ଡ୍ରୋନ୍ ତିଆରି କଲେ ରାୟଗଡ଼ାର ଚାଷୀ ପି.ବାବୁ ରାଓ ! ମାତ୍ର ୭ ମିନିଟରେ ଏକ ଏକର ଜମିରେ ବୁଣିବ ସାର ଓ ବିହନ

287

କନକ ବ୍ୟୁରୋ : ଚାଷୀମାନେ ଦେଶର ମେରୁଦଣ୍ଡ ସଦୃଶ । ଦେଶର ପ୍ରଗତିର ପ୍ରକୃତ ଧାରକ କହିଲେ ଅତ୍ୟୁକ୍ତି ହେବନାହିଁ । ହାଡ଼ଭଙ୍ଗା ପରିଶ୍ରମ କରି ସମସ୍ତ ଦେଶବାସୀଙ୍କୁ ଦାନା ଯୋଗାନ୍ତି, ହେଲେ ତାଙ୍କ ପେଟ କିନ୍ତୁ ଅପୋଷା ରହେ । ପରିଶ୍ରମ ଅଧିକ ହେଉଛି ଫଳ କିନ୍ତୁ ଖୁବ କମ ମିଳୁଛି । ଉଚିତ୍ ମୂଲ୍ୟ ନମିଳିବା ଯୋଗୁଁ ନିଜ ଘର ଚଳାଇବା ପାଇଁ ତାଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି । ଚାଷ ପାଇଁ କୃଷକମାନେ ବ୍ୟାଙ୍କ ହେଉ କିମ୍ବା ମହାଜନଙ୍କ ଠାରୁ ଋଣ ଆଣୁଛନ୍ତି । ଅଦିନିଆ ବୃଷ୍ଟି, ରୋଗପୋକ ଲାଗି କୃଷକ ମାନଙ୍କୁ ଉଚିତ ମୂଲ୍ୟ ମିଳିପାରୁ ନାହିଁ । ଶେଷର ଅନ୍ୟଉପାୟ ନପାଇ ଆତ୍ମହତ୍ୟାର ବାଟ ବାଛିନେଉଛନ୍ତି କୃଷକ ।

ତେବେ ରାୟଗଡ଼ାର ଜଣେ କୃଷକ କାହା ଉପରେ ନିର୍ଭର ନକରି ନିଜ ଚେଷ୍ଟାରେ ତିଆରି କରିଛନ୍ତି ଏକ ଡ୍ରୋନ୍ । ନିଜସ୍ୱ ଜ୍ଞାନକୌଶଳରେ ଏକ ଡ୍ରୋନ୍ ତିଆରି କରିଛନ୍ତି ଚାଷୀ ବାବୁ ରାଧ । ଏହି ଡ୍ରୋନ୍ ଚାଷ କାମ କରିବାରେ ସାହାଯ୍ୟ କରିବା ସହ ମାତ୍ର ୭ ମିନିଟରେ ଗୋଟିଏ ଏକର ଜମିରେ ସାର ଓ ବିହନ ବୁଣିପାରିବ । ୧୨ କେଜି ଓଜନର ଏହି ଡ୍ରୋନ୍ ସାଟେଲାଇଟ୍ ଦ୍ବାରା ପରିଚାଳିତ ହେଉଥିବା ବେଳେ ସର୍ବାଧିକ ୬୦ ଫୁଟ୍ ଉଚ୍ଚରେ ଉଡ଼ିବାର କ୍ଷମତା ରଖିଛି ।

ରାୟଗଡା ଜିଲ୍ଲା ଗୁଡାରୀ ବ୍ଲକ୍ ସନ୍ନ୍ୟାସୀଗୁଡାର ଚାଷୀ ପି. ବାବୁ ରାଓ । ୨୦୧୧ ମସିହାରେ ଗୁଡାରୀ ବିଜ୍ଞାନ କଲେଜରୁ ବିଏ/ବିଇଡି ପାଠ ପଢ଼ା ଶେଷ କରିବା ପରେ ଚାକିରୀ ପାଇଁ ଆବେଦନ କରିଥିଲେ। କିନ୍ତୁ ଚାକିରି ଖୋଜି ଖୋଜି ନିରାଶ ହେବା ପରେ ଚାଷ କ୍ଷେତ୍ରରେ ନିଜକୁ ନିୟୋଜିତ କରିଥିଲେ। ବାବୁ ରାଓଙ୍କ ନିଜର ୪୦ ଏକର ଜମି ଥିବା ବେଳେ ଭାଗ ଚାଷ ବାବଦକୁ ଆଉ ୪୦ ଏକର ମୋଟ ୮୦ ଏକର ଜମିରେ ଧାନ, କପା, କାନ୍ଦୁଲ, ମରିଚ, ବାଇଗଣ ଚାଷ କରୁଛନ୍ତି। ଦିନକୁ ଦିନ ଚାଷ ଜମିରେ କାମ କରିବାକୁ ଶ୍ରମିକ ମିଳିବା କଷ୍ଟକର ହୋଇଥିଲା। ତେରୁ ବାହାର ଦେଶ ଗୁଡ଼ିକରେ ଅତ୍ୟାଧୁନିକ ଯନ୍ତ୍ରପାତି ମାଧ୍ୟମରେ କରାଯାଉଥିବା ଚାଷ ସଂପର୍କରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥିଲେ।

ୟୁ ଟ୍ୟୁବରେ ଅନୁସଂଧାନ କରିବା ପରେ ଡ୍ରୋନ୍ ନିର୍ମାଣ ଶୈଳୀକୁ ଅନୁସରଣ କରି ଡ୍ରୋନ୍ ତିଆରିରେ ଲାଗି ପଡିଥିଲେ ବାବୁ ରାଓ । ୨୦୧୭ ମେ ମାସରୁ ଆରମ୍ଭ ହୋଇଥିବା ଉଦ୍ୟମର ସଫଳତା ବାବୁଙ୍କ ମିଳିଥିଲା ୨୦୧୮ ଅକ୍ଟୋବର ମାସରେ । ଡ୍ରୋନ୍ ନିର୍ମାଣ ପାଇଁ ଆବଶ୍ୟକ ଯନ୍ତ୍ରପାତି ଭାରତରେ ମିଳୁନଥିବା ବେଳେ ଚୀନ୍ ଉପରେ ନିର୍ଭର କରିବାକୁ ପଡିଥିଲା । ଚୀନରୁ ଏହି ସବୁ ସାମଗ୍ରୀ ଆସିବାରେ ଅହେତୁକ ବିଳମ୍ବ ସହ ନିର୍ମାଣ ଜ୍ଞାନ କୌଶଳ ସଂପର୍କରେ ଅଧିକ ଜାଣିବା ପାଇଁ ବାହାର ରାଜ୍ୟରେ ଅନୁଷ୍ଠିତ କୃଷି ବିଜ୍ଞାନ ସଂପର୍କିତ ମେଳା ପରିଦର୍ଶନରେ ମଧ୍ୟ ଯାଇଛନ୍ତି ବାବୁ ରାଓ । ଜାତୀୟ ଓ ଅନ୍ତର୍ଜାତୀୟ ବୈଜ୍ଞାନିକଙ୍କ ସହ ଆଲୋଚନା ପରେ ପାଖାପାଖି ଦୁଇ ବର୍ଷର ଅକ୍ଳାନ୍ତ ପରିଶ୍ରମ ଓ ୫ଲକ୍ଷ ଟଂକା ବ୍ୟୟରେ ଶେଷରେ ଡ୍ରୋନ୍ ତିଆରି କରିବାର ସଫଳତା ବାବୁ ରାଓଙ୍କୁ ମିଳିଥିଲା  ।

ଡ୍ରୋନ୍ ତିଆରି ପରେ ବାବୁ ରାଓ ୪୦ ଏକର ଜମିରେ ଧାନ, ବିହନ ବୁଣି ଏହାର ପରୀକ୍ଷଣ ମଧ୍ୟ କରିସାରିଛନ୍ତି । କୃଷି କ୍ଷେତ୍ରରେ ରୁଚି ରଖିଥିବା ବାବୁ ରାଓଙ୍କ ଏହି ଉଦ୍ଭାବନକୁ ଜିଲ୍ଲା ପ୍ରଶାସନ ତାରିଫ୍ କରିବା ସହ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ପାଇଁ ସୁପାରିଶ୍ କରିଛି । ସେହିପରି ଭାରତ ସରକାରଙ୍କ ନ୍ୟାସନାଲ୍ ଇନୋଭେସନ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ (ଏନ୍ଆଇଏଫ୍) କର୍ତୃପକ୍ଷ ଆଜି ରାୟଗଡାରେ ଡ୍ରୋନର ନିରୀକ୍ଷଣ କରିଛନ୍ତି।