ଟ୍ରେନ ଦୁର୍ଘଟଣାର ଦୋଷ ମୁଣ୍ଡାଇଲେ ରେଲୱେ ବୋର୍ଡ ଚେୟାରମ୍ୟାନ ! ଦେଲେ ଇସ୍ତଫା

69

କନକ ବ୍ୟୁରୋ: ଇସ୍ତଫା ଦେଲେ ରେଲୱେ ବୋର୍ଡ ଚେୟାରମ୍ୟାନ ଏ. କେ. ମିତ୍ତଲ । ବୁଧବାର ସେ ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିବା ଜଣାପଡିଛି । ଗତ ଚାରି ଦିନ ଭିତରେ ଦୁଇଟି ଏକ୍ସପ୍ରେସ ଟ୍ରେନ୍ ଦୁର୍ଘଟଣାର ଶିକାର ହେବା ପରେ ସେ ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିବା ଜଣାପଡିଛି । ଗତ ଜୁଲାଇ ମାସରେ ମିତ୍ତଲଙ୍କ କାର୍ଯ୍ୟକାଳକୁ ଦୁଇବର୍ଷ ବଢାଯାଇଥିଲା । ରେଲୱେ ଇତିହାସରେ ଏହା ପ୍ରଥମ ଘଟଣା ଥିଲା, ଯେତେବେଳେ ଜଣେ ଚେୟାରମ୍ୟାନଙ୍କ କାର୍ଯ୍ୟକାଳକୁ ବଢାଯାଇଥିଲା । ତାଙ୍କ ନିଯୁକ୍ତିକୁ ସେହି ସମୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁମୋଦନ ଦେଇଥିଲା । ତେବେ ଗତ କିଛି ଦିନ ଭିତରେ ଘଟିଥିବା ରେଳ ଦୁର୍ଘଟଣା ପାଇଁ ସେ ଉତ୍ତରଦାୟିତ୍ୱ ମୁଣ୍ଡାଇବା ସହ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ମିତ୍ତଲ ।

ଜୁଲାଇ ୨୦୧୮ରେ ତାଙ୍କ କାର୍ଯ୍ୟକାଳ ସରିଥାନ୍ତା । ସର୍ବାଧିକ ସମୟ ଧରି ରେଲୱେ ବୋର୍ଡ ଚେୟାରମ୍ୟାନ ରହିବାର ଇତିହାସ ସେ ରଚିଥାନ୍ତେ ଯଦି ନିଜ କାର୍ଯ୍ୟକାଳକୁ ସେ ପୁରଣ କରିଥାନ୍ତେ । ମିତ୍ତଲ ହେଉଛି ୧୯୭୬ ବ୍ୟାଚର ଇଣ୍ଡିଅନ ରେଲୱେ ଷ୍ଟୋର ସର୍ଭିସର ଅଧିକାରୀ । ଏହି ସର୍ଭିସରୁ ଆସି ରେଲୱେର ସବୁଠାରୁ ବଡ ପଦବୀ ହାସଲ କରିବାରେ ସେ ହେଉଛନ୍ତି ଏକମାତ୍ର ଅଧିକାରୀ ।

ଗତ ଅଗଷ୍ଟ ୧୯ରେ ଉତ୍ତରପ୍ରଦେଶର ମୁଜାଫରନଗରରେ ଉକ୍ରଳ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇ ୨୦ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୯୭ ଜଣ ଯାତ୍ରୀ ଆହତ ହୋଇଥିଲେ । ୧୪ଟି ବଗି ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିଲା । ଟ୍ରାକରେ ଚାଲିଥିବା ମରାମତି କାମ ପାଇଁ ଦୁର୍ଘଟଣା ଘଟିଥିବା ଜଣାପଡିଥିଲା । ତେବେ ଏନେଇ ତଦନ୍ତ ମଧ୍ୟ ଚାଲିଛି । ରେଳମନ୍ତ୍ରୀ ସୁରେଶ ପ୍ରଭୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କିଛି ଅଧିକାରୀଙ୍କୁ ଛୁଟିରେ ପଠାଇଥିଲେ । କିଛି ଅଧିକାରୀଙ୍କୁ ସସପେଣ୍ଡ କରାଯାଇଥିଲା । ସେହିଭଳି ଆଜି ଉତ୍ତରପ୍ରଦେଶରେ କୈଫିୟତ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲେ । ଏଥିରେ ୮ଟି ବଗି କ୍ଷତିଗ୍ରସ୍ତ ହୋଇଛି ।

ଗତ ୫ ବର୍ଷ ମଧ୍ୟରେ ୫୮୬ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରୁ ୫୩ ପ୍ରତିଶତ ଟ୍ରେନ୍ ଲାଇନଚ୍ୟୁତ କାରଣରୁ ଦୁର୍ଘଟଣାର ଶିକାର ହୋଇଛି । ନଭେମ୍ବର ୨୦୧୬ରେ ବଡ ଦୁର୍ଘଟଣା ଘଟିଥିଲା । ଇନ୍ଦୋର-ପାଟନା ଟ୍ରେନ ଲାଇନଚ୍ୟୁତ ହେବାରୁ ୧୫୦ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ।