ସାବଧାନ ! ଡବା ଅସଲି ତେଲ ନକଲି, ଆପଣ ଖାଉଥିବା ତେଲ ନକଲି ନୁହେଁ ତ ?

82

କନକ ବ୍ୟୁରୋ : ଘରକୁ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ରୋଷେଇ ସାମଗ୍ରୀ ଆଣୁଥିବା ବେଳେ ଟିକେ ସାବଧାନ ରୁହନ୍ତୁ । ଆପଣଙ୍କ ଆଖିକୁ ଅସଲି ଲାଗୁଥିବା ଡବା ଭିତରେ ଥାଇପାରେ ନକଲି ସାମଗ୍ରୀ । ଅର୍ଥାତ୍ ଡବା ଅସଲି ଜିନିଷ ନକଲି । ନାମୀଦାମୀ ବ୍ରାଣ୍ଡର ଜାର ଭିତରେ ନକଲି ତଥା ଅପମିଶ୍ରଣ ଜିନିଷ ଭର୍ତି କରି ବଜାରରେ ବେଧଡକ ଚାଲିଛି ବିକ୍ରି । କଟକରେ ଏଭଳି ଏକ ନକଲି ତେଲ ଫ୍ୟାକ୍ଟ୍ରିରେ ଆଜି ରେଡ୍ କରିଛି ପୋଲିସ ।

ନାମିଦାମୀ ବ୍ରାଣ୍ଡର ଖାଇବା ତେଲ । ଡବା ଉପରେ କମ୍ପାନୀର ଲଗୋ । ଆଖିକୁ ଅବିକଳ ଅସଲ ଲାଗୁଥିବା କମ୍ପାନୀ ଡବାରେ କିନ୍ତୁ ରହିଛି ନକଲି ଖାଇବା ତେଲ । ଅପମିଶ୍ରିତ ତେଲ । ବଜାରରୁ ଶସ୍ତା ଭେଜାଲ ତେଲ କିଣି ଭର୍ତି କରାଯାଉଛି ଅସଲି ଡବାରେ । କଟକରେ ଏଭଳି ଏକ ଅପମିଶ୍ରଣ ତେଲ ଫ୍ୟାକ୍ଟ୍ରି ଉପରେ ରେଡ୍ କରିଛି କମିଶନରେଟ୍ ପୋଲିସ ।

ଡବା ଅସଲି ତେଲ ନକଲି । ସାହି ଗଳିରେ ବେଧଡକ ଚାଲିଛି ଅପମିଶ୍ରଣ ତେଲର କାରବାର । ପ୍ରଥମେ ଅଳ୍ପ କିଛି ଅସଲି ତେଲ କିଣାଯାଏ । ପରେ ସେଥିରୁ ପ୍ରାୟ ଅଧା ତେଲ ବାହାର କରି ଭିତରେ ପୁରାଯାଇଥାଏ ବଜାରରେ ମିଳୁଥିବା ଶସ୍ତା ତେଲ । ପରେ ପ୍ୟାକିଂ କରି ବଜାରକୁ ପଠାଯାଏ ବିକ୍ରି ପାଇଁ । ଡବାର ଲଗୋ ଏବଂ ବ୍ରାଣ୍ଡକୁ ଦେଖିଲେ ଏଥିରେ ନକଲି ତେଲ ଥିବା ଅନୁମାନ କରିପାରିବେନି ଗ୍ରାହକ ।

ତେବେ ଏଭଳି କ୍ଷେତ୍ରରେ ଅପମିଶ୍ରଣକାରୀଙ୍କ ଦୋଷ ଯେତିକି ତାଠୁ ଅଧିକ ଦୋଷୀ ସେମାନେ, ଯେଉଁମାନେ ଜାଣି ଶୁଣି ଅଧିକ ଲାଭ ଆଶାରେ ନିମ୍ନ ମାନର ଜିନିଷ କିଣି ସାଧାରଣ ଖାଉଟୀକୁ ବିକ୍ରି କରୁଛନ୍ତି । ଆଉ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ।