କଂଗ୍ରେସ ଯୁବରାଜଙ୍କ ଶୋଲେ ଅନ୍ଦାଜ ! ‘ୟେ କମାଇ ମୁଝେ ଦେ ଦୋ’

37

କନକ ବ୍ୟୁରୋ : ମୋଦି ସରକାରଙ୍କ ଜିଏସଟି ବନାମ କଂଗ୍ରେସର ଜିଏସଟି । ଜିଏସଟିକୁ ନେଇ ଆଜି ପୁଣି ମୁହଁ ଖୋଲିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି । କହିଛନ୍ତି, ମୋଦିଜୀଙ୍କ ଜିଏସଟି ହେଉଛି ଗବର ସିଂ ଟ୍ୟାକ୍ସ , ଆପଣଙ୍କ ରୋଜଗାର ମତେ ଦେଇଦିଅ । ଲୋକଙ୍କ କଷ୍ଟ ଉପାର୍ଜିତ ଆୟକୁ ଲୁଟିବା ଉଦ୍ଦେଶ୍ୟରେ ମୋଦି ସରକାର ଗବର ସିଂ ଟ୍ୟାକ୍ସ ଆଣିଥିବା କହିଛନ୍ତି ରାହୁଲ । ମୋଦି ସରକାରଙ୍କ ଜିଏସଟି ସହ ତୁଳନା କରି କଂଗ୍ରେସର ଜିଏସଟି ଅର୍ଥ ବି ବୁଝାଇଛନ୍ତି ରାହୁଲ । କହିଛନ୍ତି, କଂଗ୍ରେସ ଜିଏସଟି ହେଉଛି, ଜେନୁଇନ୍ ସିମ୍ପଲ ଟ୍ୟାକ୍ସ । ଅର୍ଥାତ୍ ଯଥାର୍ଥ ସରଳ ଟ୍ୟାକ୍ସ ।

ଜିଏସଟି ରାଜନୀତିରେ ଗବର ସିଂ । ୭୦ ଦଶକର ବଲିଉଡ୍ ଫିଲ୍ମ ଶୋଲେରେ, ସଂଜୀବ କୁମାରଙ୍କ ଦୁଇ ହାତ ମାଗିଥିଲେ ଗବର ସିଂ । କହିଥିଲେ, ୟେ ହାତ୍ ମୁଝେ ଦେ ଦେ ଠାକୁର । ଏଠାରେ ସେହି ଦୃଶ୍ୟ ସହ ତୁଳନା କରି ରାହୁଲ କହିଛନ୍ତି, ମୋଦିଜୀ ମଧ୍ୟ ଗବର ସିଂ ଟ୍ୟାକ୍ସ ଆଣି , ୟେ କମାଇ ମୁଝେ ଦେ ଦୋ ଅର୍ଥାତ ଆପଣଙ୍କ ଆୟ ମୋତେ ଦେଇଦିଅ ବୋଲି ଭଳି ଲୋକଙ୍କୁ କହୁଛନ୍ତି ।

rahulଜିଏସଟି ହେଉଛି- ଗବର ସିଂ ଟ୍ୟାକ୍ସ । ଗୁଜୁରାଟରେ ଗତକାଲି ମୋଦି ସରକାରଙ୍କୁ ଟାର୍ଗେଟ୍ କରି ଜିଏସ୍ଟିକୁ ଗବର ସିଂ ସହ ତୁଳନା କରିଥିଲେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି । ମୋଦି ସରକାରଙ୍କ ବହୁ ଚର୍ଚ୍ଚିତ ଗୁଡ୍ସ ଆଣ୍ଡ ସର୍ଭିସ ଟ୍ୟାକ୍ସ ରାହୁଲଙ୍କ ପାଇଁ ଗବର ସିଂ ଟ୍ୟାକ୍ସ । ଦେଶରେ ଏକକ ଟ୍ୟାକ୍ସ ଆଣିବା ପରିବର୍ତ୍ତେ ୫ଟି ଟ୍ୟାକ୍ସ ଲାଗୁ କରିଛନ୍ତି ମୋଦି ସରାକର । ଏହାଦ୍ୱାରା ସାଧାରଣ ଲୋକଙ୍କୁ ଲୁଟିବାରେ ଲାଗିଛନ୍ତି ମୋଦି । କିନ୍ତୁ କଂଗ୍ରେସ ସରାକର ସମୟରେ ଏକକ ଟ୍ୟାକ୍ସ ନୀତିକୁ ବିରୋଧ କରିଥିଲା ବିଜେପି । କଂଗ୍ରେସ ପୂରା ଦେଶରେ ଗୋଟିଏ ଟ୍ୟାକ୍ସ ପ୍ରଚଳନ କରିବାକୁ ଚାହୁଁଥିଲା । ଏଥିପାଇଁ ସବୁ ଦ୍ରବ୍ୟ ଉପରେ ୧୮ ପ୍ରତିଶତ ଟ୍ୟାକ୍ସ ନେବାକୁ ସେତେବେଳେ କଂଗ୍ରେସ ସ୍ଥିର କରିଥିଲା ।

ଅନ୍ୟପଟେ ମୋଦି ସରକାରଙ୍କ ୩ ବର୍ଷର ଆର୍ଥିକ ରିପୋର୍ଟ କାର୍ଡ ସମସ୍ତଙ୍କ ସାମ୍ନାରେ ରଖିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲି । କହିଛନ୍ତି, ଦେଶର ଆର୍ଥିକ ଢାଂଚା ଖୁବ ମଜବୁତ । ଯେକୌଣସି ଆହ୍ୱାନର ସାମ୍ନା କରିବାକୁ ଦେଶ ସକ୍ଷମ । ଏକାଧିକ ଅନ୍ତର୍ଜାତୀୟ ସଂଗଠନ ବିକାଶ ଦର କମିବା ପଛରେ ଜିଏସଟି ଓ ନୋଟ୍ବନ୍ଦୀକୁ ଦାୟୀ କରିଥିଲେ ବି ଏହାର ପ୍ରଭାବ ସାମୟିକ ବୋଲି କହିଛନ୍ତି ଜେଟଲୀ । ଜିଏସଟି ଯୋଗୁ ଭ୍ରଷ୍ଟାଚାର କମିଥିବା କହିଛନ୍ତି ଜେଟଲି । ଏଥିସହ ଜେଟଲୀ କହିଛନ୍ତି ଦେଶର ବିକାଶ ହାରକୁ ନେଇ ସେ ସନ୍ତୁଷ୍ଟ ।
ଗତ ୩ ବର୍ଷ ମଧ୍ୟରେ ଜିଡ଼ିପି ୭.୫ ରହିଛି । ଏହି ସମୟ ମଧ୍ୟରେ ବିଦେଶୀ ପୁଂଜି ୪୦୦ ବିଲିୟନ ଡଲାର ରହିଥିବା କହିଛନ୍ତି ଜେଟଲୀ । ଦେଶର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ବିଷୟରେ ଜେଟଲୀ କହିଛନ୍ତି, ନୋଟବନ୍ଦୀ ପରେ ଘରୋଇ ବ୍ୟାଙ୍କଗୁଡ଼ିକର ଋଣ ଦେବା କ୍ଷମତା ବୃଦ୍ଧି ପାଇଛି । ଆଗାମୀ ଦିନରେ ନିଯୁକ୍ତି ସୁଯୋଗ ବଢ଼ାଇବା ଦିଗରେ କେନ୍ଦ୍ର ସରକାର ସ୍ୱତନ୍ତ୍ର ପଦକ୍ଷେପ ନେବେ ବୋଲି କହିଛନ୍ତି ଅରୁଣ ଜେଟଲୀ ।