ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାର ତତ୍ପର : ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ

33

କନକ ବ୍ୟୁରୋ : ରାଜ୍ୟରେ ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାର ତତ୍ପର ହୋଇଛନ୍ତି । ପିଆଜ ଦରକୁ ନିୟନ୍ତ୍ରଣ କରିବା ଲାଗି ବିଭିନ୍ନ ସ୍ଥାନରେ ରେଡ୍ କରିଛି ଯୋଗାଣ ବିଭାଗ । ହୋଲସେଲରମାନଙ୍କୁ ଦର ନିୟନ୍ତ୍ରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦରକୁ ୧୬ରୁ ୧୭ ଟଙ୍କା ମଧ୍ୟରେ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । କିଛି ଦିନ ମଧ୍ୟରେ ରାଜ୍ୟରେ ଦର ବେକାବୁ ହୋଇଛି । ଏହାକୁ ନେଇ ଖାଉଟି ଚିନ୍ତାରେ ଅଛନ୍ତି ।

ରାଜ୍ୟରେ ନବୀନ ସରକାରଙ୍କ ଚତୁର୍ଥ ପାଳିର ୩ବର୍ଷ ପୂରିଥିବାବେଳେ କୃଷି ଓ ସମବାୟ ବିଭାଗର ଚେହେରା ବଦଳିସାରିଛି । ହେଲେ ଚାଷୀଙ୍କ ସ୍ଥିତିରେ କୌଣସି ପରିବର୍ତ୍ତନ ହେଉନାହିଁ । ପିଆଜ ସଂରକ୍ଷଣ ପାଇଁ ସରକାର ପିଆଜ ସାଇତା ଗୃହ କରିଥିଲେ । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏଗୁଡିକ ଆଉ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ । ଉତ୍ପାଦନକୁ ସାଇତିବା ପାଇଁ ସୁବିଧା ନଥିବାରୁ ଯାହା ମିଳିଲା ସେହି ଦରରେ ଲାଭଖୋର ବ୍ୟବସାୟୀଙ୍କୁ ବିକ୍ରି କରିଦେବାକୁ ବାଧ୍ୟ ହେଉଛନ୍ତି ପିଆଜ ଚାଷୀ ।

ପ୍ରଥମତଃ ଚାଷୀଙ୍କ ଉତ୍ପାଦନକୁ ସାଇତି ରଖିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇ ନାହିଁ । ଦ୍ୱିତୀୟରେ ବାହାର ଦଲାଲଙ୍କ ଶୋଷଣର ଚାଷୀ କିଭଳି ଶିକାର ନହେବେ ସେନେଇ ମଧ୍ୟ କୌଣସି ପଦକ୍ଷେପ ନାହିଁ । ଫଳରେ ଆବଶ୍ୟକ ହେଉଥିବା ପିଆଜର ପ୍ରାୟ ଅଢେଇଲକ୍ଷ ଟନ୍ କେବଳ ଓଡିଶାରେ ଉତ୍ପାଦନ ହେଉଥିବାବେଳେ ଏହାର ଉପଯୁକ୍ତ ମୂଲ୍ୟ ପାଉ ନାହାନ୍ତି ଚାଷୀ ।

ଉନ୍ନତମାନର ପିଆଜ ଥିବା ସତ୍ୱେ ଏହାର ଅଭାବୀ ବିକ୍ରୀ ବଜାରରେ ଦେଖାଦେଇଛି । ବ୍ୟବସାୟୀଙ୍କ ମତରେ ମଧ୍ୟପ୍ରଦେଶ, ଗୁଜୁରାଟ୍ ଏବଂ ରାଜସ୍ଥାନରେ ପ୍ରବଳ ବର୍ଷା ଓ ବନ୍ୟା କାରଣରୁ ପିଆଜ ନଷ୍ଟ ହୋଇଯାଇଛି । ସେହିପରି କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶରେ ଚାଷୀମାନେ ପିଆଜ ଚାଷ କମାଇ ଦେଇଛନ୍ତି । ଯାହା କାରଣରୁ ବଜାରରେ ପିଆଜର ଅଭାବୀ ଭଳି ସମସ୍ୟା ଉପୁଜିପାରେ ।

ଦେଶରେ ଚଳିତ ବର୍ଷ ୨୧୫.୬ ଲକ୍ଷ ଟନ୍ ପିଆଜ ଅମଳ କରାଯାଇଥିବା ଅନୁମାନ କରାଯାଇଛି ,ଯେବେକି ଗତବର୍ଷ ୨୦୯.୩ ଲକ୍ଷ ଟନ ପିଆଜ ଅମଳ ହୋଇଥିଲା । ଯାହାର ଅର୍ଥ ହେଲା ଗତବର୍ଷଠାରୁ ଅଧିକ ପିଆଜ ଅମଳ ହୋଇଥିବା ସତ୍ୱେ ଏହାର ଦର ବୃଦ୍ଧି ପାଇବାରେ ଲାଗିଛି ।