ପାଉଛ ଅଧିକ, ଦେଉଛ କମ! ରେଳ ବଜେଟରେ ଓଡ଼ିଶା ଭାଗରେ ୫୨୫୨ କୋଟି, ଓଡ଼ିଶାକୁ ନିରାଶ କଲା ରେଳ ବଜେଟ

29

କନକ ବ୍ୟୁରୋ : ରେଳ ବଜେଟରେ ଓଡିଶାକୁ ମିଳିଲା ୫ ହଜାର ୨୫୨ କୋଟି । ରେଳବାଇ ନେଟୱର୍କରେ ବହୁ ପଛରେ ପଡିଥିବା ଓଡିଶା ପାଇଁ ୬ ହଜାର ୫ ଶହ କୋଟି ଦାବି କରିଥିଲେ ରାଜ୍ୟ ସରକାର । ସଂସଦରେ ବଜେଟ୍ ଉପସ୍ଥାପନର ୫ ଦିନ ପରେ ଆଜି ରେଳ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟୱାରି ଆବଂଟନ ତାଲିକା ପ୍ରକାଶ ପାଇଛି । ତେବେ ରେଳବାଇରେ ଆବଂଟନ ଖବର ଆସିବା ପରେ ରାଜ୍ୟ ସରକାର ଏହାକୁ ନୂଆ ବଜେଟରେ ପୁରୁଣା କଥା ବୋଲି କହିଛନ୍ତି । ପ୍ରଥମେ ଜାଣନ୍ତୁ ଓଡ଼ିଶା ପାଇଁ ଚଳିତ ବଜେଟରେ କଣ ରହିଛି ।

ରେଳ ବଜେଟରେ ଓଡିଶାକୁ ମିଳିଲା ୫ହଜାର ୨ଶହ ୫୨ କୋଟି ଟଙ୍କା । ୨୦୧୮-୧୯ ଆର୍ଥିକ ବର୍ଷରେ ଓଡିଶାରେ ରେଳ ଭିତିଭୂମିର ବିକାଶ ପାଇଁ ଗତବର୍ଷ ଅପେକ୍ଷା ଦେଢଶହ କୋଟି ଟଙ୍କା ଅଧିକ ମଞ୍ଜୁର କରିଛନ୍ତି ମୋଦି ସରକାର । କାରଣ ୨୦୧୭-୧୮ ରେଳ ବଜେଟରେ ଓଡିଶାକୁ ମିଳିଥିଲା ୫ହଜାର ୧୦୨ କୋଟି ଟଙ୍କା । ହେଲେ ରେଳବାଇକୁ ବାର୍ଷିକ ପ୍ରାୟ ୧୫ ହଜାର କୋଟି ଟଙ୍କାର ରାଜସ୍ୱ ଦେଉଥିବା ଓଡିଶା ସରକାର ମୋଟ ୬ହଜାର ୫ଶହ କୋଟି ଟଙ୍କାର ଦାବି ରଖିଥିଲେ । ରେଳବାଇରେ ଜାତୀୟ ଜିଡିପିକୁ ଓଡିଶାର ଅବଦାନ ୨୦ପ୍ରତିଶତ ଥିବାବେଳେ ଭିତିଭୂମିରେ ପଛରେ ପଡିଯାଉଥିବା ଅଭିଯୋଗ କରି ଏହି ଦାବି ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନୂତନ ରେଳପଥ ପାଇଁ ମୋଟ ୭ଶହ ୨୨ କୋଟି ୧୦ ଲକ୍ଷ ଟଙ୍କାର ଅନୁଦାନ ମିଳିଛି । ଏହା ଭିରତରେ ରହିଛି ବହୁ ପ୍ରତିକ୍ଷିତ ଖୋର୍ଦ୍ଧାରୋଡ-ବଲାଙ୍ଗିର ମଧ୍ୟରେ ୨ଶହ ୮୯ କିଲୋମିଟର ରେଳପଥ । ଏଥିପାଇଁ ବଜେଟ୍ରେ ମିଳିଛି ୬ଶହ ୨୫ କୋଟି ଟଙ୍କା । ସେହିପରି ଚାଳଚେର-ବିମଳାଗଡ ପାଇଁ ୩ଶହ କୋଟି, ହରିଦାସପୁର-ପାରାଦୀପ ଓ ଅନୁଗୁଳ-ସୁକିନ୍ଦାରୋଡ ରେଳପଥ ପାଇଁ ୨ଶହ କୋଟି ଲେଖାଏଁ ଏବଂ ଓଡିଶା ସରକାର ଦାବି କରିଆସୁଥିବା ଜୟପୁରରୁ ମାଲକାନଗିରି ପର୍ଯ୍ୟନ୍ତ ୧୩୦ କିଲୋମିଟର ରେଳପଥ ପାଇଁ ୯୫ କୋଟି ଓ ଜୟପୁରରୁ ନବରଙ୍ଗପୁର ମଧ୍ୟରେ ୩୮ କିଲୋମିଟର ରେଳପଥ ପାଇଁ ଦେଢଶହ କୋଟି ଟଙ୍କାର ଅନୁଦାନ ମିଳିଛି ।

ସେହିପରି ରେଳପଥ ଦୋହରୀକରଣ ପାଇଁ ମୋଟ ବ୍ୟୟବରାଦ ହୋଇଛି ୧୮ଶହ କୋଟି ଟଙ୍କା । ସମ୍ବଲପୁର-ଟିଟଲାଗଡ ମଧ୍ୟରେ ୧୮୨ କିଲୋମିଟର ରେଳପଥର ଦୋହରୀକରଣ ପାଇଁ ୫୦ କୋଟି, ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲାଇନ ପାଇଁ ୧୦ କୋଟି, ବାଂଶପାଣିରୁ ଦୈତାରୀ ଓ ଟୋକମା ଦେଇ ଜଖପୁରା ଯାଏଁ ୧୮୦ କିଲୋମିଟର ରେଳପଥର ଦୋହରୀକରଣ ପାଇଁ ୮୦ କୋଟି, ଭଦ୍ରକରୁ ନିର୍ଗୁଣ୍ଡି ତୃତୀୟ ଲାଇନ ରେଳପଥ ପାଇଁ ୫୫ କୋଟି, ଜଗଦଲପୁରରୁ କୋରାପୁଟ ଯାଏଁ ୧୧୦ କିଲୋମିଟର ରେଳଲାଇନ ଦୋହରୀକରଣ ପାଇଁ ୧୧୬ କୋଟି, ତାଳଚେର ରୋଡରେ ଏକ ଫ୍ଲାଏଓଭର ସହିତ ଜରପଡାରୁ ବୁଢାପଙ୍କ ଯାଏଁ ତୃତୀୟ ଓ ଚତୁର୍ଥ ଲାଇନ ନିର୍ମାଣ ପାଇଁ ୧୦୦ କୋଟି ଟଙ୍କାର ଅନୁଦାନ ଓଡିଶାକୁ ମିଳିଛି । ସେହିପରି ରେଳପଥର ନବୀକରଣ ପାଇଁ ମୋଟ ୮ଶହ ୫୦ କୋଟି ଟଙ୍କା ଏବଂ ରଲୱେ ବ୍ରିଜ ନିର୍ମାଣ ବାବଦକୁ ୩୫ କୋଟି ୬୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର ।