ବଜେଟରେ ରେଳବାଇକୁ ମିଳିଲା ୬୪,୫୮୭ କୋଟି । ଚଳିତଥର ବି ବଢିଲାନି ଯାତ୍ରୀ କିମ୍ବା ମାଲ ଭଡା

ବଜେଟରେ ରେଳବାଇକୁ ମିଳିଲା ୬୪,୫୮୭ କୋଟି

63

କନକ ବ୍ୟୁରୋ : କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ରେଳବାଇ ପାଇଁ ୧ ଲକ୍ଷ ୫୮ ହଜାର ୬୫୮ କୋଟି ଟଙ୍କା ପୁଞ୍ଜି ବ୍ୟୟ ବରାଦ ଅନ୍ତରୀଣ ବଜେଟରେ କରିଛନ୍ତି। ରେଳବାଇକୁ ବଜେଟ ସହାୟତା ବାବଦରେ ୬୪,୫୮୭ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି। ରେଳ ଯାତ୍ରୀ ଭଡ଼ା କିମ୍ବା ମାଲ ମାହାସୁଲରେ କୌଣସି ବୃଦ୍ଧି କରାଯାଇ ନାହିଁ। ରେଳମନ୍ତ୍ରୀ କହିଛନ୍ତି, ରେଳବାଇ ପାଇଁ ୨୦୧୮-୧୯ ଆର୍ଥିକ ବର୍ଷ ଏ ପର୍ଯ୍ୟନ୍ତ ସବୁଠୁ ନିରାପଦ ବର୍ଷ ହୋଇ ପାରିଛି। ବ୍ରଡ୍ ଗେଜରେ ମାନବ ବିହୀନ ରେଳ ଫାଟକ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି। ଦେଶରେ ବିକାଶ କରାଯାଇଥିବା ବନ୍ଦେ ଭାରତ ଏକ୍ସପ୍ରେସରେ ରେଳଯାତ୍ରା ବେଳେ ଯାତ୍ରୀମାନେ ଭିନ୍ନ ଅନୁଭୂତି ପାଇବେ ବୋଲି ମନ୍ତ୍ରୀ କହିଛନ୍ତି।

ଭାରତୀୟ ରେଳର ପରିଚାଳନା ଅନୁପାତ ୨୦୧୭-୧୮ରେ ୯୮.୪ ପ୍ରତିଶତ ଥିବାବେଳେ ୨୦୧୮-୧୯ରେ ଏଥିରେ ଉନ୍ନତି ଆସିଛି ଏବଂ ଏହା ୯୬.୨ ପ୍ରତିଶତରେ ରହିଛି। ଆସନ୍ତା ଆର୍ଥିକ ବର୍ଷ ଏହି ଅନୁପାତକୁ ୯୫ ପ୍ରତିଶତରେ ରଖିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ରେଳବାଇ ଯେଉଁ ବ୍ୟୟବରାଦ ବଜେଟରେ ରଖାଯାଇଛି ସେଥିମଧ୍ୟରୁ ଯାତ୍ରୀଙ୍କୁ ଆରାମ ବାବଦରେ ୧୦୦୦ କୋଟି, ଯାତ୍ରୀଙ୍କ ସୁବିଧା ଲାଗି ୩୪୨୨ କୋଟି, ନୂଆ ରେଳଧାରଣା ନିର୍ମାଣ ବାବଦରେ ୭୨୫୫ କୋଟି, ଗେଜ୍ ପରିବର୍ତନ ଲାଗି ୨୨୦୦ କୋଟି, ଦୋହରୀକରଣ ବାବଦରେ ୭୦୦ କୋଟି, ରୋଲିଂ ଷ୍ଟକ୍ସ ବାବଦରେ ୬୧୧୪.୮୨ କୋଟି ଏବଂ ସିଗନାଲିଂ ଓ ଟେଲିକମ୍ ବାବଦରେ ୧୭୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।