୍ୱତନ୍ତ୍ର ମୋବାଇଲ ଆପ୍ : ଜୁଲାଇ ୪ରୁ ୧୪ ପର୍ଯ୍ୟନ୍ତ ପ୍ରଦାନ କରିବ ରେଳବାଇରେ ଉପଲବ୍ଧ ସୁବିଧା ସମ୍ମର୍କିତ ତଥ୍ୟ

106

କନକ ବ୍ୟୁରୋ : ଜୁଲାଇ ୪ରୁ ୧୪ ତାରିଖ ପୁରୀ ରଥଯାତ୍ରା ସମୟରେ ରେଳବାଇର ଉପଲବ୍ଧ ସୁବିଧା ବିଷୟରେ ସୂଚନା ଦେବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ମୋବାଇଲ ଆପ୍‌ ‘ECOR Yatra’  ସେବାର ପ୍ରଚଳନ କରାଯାଇଛି । ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ତୀର୍ଥ ଯାତ୍ରୀ ଓ ଭକ୍ତମାନେଏହି ଆପ୍‌ ଜରିଆରେ ଉପକୃତ ହୋଇପାରିବେ । ରଥଯାତ୍ରା ସମୟରେ ପୂର୍ବତଟ ରେଳପଥ ପକ୍ଷରୁ ସେବା ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ଟ୍ରେନ୍‌ଗୁଡ଼ିକ ସହ ନିୟମିତ ଚଳାଚଳ କରୁଥିବା ଟ୍ରେନ୍‌ ଓ ଅନ୍ୟ ସୁବିଧା ଉପଲବ୍ଧ ପାଇଁ ସ୍ମାର୍ଟ ଫୋନ୍‌ରେ ଗୁଗୁଲ ପ୍ଲେ’ ଷ୍ଟୋର୍‌ରୁ ଯାତ୍ରୀମାନେ ‘ECOR Yatra’କୁ ଡାଉନ୍‌ଲୋଡ୍‌ କରି ରେଳବାଇର ସମସ୍ତ ସୁବିଧା ବିଷୟରେ ଜାଣିପାରିବେ ।

ରଥଯାତ୍ରା ସମୟରେ ଚଳିତ ବର୍ଷ ୧୯୬ଟି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ । ଏହି ଆପ୍‌ରେ ଉପରୋକ୍ତ ସ୍ୱତନ୍ତ୍ର ଟ୍ରେନ୍‌ଗୁଡ଼ିକର ସମ୍ପୂର୍ଣ୍ଣ ବିବରଣୀ ଓ ଚଳାଚଳ ସମୟ ସମ୍ପର୍କରେ ସୂଚନା ରହିଛି । ଆପ୍‌ରେ ମଧ୍ୟ ପୂର୍ବତଟ ରେଳପଥରେ ନିୟମିତ ଚଳାଚଳ କରୁଥିବା ଟ୍ରେନ୍‌ଗୁଡ଼ିକର ଆଗମନ ଓ ପ୍ରସ୍ଥାନ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଆଇଆର୍‌ସିଟିସି ପକ୍ଷରୁ ଟୁରିଜିମ୍‌, ରିଟାଏରିଂ ରୁମ୍‌, ମେଳା ସେଡ୍‌ର ଉପଲବ୍ଧ ସମ୍ବନ୍ଧରେ ଲଜିଂ ବ୍ୟବସ୍ଥାର ସୂଚନା, ପୁରୀ ଓ ଅନ୍ୟାନ୍ୟ ସ୍ଥାନରେ ସ୍ୱତନ୍ତ୍ର ଟିକେଟ୍‌ କାଉଣ୍ଟର୍‌ ସମ୍ବନ୍ଧରେ ସୂଚନା, ଆଇଆର୍‌ସିଟିସି ପକ୍ଷରୁ ପୁରୀଠାରେ ପରିବହନ ସୁବିଧା ସହ ପ୍ରି-ପେଡ୍‌ ଟ୍ୟାକ୍ସି ଓ ଭଡ଼ା ସମ୍ବନ୍ଧରେ ସୂଚନା ଆଦି ଉପଲବ୍ଧ ରହିଛି ।

ଏହା ବ୍ୟତୀତ ରେଳ ବର୍ଥ (ସିଟ) ଉପଲବ୍ଧତା, ଭଡ଼ା ଅନୁସନ୍ଧାନ, ଏନ୍‌ଟିଇଏସ ଓ ପିଏନ୍‌ଆର୍‌ ଅନୁସନ୍ଧାନ ବ୍ୟବସ୍ଥା, ପିଇବା ପାଣି ସହ କ୍ୟାଟରିଂ ବ୍ୟବସ୍ଥା, ଇ-କ୍ୟାଟରିଂ, ଡାକ୍ତରୀ ସହାୟତା ଓ ପରିଚ୍ଛନ୍ନତା, ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ହୁଇଲ୍‌ ଚେୟାର, ପ୍ଲାଟଫର୍ମରେ ବ୍ୟାଟେରି ଚାଳିତ ଯାନ, ଅଭିଯୋଗ, ଫଟୋ ଗ୍ୟାଲେରି ଓ ଷ୍ଟେସନ୍‌ରେ ମାଗଣା ୱାଇ-ଫାଇ ସୁବିଧା ଉପଲବ୍ଧ ସମ୍ବନ୍ଧରେ ମଧ୍ୟ ଏହି ଆପ୍ ସୂଚନା ଦେବ । ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ ଟିକେଟ୍‌କୁ ଏହି ଆପ୍‌ ଦ୍ୱାରା ବୁକ୍‌ କରାଯାଇପାରିବ ।

ଅଟୋମେଟିକ୍‌ ଟିକେଟ୍‌ ଭେଣ୍ଡିଂ ମେସିନ୍‌(ଏଟିଭିଏମ) ଓ ମୋବାଇଲ୍‌ରେ ଅଣସଂରକ୍ଷିତ ଟିକେଟ୍‌ ପ୍ରଣାଳୀ(ୟୁଟିଏସ ଅନ୍‌ ମୋବାଇଲ) ଉପଯୋଗ ସମ୍ବନ୍ଧରେ ସୂଚନା ମିଳିବ । ଏହା ବ୍ୟତୀତ ଯାତ୍ରୀମାନେ କ’ଣ କରିବା ଉଚିତ ଓ କ’ଣ କରିବା ଅନୁଚିତ ସେ ସମ୍ପର୍କରେ ସୂଚନା, ନିରାପତ୍ତା, ଡାକ୍ତରୀ ଓ ଅନ୍ୟାନ୍ୟ ହେଲ୍ପ ଲାଇନ୍‌ ନମ୍ବରକୁ ଏହି ଆପ୍‌ ଜରିଆରେ ସିଧାସଳଖ ଡାଏଲ୍‌ କରିହେବ । ଜନସାଧାରଣଙ୍କ ପାଇଁ କୌଣସି ଜରୁରୀ ସୂଚନା ଯଥା ଲଗେଜ୍‌ ହଜିଯିବା, ଲୋକ ହଜିଯିବା ସୂଚନାକୁ ଏହି ହେଲ୍ପ ଲାଇନ୍‌ରେ ପ୍ରଦାନ କରାଯାଇପାରିବ । ଏଥିସହ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ବିବରଣୀ ମଧ୍ୟ ଉପଲବ୍ଧ ହେବ ।