ରାହୁଲଙ୍କୁ ରାମ ଭକ୍ତ ଭାବେ ଚିତ୍ରଣ କଲା କଂଗ୍ରେସ, ଚିତ୍ରକୂଟ ପର୍ବତରେ ମନ୍ଦିର ଦର୍ଶନରୁ ଆରମ୍ଭ ହେଲା କ୍ୟାମ୍ପେନ ।

24

କନକ ବ୍ୟୁରୋ : ଚର୍ଚ୍ଚାରେ ରାହୁଲ ଗାନ୍ଧୀଙ୍କ ଭକ୍ତ ଅବତାର୍ । ଗୁଜରାଟ ଓ କର୍ଣ୍ଣାଟକ ପରେ ଏବେ ମଧ୍ୟପ୍ରଦେଶରେ କଂଗ୍ରେସ ମନ୍ଦିର ରାଜନୀତିକୁ ଆପଣାଇବା ପାଇଁ ଚିନ୍ତା କରୁଥିବା କୁହାଯାଉଛି । ନିର୍ବାଚନକୁ ଦୃଷ୍ଟିରେ ରଖି ରାହୁଲଙ୍କୁ ଜଣେ ରାମଭକ୍ତ, ଶିବଭକ୍ତ ଓ ନର୍ମଦାଭକ୍ତର ରୂପ ଦେବାକୁ କଂଗ୍ରେସ ଚେଷ୍ଟା କରିବା କୁହାଯାଉଛି । ସେପଟେ ରାହୁଲଙ୍କ ଏହି ଅବତାର୍ ବିଜେପିକୁ ବ୍ୟଙ୍ଗର ଖୋରାକ୍ ଯୋଗାଇଛି ।

ଗତ ଦେଢ଼ ଦଶନ୍ଧି ଧରି ମଧ୍ୟପ୍ରଦେଶରେ କ୍ଷମତାଠୁ ଦୁରେଇ ରହିଥିବା କଂଗ୍ରେସ ଫେରିବାକୁ ବିଭିନ୍ନ ପ୍ରକାର ଉଦ୍ୟମ କରୁଛି । ୨୦୦୩ରେ ଦିଗବିଜୟ ସିଂଙ୍କ ସମୟରେ ହିନ୍ଦୁତ୍ୱକୁ ବିରୋଧ କରୁଥିବା କଂଗ୍ରେସ ୨୦୧୮ରେ ସେହି ହିନ୍ଦୁତ୍ୱ ରଥରେ ସବାର୍ ହୋଇ ଗାଦି ଦଖଲର ଆଶା ବାନ୍ଧିଛି । ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଶିବଭକ୍ତ, ରାମଭକ୍ତ ଓ ନର୍ମଦାଭକ୍ତ ଭାବେ ଭୋଟରଙ୍କ ସାମ୍ନାରେ ଉପସ୍ଥାପିତ କରି ଦଳ କ୍ଷମତା ଦଖଲ ସ୍ୱପ୍ନ ଦେଖୁଥିବା ବେଳେ ବିଜେପିକୁ ତାରି ଗଡ଼ରେ ଘେରିଛନ୍ତି ରାହୁଲ ଗାନ୍ଧୀ ।

ଦେଖିବା କେତେ ବଦଳିଛି କଂଗ୍ରେସର ଆଭିମୁଖ୍ୟ ?
– କୈଳାଶ ମାନସରୋବର ଯାତ୍ରା ପରେ କଂଗ୍ରେସ ରାହୁଲଙ୍କୁ ଶିବଭକ୍ତ ଭାବେ ଉପସ୍ଥାପିତ କରିଛି ।
–  ଚିତ୍ରକୂଟ ଯାତ୍ରା ପରେ ରାହୁଲଙ୍କୁ ରାମଭକ୍ତ ଭାବେ ଉପସ୍ଥାପିତ କରାଯାଇଛି ।
–  ଜବଲପୁରରେ ରାହୁଲଙ୍କୁ ମା’ ନର୍ମଦାଙ୍କ ଭକ୍ତ ଭାବେ ଦଳ ଉପସ୍ଥାପିତ କରିଛି ।
–  ପୂର୍ବରୁ ଚୁପ ରହୁଥିବା ଦଳ ଗୋ-ସରଂକ୍ଷଣ ଉପରେ ଚିନ୍ତା କରିବା ଆରମ୍ଭ କରିଛି ।
–  ପୋଷ୍ଟରରେ ରାହୁଲଙ୍କୁ ହିନ୍ଦୁ ପଣ୍ଡିତ ଭାବେ ଦଳ ଦର୍ଶାଇବା ଆରମ୍ଭ କରିଛି ।

ନୂଆ ରଣନୀତି ସହ ମଇଦାନକୁ ଓହ୍ଲାଇଛି କଂଗ୍ରେସ, ଅନ୍ୟପଟେ ନିଜ ହିନ୍ଦୁବିରୋଧୀ ଓ ସଂଖ୍ୟାଲଘୁ ସପକ୍ଷବାଦୀ ଛବି ସୁଧାରିବାକୁ କଂଗ୍ରେସ ଓ ରାହୁଲ ଉଦ୍ୟମ କରୁଥିବା ଆରୋପ ଲଗାଇଛି ବିଜେପି ।ଗୁଜରାଟ ଓ କର୍ଣ୍ଣାଟକ ନିର୍ବାଚନରେ ବିଜେପିର କଠୋର ହିନ୍ଦୁବାଦକୁ ଚାଲେଂଜ୍ ଦେଇ ସମାନ୍ ଭାଷାରେ ଜବାବ୍ ଦେବାକୁ ରାହୁଲ ଯାନ୍ତି ମନ୍ଦିର । ଆଉ ରାହୁଲଙ୍କ ଏହି ମନ୍ଦିର କାର୍ଡ ଦଳକୁ ଲାଭବାନ୍ କରେ । ସମାନ୍ ମନ୍ଦିର ରଣନୀତି ଏବେ ମଧ୍ୟପ୍ରଦେଶରେ ବି ଆପଣାଇବାକୁ ଯାଉଛି କଂଗ୍ରେସ ।