କମ୍ବଳ ନଦେଇ ତାପମାତ୍ରା ବଢ଼ାଇବ ରେଳ !

111

କନକ ବ୍ୟୁରୋ: ରେଳଯାତ୍ରୀଙ୍କୁ ପରିଷ୍କାର ପରିଚ୍ଛନ୍ନ ନଥିବା ବେଡସିଟ୍, କମ୍ବଳ, ତକିଆ ଖୋଳ ଏବଂ ମୁହଁପୋଛା ତଉଲିଆ ଦିଆଯାଉଛି ବୋଲି ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି) ଧରିବା ପରେ ଆଗାମୀ ଦିନରେ କମ୍ବଳ ଯୋଗାଇ ନଦେବା ନେଇ ରେଳବାଇ ଚିନ୍ତା କରୁଛି । ଏସି ବଗିରେ ଯାତ୍ରୀଙ୍କୁ କମ୍ବଳ ଦେବା ପରିବର୍ତେ ବଗିର ତାପମାତ୍ରା ୧୯ ଡିଗ୍ରିରୁ ୨୪ ଡିଗ୍ରିକୁ ବୃଦ୍ଧି କରାଯିବ ବୋଲି ଏକ ସୂତ୍ରରୁ ସୂଚନା ମିଳିଛି ।

ରେଳ ବିଭାଗର ଏକ ସୂତ୍ରରୁ ଜଣାଯାଇଛି ଯେ, ଯାତ୍ରୀଙ୍କୁ କମ୍ବଳ ଯୋଗାଣକୁ ବନ୍ଦ କରି ଦିଆଗଲେ ରେଳବାଇର ଅନେକ ଅର୍ଥ ସଞ୍ଚୟ ହୋଇପାରିବ । କାରଣ ବେଡରୋଲକୁ ସଫା କରିବା ଲାଗି ୫୫ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଯାତ୍ରୀଙ୍କଠାରୁ ଏଥିପାଇଁ ୨୨ ଟଙ୍କା ଆଦାୟ କରାଯାଉଛି ।

ସିଏଜି ରିପୋର୍ଟ ଅନୁସାରେ ରେଳବାଇ ପକ୍ଷରୁ ଧାର୍ଯ୍ୟ ନିୟମାବଳୀ ଅନୁଯାୟୀ କମ୍ବଳ, ତକିଆ ଖୋଳ, ବେଡସିଟ୍ ଆଦି ସଫା କରାଯାଉନାହିଁ । ଯାତ୍ରୀଙ୍କୁ ପରିଷ୍କାର ପରିଚ୍ଛନ୍ନ କମ୍ବଳ ଏବଂ ବେଡସିଟ୍ ଆଦି ଦେବା ପାଇଁ ଏକ ଉନ୍ନତ ବ୍ୟବସ୍ଥା ସ୍ଥାପନ କରିବାକୁ ସିଏଜି ପରାମର୍ଶ ଦେଇଛନ୍ତି । ରେଳମନ୍ତ୍ରୀ ୨୦୧୬ରେ ବେଡରୋଲକୁ ଥରେ ବ୍ୟବହାର କରି ଫିଙ୍ଗିଦେବା ଲାଗି ନିର୍ଦେଶ ଦେଇଥିଲେ ମଧ୍ୟ ତାହାକୁ ସବୁସ୍ଥାନରେ କାର୍ଯ୍ୟକାରୀ କରାଯାଇ ପାରିନାହିଁ । ଫଳରେ ଯାତ୍ରୀମାନେ ଅଧିକାଂଶ ସମୟରେ ମଇଳା କମ୍ବଳ, ବେଡସିଟ୍ ଆଦି ଯୋଗାଣ ନେଇ ଅଭିଯୋଗ କରି ଆସୁଛନ୍ତି ।

କମ୍ବଳ ଖୋଳ ଦେଲା ରେଳ

ଟ୍ରେନ୍ରେ ଯାତ୍ରୀଙ୍କୁ ମଇଳା କମ୍ବଳ, ତକିଆ ଖୋଳ, ବେଡ୍ସିଟ୍, ମୁହଁପୋଛ ତଉଲିଆ ଦେଉଥିବା ବିଷୟ ସିଏଜି ଧରିବା ପରେ ରେଳବାଇ ଏବେ ସତର୍କ ହୋଇଯାଇଛି । ଏସି ପ୍ରଥମ ଶ୍ରେଣୀ ବଗିରେ ଯାତ୍ରୀମାନଙ୍କୁ ରେଳବାଇ ପକ୍ଷରୁ କମ୍ବଳକୁ ଖୋଳ ଭିତରେ ପୂରାଇ ଦିଆଯାଉଛି । ଏହି ସେବା ପ୍ରାୟ ସବୁ ପ୍ରମୁଖ ରେଡ ଡିଭିଜନର ଆରମ୍ଭ ହୋଇଛି ।

ଚଳିତମାସ ଶେଷ ସୁଦ୍ଧା ସବୁ ଡିଭିଜନରେ ଏହି ସେବା ଉପଲବ୍ଧ କରାଯିବ । ଏହି ଖୋଳ ଗୁଡ଼ିକୁ ଦୈନିକ ସଫା କରାଯିବ ବୋଲି ରେଳବାଇର ପ୍ରବକ୍ତା ଅନୀଲ ସକସେନା କହିଛନ୍ତି । ତେବେ ରେଳର ଏସି ବଗିରେ ତାପମାତ୍ରା ୧୯ ଡିଗ୍ରିରୁ ୨୪ ଡିଗ୍ରିକୁ ବୃଦ୍ଧି କରାଯିବା ଖବର ସମ୍ପର୍କରେ ସେ କୁହନ୍ତି ଏ ନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ । ଏହା କେତେଦୂର କାର୍ଯ୍ୟକ୍ଷମ ହୋଇପାରିବ ତାହାକୁ ଦେଖାଯାଉଛି ବୋଲି ସେ କହିଛନ୍ତି ।