ରେଡ୍ ପଛର ରହସ୍ୟ ! କାହା ନିର୍ଦ୍ଦେଶରେ ରାଜ୍ୟର ପେଟ୍ରୋଲ୍ ପମ୍ପରେ ହେଲା ଚଢାଉ

34

କନକ ବ୍ୟୁରୋ : ରାଜ୍ୟର ପେଟ୍ରୋଲ ପମ୍ପ ଗୁଡିକରେ ଚାଲିଛି ଚଢାଉ । ମଙ୍ଗଳବାର ରାଜଧାନୀର ୧୬ଟି ସ୍ଥାନରେ ରେଡ୍ ମାରିଛି ଯୋଗାଣ ବିଭାଗ । କାହା ନିର୍ଦ୍ଦେଶରେ ରାଜ୍ୟର ପେଟ୍ରୋଲ ପମ୍ପରେ ହେଲା ରେଡ୍ । ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ନା କେନ୍ଦ୍ରରୁ ଆସିଥିଲା ନିର୍ଦ୍ଦେଶ । କୁହାଯାଉଛି, ୟୁପି ଢାଂଚାରେ ଓଡିଶାରେ ରେଡ୍ ହେଲା । ପେଟ୍ରୋଲ ପମ୍ପରେ ଇଲେକ୍ଟ୍ରୋନିକ୍ ଚିପ୍ ଦ୍ୱାରା ତେଲ ଚୋରି ନେଇ ଉତର ପ୍ରଦେଶରେ ଅଭିଯୋଗ ହେଲା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରେଡ୍ ପାଇଁ ନିର୍ଦ୍ଦେଶ ଦେଲେ ।

ସମାନ ଭାବେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଓଡିଶାରେ ଯାଂଚ ପାଇଁ ନିର୍ଦ୍ଦେଶ ଦେଇଥିବା କହୁଛନ୍ତି । ହେଲେ ଏବେ ଆଇଓସିଏଲ୍ ଏହାର ପୋଲ୍ ଖୋଲିଛି । ଆଇଓସିଏଲ୍ କର୍ତୃପକ୍ଷ କହୁଛନ୍ତି ରାଜ୍ୟର ପେଟ୍ରୋଲ ପମ୍ପ ଗୁଡିକରେ ତେଲ ଚୋରିର ଯାଂଚ କରିବାକୁ ଗତ ୨ ତାରିଖରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ରରୁ ଚିଠି ଆସିଥିଲା ।

ନିର୍ଦେଶ ଥିଲା, ଗ୍ରାହକଙ୍କୁ ସଠିକ୍ ଏବଂ ଉନ୍ନତ ପରିମାଣର ତେଲ ମିଳୁଛି କି ନାହିଁ ତାର ତଦାରଖ କର । କେନ୍ଦ୍ରରୁ ଚିଠି ମିଳିବା ପରେ ଗତ ୩ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପେଟ୍ରୋଲ ପମ୍ପରେ ଆରମ୍ଭ ହୋଇଛି ଯାଂଚ । ରାଜଧାନୀର ୧୬ଟି ପମ୍ପରେ ମଙ୍ଗଳବାର ୪ ଟି ଟିମ୍ ଚଢାଉ କରିଛନ୍ତି । ହେଲେ ମନ୍ତ୍ରୀ କହୁଛନ୍ତି ଦୁଇ ଦିନ ତଳେ ସେ ନାସନାଲ ମିଡିଆରୁ ଖବର ପାଇ ରାଜ୍ୟରେ ଚଢାଉ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ନବୀନଙ୍କ ନବକଳେବରରେ ସ୍ଥାନ ପାଇ ଖାଦ୍ୟ ଓ ଯୋଗାଣ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିବା ସୂର୍ଯ୍ୟନାରାୟଣ ପାତ୍ର ହଠାତ୍ ଆକ୍ସନ ମୋଡକୁ ଆସିଯାଇଥିଲେ । ହେଲେ ପୋଲ୍ ଖୋଲିଦେଲା ଆଇଓସିଏଲ ।