ରେଳଯାତ୍ରୀଙ୍କୁ ଚୋରି ରୋଗ ! ଟିକିଏ ମଉକା ପାଇଲେ ଟଏଲେଟର ମଗ୍ ଠାରୁ ଆରମ୍ଭ କରି ତଉଲିଆ, ବେଡସିଟ୍, ଚାଦର ଧରି ଛୁ’ ହୋଇଯାଉଛନ୍ତି ଯାତ୍ରୀ

32

ରେଳଯାତ୍ରୀ ମାନଙ୍କୁ ପଞ୍ଚତାରକା ହୋଟେଲର ଅନୁଭବ ଦେବା ପାଇଁ ରେଲୱେ ପକ୍ଷରୁ ନୂଆ ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଆଉ ଏଥିପାଇଁ କିଛି ସ୍ଥାନରେ ରେଲୱେର ବଗିକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରାଯାଉଛି । ରେଳଯାତ୍ରୀଙ୍କୁ ଆରାମଦାୟକ ଯାତ୍ରା ପ୍ରଦାନ କରିବା ଏବେ ରେଲୱେର ପ୍ରମୁଖ ଲକ୍ଷ୍ୟ । ଆଉ ଏଭଳି ସମୟରେ ରେଳବିଭାଗରୁ ଯେଉଁ ତଥ୍ୟ ମିଳିଛି ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଟ୍ରେନରେ ଚୋରି ହେବା କଥା କିଛି ନୂଆ କଥା ନୁହେଁ । ଅନେକ ଯାତ୍ରୀ ରେଳଯାତ୍ରା ସମୟରେ ଚୋରିର ଶିକାର ହୋଇଥାନ୍ତି । କିନ୍ତୁ ଏବେ ଟ୍ରେନରୁ ଯେଉଁ ସାମଗ୍ରୀ ଚୋରି ହେଉଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଟ୍ରେନ ଯାତ୍ରା ସମୟରେ ଚୋରିରୁ ବର୍ତ୍ତିବା ପାଇଁ ଯାତ୍ରୀ ମାନେ ନିଜର ସମସ୍ତ ଜିନିଷକୁ ନିଜ ପାଖରେ ରଖିଥାନ୍ତି । କିନ୍ତୁ ଏବେ ଚୋରମାନେ ଯାତ୍ରୀଙ୍କ ସାମଗ୍ରୀ ବଦଳରେ ରେଳବିଭାଗର ବିଭିନ୍ନ ସାମଗ୍ରୀକୁ ଟାର୍ଗେଟ କରିଛନ୍ତି । ଟଏଲେଟ ମଗ ଠାରୁ ଆରମ୍ଭ କରି ଫଙ୍ଖା, ବେଡସିଟ ଠାରୁ ଆରମ୍ଭ କରି ତକିଆ ଖୋଳ ପର୍ଯ୍ୟନ୍ତ ଯାତ୍ରୀ ମାନେ ବ୍ୟବହାର କରୁଥିବା ଏହିସବୁ ସାମଗ୍ରୀ ଏବେ ଚୋରଙ୍କର ପ୍ରଥମ ପସନ୍ଦ ପାଲଟିଛି । ପଶ୍ଚିମ ରେଳବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ଟ୍ରେନରୁ ୧.୯୫ ଲକ୍ଷ ଟାୱେଲ, ୮୧,୭୩୬ଟି ଚାଦର, ୫୦୩୮ଟି ତକିଆ, ୫୫,୫୭୩ ତକିଆ ଖୋଳ, ୭୦୪୩ଟି କମ୍ବଳ ଚୋରି ହୋଇଥିବା ଜଣାପଡିଛି । ଏପରିକି ଯାତ୍ରୀ ମାନେ ଟଏଲେଟ ମଗକୁ ମଧ୍ୟ ଛାଡି ନାହାନ୍ତି । ଚଳିତ ବର୍ଷ ୨୦୦ଟି ଟଏଲେଟ ମଗ୍, ହଜାରରୁ ଅଧିକ ଟ୍ୟାପ୍ ଓ ୩୦୦ରୁ ଅଧିକ ଫ୍ଲସ୍ ପାଇପ ଚୋରି ହୋଇଛି ।

ଏହାଛଡା ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ୭୯,୩୫୦ଟି ହାତଧୁଆ ଟାୱେଲ, ୨୭,୫୪୫ଟି ବେଡସିଟ, ୨୧,୦୫୦ଟି ତକିଆ ଖୋଳ, ୨୧୫୦ଟି ତକିଆ, ୨୦୬୫ଟି ଚାଦର ଚୋରି ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୬୨ ଲକ୍ଷ ଟଙ୍କା ହେବ । ସାଧାରଣତଃ ଟ୍ରେନରୁ ଚୋରି ହେଉଥିବା ତକିଆ ଓ ଚାଦର କ୍ଷତିଭରଣା କୋଚ ଆଟେଡାଣ୍ଟଙ୍କୁ ଭରଣା କରିବାକୁ ପଡିଥାଏ । କିନ୍ତୁ ବାଥରୁମରୁ ଚୋରି ହେଉଥିବା ସାମଗ୍ରୀର ଭରଣା ରେଳୱେ କରିଥାଏ । ଟ୍ରେନରେ ବ୍ୟବହାର କରିବାକୁ ଦିଆଯାଉଥିବା ପ୍ରତି ବେଡସିଟର ମୂଲ୍ୟ ୧୩୨ ଟଙ୍କା ହୋଇଥିବା ବେଳେ , ଟାୱେଲର ମୂଲ୍ୟ ୨୨ଟଙ୍କା, ତକିଆର ମୂଲ୍ୟ ୨୫ ଟଙ୍କା ରହିଥାଏ । ୨୦୧୭-୧୮ ଆର୍ଥିକ ବର୍ଷରେ ଟ୍ରେନରୁ ଚୋରି ହୋଇଥିବା ୨.୯୭ କୋଟି ମୂଲ୍ୟର ସାମଗ୍ରୀ ଜବତ କରିଛି ରେଲୱେ ପୋଲିସ ।