ଓଡିଶାରେ ରେଳବାଇର ବିକାଶ ପାଇଁ ୬ ହଜାର ୫ଶହ କୋଟିର ଦାବି ରଖିଲା ଓଡିଶା : କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

64

କନକ ବ୍ୟୁରୋ :  ସାଧାରଣ ବଜେଟରେ ରେଳବାଇ ଆବଂଟନ ପାଇଁ ଦାବି ଉପସ୍ଥାପନ କଲା ଓଡିଶା । ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଚିଠି ଲେଖି ୨୦୧୮-୧୯ ଆର୍ôଥକ ବର୍ଷରେ ରାଜ୍ୟ ପାଇଁ ୬ ହଜାର ୫ଶହ କୋଟି ଟଙ୍କା ମଂଜୁର କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧା ରୋଡ-ବଲାଙ୍ଗୀର, ତାଳଚେର-ବିମଳାଗଡ, ଜୟପୁର-ନବରଙ୍ଗପୁର ଓ ଜୟପୁର-ମାଲକାନଗିରି ରେଳପ୍ରକଳ୍ପକୁ ଅଗ୍ରାଧିକାର ଦେବା ପାଇଁ ଦାବି ପତ୍ର ଦେଇଛନ୍ତି ନବୀନ । ପାଇବ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତିି ଉପଲକ୍ଷେ ଖୋର୍ଦ୍ଧା-ମୁମ୍ବାଇ ମଧ୍ୟରେ ବକ୍ସି ଜଗବନ୍ଧୁ ଏକ୍ସପ୍ରେସ ଚଳାଇବାକୁ ପ୍ରସ୍ତାବ ଦିଆଯାଇଛି ।

ଶିଳ୍ପାଂଚଳର ସୁବିଧା ଲାଗି ତାଳଚେର – ଅନୁଗୁଳ ଭାୟା ଏଫସିଆଇ, ପାରାଦୀପ-ଧାମରା, ଚମ୍ପୁଆ-ଆନନ୍ଦପୁର-ଯାଜପୁର ଓ ବରସୁଆଁ-ବଂଶପାଳ ଓ ବଡବିଲ ପ୍ରସ୍ତାବିତ ରେଳ ପ୍ରକଳ୍ପ ପାଇଁ ବି ପର୍ଯ୍ୟାପ୍ତ ଅର୍ଥ ମଞ୍ଜୁର କରିବାକୁ ଦାବି କରାଯାଇଛି । ବ୍ରହ୍ମପୁର-ଫୁଲବାଣୀ-ସମ୍ବଲପୁର, ବରଗଡ-ନୂଆପଡା ଭାୟା ପଦ୍ମପୁର, ଭଦ୍ରାଚଳମ –ମାଲକାନଗିରି, ତାଳଚେର-ଗୋପାଳପୁର ଏବଂ ଲାଞ୍ଜିଗଡ-ତାଳଚେର ରେଳ ଲାଇନ ଉପରେ ଅଧିକ ଫୋକସ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ପୁରୀ-କୋଣାର୍କକୁ ଯୋଡିବା ଲାଗି ନିର୍ମାଣ ଖର୍ଚର ୫୦ ପ୍ରତିଶତ ଖର୍ଚ ବହନ କରିବାକୁ ପ୍ରସ୍ତାବ ଦିଆଯାଇଛି । ସେହିଭଳି ଗଞ୍ଜାମର ଶୀତଳାପଲ୍ଲୀ ୱାଗନ କାରଖାନା ପାଇଁ ଅର୍ଥ ମଞ୍ଜୁର କରିବାକୁ ବି ଦାବି ହୋଇଛି ।

ପୁଣି ଥରେ ଓଡ଼ିଶାକୁ ପାତରଅନ୍ତର କରାଯାଉଥିବା ଅଭିଯୋଗ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶା ୧୫ ହଜାର କୋଟିରୁ ଅଧିକ ରାଜସ୍ୱ ଦେଉଥିବା ବେଳେ ଅନୁରୂପ ଭାବେ ରାଜ୍ୟରେ ରେଳବାଇ ବିକାଶ ହେଉନାହିଁ । ରାଜ୍ୟ ସରକାରଙ୍କ ଅଭିଯୋଗ, ରେଳ ଡେନସିଟିର ଜାତୀୟ ହାର ଠାରୁ ଓଡ଼ିଶା ପଛରେ ପଡିଛି । ଏପରିକି ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ରେଳ ଡେନସିଟି ଓଡ଼ିଶାଠାରୁ ଅଢେଇ ଗୁଣରୁ ଅଧିକ ।

ଆସନ୍ତୁ ନଜର ପକାଇବା ଗତ ପାଂଚ ବର୍ଷରେ କେତେ ପାଇଛି ଓଡ଼ିଶା-
୨୦୧୩-୧୪ ଆର୍ଥିକ ବର୍ଷରେ ରାଜ୍ୟକୁ ମିଳିଥିଲା ୮୬୯ କୋଟି ଟଙ୍କା । ୨୦୧୪-୧୫ରେ ୧୪୨୦ କୋଟି, ୨୦୧୫-୧୬ରେ ୩୪୦୦ କୋଟି, ୨୦୧୬-୧୭ରେ ୪୬୮୨ କୋଟି ଟଙ୍କା ପାଇଥିଲା ଓଡ଼ିଶା । ସେହିପରି ୨୦୧୭-୧୮ ଆର୍ଥିକ ବର୍ଷରେ ଓଡ଼ିଶା ପାଇଥିଲା ୫୧୦୨ କୋଟି ଟଙ୍କା ।