ରାୟଗଡାର କାଣିପାଇ ଗାଁରେ ଅଭାବନୀୟ ଘଟଣା ! ପ୍ରେମିକାଙ୍କୁ ଛୁରାମାଡ ପରେ ପ୍ରେମିକର ବିଷପାନ

45

କନକ ବ୍ୟୁରୋ : ପ୍ରେମିକାଙ୍କୁ ଛୁରା ମାଡ ପରେ ପ୍ରେମିକର ବିଷପାନ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ କାଣିପାଇ ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ପ୍ରେମ ନିବେଦନ ସହ ବିବାହ ପ୍ରସ୍ତାବକୁ ସ୍ୱୀକାର ନକରିବାରୁ ପ୍ରେମିକାକୁ ଛୁରା ମାରିବା ପରେ ନିଜେ ବିଷ ପିଇଦେଇଛି ଅଭିଯୁକ୍ତ କୁରୁମା ପାସ୍କା । ଘଟଣା ପଛରେ ତ୍ରିକୋଣୀୟ ପ୍ରେମ କାହାଣୀ ରହିଥିବା ଜଣାପଡିଛି । ରିପୋର୍ଟ ଅନୁଯାୟୀ ବଳଦିଆ ଗାଁର କୁରୁମା କାଣିପାଇ ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ବର୍ଷେ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା ।

ତେବେ ତାଙ୍କ ପ୍ରେମିକା କିଛି ଦିନ ହେବ ଆଉ ଜଣେ ଯୁବକ ସହ ବୁଲୁଥିବା ଦେଖି ସହି ପାରିନଥିଲେ କୁରୁମା । ତେଣୁ ପ୍ରେମିକାଙ୍କ ଘରକୁ ଯାଇ ଆଉଥରେ ପ୍ରେମ ନିବେଦନ କରିବା ସହ ବିବାହ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଯୁବତୀ ଜଣକ ରୋକଠୋକ୍ ମନା କରିଦେବାରୁ କୁରୁମା ତାଙ୍କୁ ଛୁରୀ ଭୁଷି ଦେଇଥିଲେ । ଆଉ ସାଙ୍ଗରେ ନେଇଥିବା କୀଟନାଶକ ପିଇ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଉଭୟଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ଅଭିଯୁକ୍ତ କୁରୁମାକୁ ଗିରଫ କରି ତଦନ୍ତ ଚଳାଇଛି ପୋଲିସ ।