ରେଳବାଇ ନିଯୁକ୍ତି : ଜାଣନ୍ତୁ ଫାଙ୍କା ପଡ଼ିଥିବା ୯୦ ହଜାର ପଦ ପାଇଁ କେଉଁ ମାସରେ ହେବ ପରୀକ୍ଷା

40

ଦୀର୍ଘ ଦିନର ଅପେକ୍ଷା ପରେ ଶେଷରେ ରେଳବାଇ ନିଯୁକ୍ତି ବୋର୍ଡ଼ ଗ୍ରୁପ ଡ଼ି ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିବା ୯୦ ହଜାର ପଦ ପାଇଁ ପ୍ରଥମ ପର୍ଯ୍ୟାୟ ଲିଖିତ ପରୀକ୍ଷା ନେଇ ତାରିଖ ଘୋଷଣା କରିଛି । ରେଳବାଇର ଏହି ଘୋଷଣା ପରେ ଗ୍ରୁପ ଡ଼ି ପୋଷ୍ଟ ପାଇଁ ଆବେଦନ କରିଥିବା ୨ କୋଟି ୩୭ ଲକ୍ଷ ଛାତ୍ରଛାତ୍ରୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଆରଆରବି ଘୋଷଣା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ଅନଲାଇନ ଟେଷ୍ଟ ଆସନ୍ତା ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସରେ ହେବ । ଏହାପୂର୍ବରୁ କୁହାଯାଇଥିଲା ଯେ, ଏହି ପରୀକ୍ଷା ଏପ୍ରିଲ କିମ୍ବା ମେ ୨୦୧୮ରେ ଆୟୋଜିତ ହେବ । କିନ୍ତୁ ରେଳବାଇ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲା ।

indian-railwayବାରମ୍ବାର ଏହି ପରୀକ୍ଷା ବିଳମ୍ବ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏପରିକି ପରୀକ୍ଷା ବିଳମ୍ବକୁ ନେଇ ଦିଲ୍ଲୀରୁ ଆରମ୍ଭ କରି ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଛାତଛାତ୍ରୀଙ୍କ ବିରୋଧ ଦେଖିବାକୁ ମିଳିଥିଲା । ପରୀକ୍ଷା ତାରିଖ ବିଳମ୍ବ ହେଉଥିବାରୁ ହଜାର ହଜାର ଯୁବକ ଜୁନ ୨୯ରେ ରୋଜଗାର ମାଗୁଛି ଭାରତ ନାରା ଦେଇ ବିରୋଧ ପ୍ରଦର୍ଶନ କରିଥିଲେ ଏବଂ ରେଲୱେ ପରୀକ୍ଷାକ ଖୁବଶୀଘ୍ର କରିବାକୁ ଦାବି କରିଥିଲେ ।

ଛାତ୍ରଛାତ୍ରୀଙ୍କ ଏଭଳି ବିରୋଧକୁ ଦେଖି ରେଳ ମନ୍ତ୍ରାଳୟ ଶେଷରେ ପରୀକ୍ଷା ତାରିଖ ଘୋଷଣା କରିଛି । ଏହି ପରୀକ୍ଷା ଆସନ୍ତା ଅଗଷ୍ଟ କିମ୍ବା ସେପ୍ଟେମ୍ବର ୨୦୧୮ରେ ଅନୁଷ୍ଠିତ ହେବ । ତେବେ କେଉଁ ତାରିଖରେ ଏହି ପରୀକ୍ଷା ହେବ ସେନେଇ କୌଣସି ସୂଚନା ମିଳି ପାରିନାହିଁ । ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ, ଅନଲାଇନ ପରୀକ୍ଷାକୁ ନେଇ ଭିନ୍ନ ଭିନ୍ନ ତାରିଖ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ପ୍ରକୃତରେ କେଉଁ ତାରିଖରେ ପରୀକ୍ଷା ତାହା କିନ୍ତୁ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଫଳରେ ମିଛ ତାରିଖକୁ ନେଇ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏନେଇ ଛାତ୍ରଛାତ୍ରୀ ମାନେ ଆରଆରବିର କାର୍ଯ୍ୟକାରୀ ନିର୍ଦ୍ଦେଶକ ଅମିତାଭ ଖେରଙ୍କ ସହ ସାକ୍ଷାତ କରିଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଫେବୃଆରୀ ମାସରେ ଖାଲି ପଡ଼ିଥିବା ଗ୍ରୁପ ଡ଼ି ପୋଷ୍ଟ ପାଇଁ ୬୨,୦୦୦ ଓ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ପଦ ପାଇଁ ୨୬,୦୦୦ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଖାଲି ପଡ଼ିଥିବା ୯୦ ହଜାର ପୋଷ୍ଟ ପାଇଁ ମୋଟ ୨ କୋଟି ୩୭ ଲକ୍ଷ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ତେଣୁ ରେଳବାଇର ଏହି ଘୋଷଣା ସହ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି ମିଳିଛି ।