ଦୁର୍ଘଟଣା ପାଇଁ ମୋଦିଙ୍କୁ ଭେଟି ଇସ୍ତଫା ଦେବାକୁ କହିଲେ ରେଳମନ୍ତ୍ରୀ ସୁରେଶ ପ୍ରଭୁ : ଅପେକ୍ଷା କରିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ

31

କନକ ବ୍ୟୁରୋ : ବାରମ୍ବାର ରେଳ ଦୁର୍ଘଟଣାରେ ମର୍ମାହତ ରେଳମନ୍ତ୍ରୀ ସୁରେଶ ପ୍ରଭୂ ନୈତିକତା ଦୃଷ୍ଟୁରି ନିଜ ପଦ ଛାଡିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଭେଟି ମନର କଥା ଜଣାଇବା ପରେ ଅପେକ୍ଷା କରିବାକୁ କହିଛନ୍ତି ମୋଦି । ହେଲେ ପ୍ରଶ୍ନ ଉଠୁଛି, ରେଳମନ୍ତ୍ରୀ ଇସ୍ତଫା ଦେଲେ କଣ ରେଳବାଇ ସମସ୍ୟାର ସମାଧାନ ହୋଇଯିବ? କାରଣ ତଥ୍ୟ କହୁଛି ଦେଶର ଲାଇଫ ଲଲାଇନ କୁହାଯାଉଥିବା ରେଳବାଇର ଅନେକ ଟ୍ରାକ ବିପଦସଂକୂଳ । ଖାନ୍ନା କମିଟି ଓ ସାମ ପିଟ୍ରୋଡା କମିଟି ଏଗୁଡିକର ଆଧୁନିକୀକରଣ ପାଇଁ ସୁପାରିଶ କରିଥିଲେ ବି ସବୁଗୁଡିକ କାର୍ଯ୍ୟକାରୀ ହୋଇପାରି ନାହିଁ । ଏପରିକି ରେଳ ଧାରଣା ଯାଇଥିବା ଏକ ତୃତୀୟାଂଶ ବ୍ରିଜ ୮୦ବର୍ଷ ପୁରୁଣା । ତେଣୁ ଭଗବାନ ଭରସାରେ ଚାଲିଛି ବିଶ୍ୱର ଚତୁର୍ଥ ସର୍ବବୃହତ ରେଳବାଇ ନେଟୱର୍କ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ପଦ ଛାଡିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ପ୍ରଭୂ । ଆଉ ଟ୍ୱିଟ୍ କରି ଲେଖିଛନ୍ତି । ଉତ୍ତରପ୍ରଦେଶ ଖତୌଲି ରେଳ ଦୁର୍ଘଟଣାରେ ୨୩ଜଣଙ୍କ ମୃତ୍ୟୁ ଓ ଶତିଧିକ ଯାତ୍ରୀ ଆହତ ହେବା ପରେ ପୁଣି ଔରିୟା ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଆଜମଗଡରୁ ଦିଲ୍ଲୀ ଯାଉଥିବା କୈଫିୟତ ଏକ୍ସପ୍ରେସ । ଏଭଳି ବାରମ୍ବାର ରେଳ ଦୁର୍ଘଟଣା ପ୍ରଭୂଙ୍କୁ ମର୍ମାହତ କରିଛି । ତେବେ ପ୍ରଶ୍ନ ଉଠୁଛି ରେଳମନ୍ତ୍ରୀ ଇସ୍ତଫା ଦେଲେ କଣ ରେଳ ଦୁର୍ଘଟଣା କମିିଯିବ ?

ଭାରତୀୟ ରେଳପଥ ବିଶ୍ୱର ଚତୁର୍ଥ ସର୍ବବୃହତ ରେଳପଥ । ପାଖାପାଖି ୧୩ହଜାର ଟ୍ରେନ ଯୋଗେ ପ୍ରତିଦିନ ୨ କୋଟି ୩୦ ଲକ୍ଷ ଲୋକ ଯାତାଯାତ କରନ୍ତି । ସାରା ଦେଶରେ ବ୍ୟାପିଛି ୧ ଲକ୍ଷ ୧୯ହଜାର ୬୪୦ କିଲୋମିଟର ରେଳପଥ । ହେଲେ ଏହି ରେଳପଥ ଏବେ ମରଣ ପଥରେ ପରିଣତ ହୋଇଛି ।

ଅତି ବିପଦସଂକୁଳ ଅବସ୍ଥାରେ ରହିଛି ୨୬୨ଟି ବ୍ରିଜ୍ । ଯେକୌଣସି ମୁହୁର୍ତରେ ଏକ ଦୁର୍ଘଟଣାର କାରଣ ହୋଇପାରେ ଏହିସବୁ ବ୍ରିଜ୍ । ରେଳପଥର ସୁରକ୍ଷା ନେଇ ଖାନ୍ନା କମିଟି ୧୯୯୮ରେ ଦେଇଥିବା ୨୭୮ ସୁପାରିଶ ମଧ୍ୟରୁ ୨୩୬ ପ୍ରସ୍ତାବ ଗ୍ରହଣ କରାଯାଇଛି । ହେଲେ ଗ୍ରହଣ କରାଯାଇଥିବା ସୁପାରିଶଗୁଡିକ ମଧ୍ୟ ସଂପୂର୍ଣ୍ଣ କାର୍ଯ୍ୟକାରୀ ହୋଇପାରିନାହିଁ ।

ଭାରତୀୟ ରେଳପଥରେ ମୋଟ ୧ଲକ୍ଷ ୨୭ ହଜାର ୧୫୪ଟି ବ୍ରିଜ୍ ରହିଛି । ଏହାର ଏକ ତୃତୀୟାଂଶ ବ୍ରି୍ଜ୍ ଅର୍ଥାତ୍ ୫୬ ହଜାର ୧୭୮ ବ୍ରିଜ, ୮୦ ବର୍ଷରୁ ଅଧିକ ପୁରୁଣା । ଦେଶ ସ୍ୱାଧୀନତା ପାଇବା ପୂର୍ବରୁ ଏଗୁଡିକ ନିର୍ମାଣ ହୋଇଛି । ସେହିପରି ୨୦୧୨ରେ ସାମ ପିଟ୍ରୋଡା କମିଟିର ସୁପାରିଶ ଅନୁସାରେ ୧୯ ହଜାର କିଲୋମିଟର ରେଳପଥର ଆଧୁନୀକିକରଣ ଆବଶ୍ୟକ । ଏପରିକି ୧୧ ହଜାର ୨୫୦ ବ୍ରିଜର ପୁନଃ ନିର୍ମାଣ ନହେଲେ ଦୃତଗତିରେ ଟ୍ରେନ ଗଲେ ଏଗୁଡିକ ଭୁଷୁଡି ପଡିବାର ସମ୍ଭାବନା ଯଥେଷ୍ଟ ଅଧିକ ।

ତଥ୍ୟ କହୁଛି, ୨୦୦୩ରୁ ୨୦୧୬ ମଧ୍ୟରେ ୧୨୩୨ଟି ଟ୍ରେନ ଦୁର୍ଘଟଣାରେ ୧୩୯୩ ଜଣ ପ୍ରାଣ ହରାଇଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି । ଗତ ଦୁଇ ବର୍ଷରେ ୧୬୫ଟି ଦୁର୍ଘଟଣା ଘଟିଛି, ୧୫୫ ଜଣଙ୍କ ଜୀବନ ଯାଇଛି । ତେଣୁ ଭାରତୀୟଙ୍କ ଲାଇଫ ଲାଇନ କୁହାଯାଉଥିବା ରେଳବାଇ ପ୍ରଥମେ ବିପଦସଂକୂଳ ଅବସ୍ଥାରେ ଥିବା ତାର ରେଳଧାରଣାଗୁଡିକର ସୁରକ୍ଷାକୁ ନିଶ୍ଚିତ କରିବା ଜରୁରୀ ହୋଇପଡିଛି ।