ସାବାଡ ହେବେ ରେଲୱେ ଟିକେଟ୍ ଫର୍ଜି କରୁଥିବା ବ୍ୟକ୍ତି ! ଜୋରିମାନା ସହ ହୋଇପାରେ ତିନି ବର୍ଷ ଜେଲ ଦଣ୍ଡ ।

27

ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳବାଇ କ୍ରମାଗତ ଭାବେ ନୂଆ ନୂଆ ନିୟମ ଲାଗୁ କରୁଛି । ଯେପରିକି ଯାତ୍ରୀମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବା ପାଇଁ ନପଡେ । ଆଉ ଏଥି ମଧ୍ୟରେ ରେଲୱେ ଅନଲାଇନ ଟିକେଟ ଘୋଟାଲା ଉପରେ ରୋକ ଲଗାଇବା ପାଇଁ ୧୯୮୯ ରେଲୱେ ଅଧିନିୟମରେ ସଂଶୋଧନ କରିବା ପାଇଁ ବିଚାର କରୁଛି ଭାରତୀୟ ରେଳବାଇ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରେଳବାଇ ଦ୍ୱାରା କରାଯାଉଥିବା ନିୟମରେ ସଂଶୋଧନରେ, ଯଦି କୌଣସି ବ୍ୟକ୍ତି ଏଭଳି ଅପରାଧ କରୁଥିବା ଜଣାପଡେ, ତେବେ ତାଙ୍କୁ ତିନି ବର୍ଷ ଜେଲ୍ ଦଣ୍ଡ ହୋଇପାରେ । ମିଳିଥିବା ସୂଚନା ଅନୁଯାୟୀ, ଇ-ଟିକେଟ୍ ଘୋଟାଲାକାରୀଙ୍କ ଉପରେ ୨ ଲକ୍ଷରୁ ଅଧିକ ଟଙ୍କା ଜୋରିମାନା ଲଗାଯାଇପାରେ ।

ତେବେ ବର୍ତ୍ତମାନର ଅଧିନିୟମରେ ଇ-ଟିକେଟ୍ ଘୋଟାଲା ସମ୍ବନ୍ଧରେ ବିଚାର କରାଯାଇନାହିଁ । କିନ୍ତୁ ଟିକେଟର କଳାବଡାରୀ କରିବା କିମ୍ବା ବେଆଇନ ଭାବେ ଟିକେଟ୍ କିଣାବିକା କରୁଥିବା ଦଲାଲ୍ ମାନଙ୍କୁ ଦଣ୍ଡ ଦେବା ପାଇଁ ଏକ ପ୍ରାବଧାନ ରହିଛି । ଅଧିନିୟମ ଅନୁଯାୟୀ, ଏପରି ଅପରାଧୀମାନଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ କିମ୍ବା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା କିମ୍ବା ଜେଲଦଣ୍ଡ ସହ ଜୋରିମାନା ହୋଇପାରେ । ତେବେ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏଭଳି ଘୋଟାଲା ମାମଲା ଦିନକୁ ଦିନ ବଢି ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ରେଳବାଇ ସୁରକ୍ଷା ବଳ ପକ୍ଷରୁ ଏକ ନୂଆ ପ୍ରସ୍ତାବ ପାରିତ କରାଯାଇଛି ।