ଦେଶରୁ କେମିତି ଫେରାର ହେଲେ ଫ୍ରଡମାଷ୍ଟର ବିଜୟ ମାଲ୍ୟା ! ସିବିଆଇ ଆଡକୁ ରାହୁଲଙ୍କ ଇସାରା, କହିଲେ ଫେରାର ହେବାରେ ସହଯୋଗ କରିଥିଲା ସିବିଆଇ ।

28

କନକ ବ୍ୟୁରୋ : ଫ୍ରଡ ମାଷ୍ଟର ବିଜୟ ମାଲ୍ୟା ଦେଶରୁ ଫେରାର ହେବା ଘଟଣାରେ ବିଜେପି ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ରାହୁଲ ସିଧା ସିଧା ସିବିଆଇକୁ ଟାର୍ଗେଟ କରିଛନ୍ତି । ୨୦୧୬ ମସିହାରେ ବିଜୟ ମାଲ୍ୟା ଦେଶରୁ ଫେରାର ହେବାରେ ସିବିଆଇ ସହାୟତା ଯୋଗାଇଥିବା ରାହୁଲ ଅଭିଯୋଗ ଆଣିଛନ୍ତି । ସେପଟେ ୨୦୧୫ ମସିହାରେ ବିଜୟ ମାଲ୍ୟାଙ୍କ ବିରୋଧରେ ଲୁକଆଉଟ୍ ସର୍କୁଲାରରେ ହୋଇଥିବା ପରିବର୍ତନକୁ ଏକ ବିଚାରଗତ ତ୍ରୁଟି ବୋଲି  କହିଛି ସିବିଆଇ । ସେହି ସମୟରେ ମାଲ୍ୟା ଜଣେ ସାଂସଦ ଥିଲେ ଏବଂ ତାଙ୍କୁ ଗିରଫ କରିବା ପାଇଁ କୌଣସି ୱାରେଂଟ ନଥିଲା ।  । ଏହାର ସୁଯୋଗ ନେଇ ବିଜୟ ମାଲ୍ୟା ଦେଶ ବାହାରକୁ ଚାଲିଯାଇଥିଲେ ।

ତେବେ କିଏ, କାହିଁକି ଓ କାହା ଚାପରେ ଏହି ନୋଟିସକୁ ପରିବର୍ତନ କରିଥିଲେ ବୋଲି ପ୍ରଶ୍ନ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏହାକୁ ନେଇ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଓ ପ୍ରଧାନମନ୍ତ୍ରୀଙ୍କଠାରୁ ଜବାବ ମାଗିଥିଲେ ରାହୁଲ । ସମାନ ପ୍ରସଙ୍ଗରେ ପ୍ରଶ୍ନ ଉଠାଇଥିଲେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ । କିଏ ନୋଟିସକୁ ପରିବର୍ତନ କରିଥିଲେ ସେ ନେଇ ତଦନ୍ତ କରାଯିବା ଆବଶ୍ୟକ ବୋଲି କହିଥିଲେ ସ୍ୱାମୀ । ସେପଟେ ଜେଟଲୀ-ମାଲ୍ୟା କଥା ହୋଇଥିବାର ଦୃଶ୍ୟକୁ କଂଗ୍ରେସ ନେତା ପିଏଲ୍ ପୁନିଆ ଦେଖିଥିବା ନେଇ କହିବା ପରେ ବିଜେପି ଏହାକୁ ପ୍ରତ୍ୟାଖାନ କରିଛି । ୧ ମାର୍ଚ୍ଚରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସଂସଦର ସେଂଟ୍ରାଲ ହଲକୁ ଯାଇନଥିଲେ ବୋଲି ଦାବି କରିଛି ବିଜେପି । ଯାହାକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି ।