ନିର୍ବାଚନକୁ ନେଇ ଲଣ୍ଡନରେ ରାହୁଲଙ୍କ ବଡ ବୟାନ : କହିଲେ, ୨୦୧୯ରେ ହେବ ବିଜେପି ଆରଏସଏସ ବନାମ ବିରୋଧୀ ଲଢେଇ

26

କନକ ବ୍ୟୁରୋ : ବିଦେଶ ଗସ୍ତରେ ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦିଙ୍କୁ ପୁଣି ଥରେ ଟାର୍ଗେଟ୍ କରିଛନ୍ତି । ଡୋକଲାମ ପ୍ରସଙ୍ଗକୁ ନେଇ ଏନଡିଏ ସରକାରକୁ କଡ଼ା ସମାଲୋଚନା କରିଛନ୍ତି ରାହୁଲ । ଡୋକଲାମ୍ ବିବାଦ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କେବଳ ଏକ କୂଟନୈତିକ କାର୍ଯ୍ୟକ୍ରମ ଥିଲା ବୋଲି ସେ କହିଛନ୍ତି । ଡୋକଲାମରେ ଏବେ ବି ଚୀନ୍ ସୈନ୍ୟ ଠୁଳ ହୋଇଛନ୍ତି ଏବଂ ଏହି ମାମଲାକୁ ଠିକ୍ ଭାବେ ସମାଧାନ କରାଯାଇ ନାହିଁ ବୋଲି ରାହୁଲ କହିଛନ୍ତି ।

modi and rahul

ଏହାସହ ସେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ରାହୁଲ କହିଛନ୍ତି ଯେ, ବିଦେଶ ମନ୍ତ୍ରାଳୟ ମନମୁଖୀ ଭାବେ କାର୍ଯ୍ୟ କରୁଛି ଏବଂ ବିଦେଶ ମନ୍ତ୍ରୀଙ୍କ ପାଖରେ କିଛି କାମ ନାହିଁ, ତେଣୁ ସେ ଲୋକଙ୍କୁ ଭିସା ଦେବାରେ ବ୍ୟସ୍ତ ବୋଲି ରାହୁଲ ଅଭିଯୋଗ କରିଛନ୍ତି । ଲଣ୍ଡନରେ ଆୟୋଜିତ କାର୍ଯ୍ୟକ୍ରମରେ ମୋଦିଙ୍କୁ ସିଧାସଳଖ ଟାର୍ଗେଟ୍ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସବୁ କ୍ଷମତା ନିଜ ପାଖରେ ରଖିବାକୁ ଚାହୁଁଛନ୍ତି , ତେଣୁ ଦେଶର ବିକାଶ ଦିଗହରା ହୋଇପଡ଼ିଛି ।

ରାହୁଲ କହିଛନ୍ତି ଉଭୟ ବିଜେପି ଓ ଆରଏସଏସ୍ ଦେଶକୁ ବାଂଟିବାକୁ ଚେଷ୍ଟା କରୁଛନ୍ତି,ଏବଂ ଦେଶରେ ଘୃଣାଭାବ ସୃଷ୍ଟି କରୁଛନ୍ତି । ରାହୁଲ କହିଛନ୍ତି ଆରଏସଏସରେ କୌଣସି ମହିଳା ନାହାନ୍ତି ଓ ଆରଏସଏସ ମହିଳାମାନଙ୍କ ସହ ଭେଦଭାବ କରିଥାଏ । ପୂର୍ବରୁ ଜର୍ମାନୀର ବର୍ଲିନରେ ମଧ୍ୟ ମୋଦି ସରକାର ଉପରେ ବର୍ଷିଥିଲେ କଂଗ୍ରେସ ଅଧ୍ୟକ୍ଷ । ଆଜି ଦେଶରେ ନିଯୁକ୍ତି ନାହିଁ ଓ ଚାଷୀ ନିୟମିତ ଭାବେ ଆତ୍ମହତ୍ୟା କରୁଛନ୍ତି ବୋଲି ରାହୁଲ ଅଭିଯୋଗ କରିଥିଲେ ।

ସେପଟେ ରାହୁଲଙ୍କ ଏଭଳି ବୟାନକୁ ନେଇ ବିଜେପି-ଆର୍‌ଏସ୍‌ଏସ୍‌ ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। ରାହୁଲ ଦେଶକୁ ବଦନାମ କରିବା ପାଇଁ ସୁପାରି ନେଇଛନ୍ତି ଏବଂ ବେପରୁଆ ଓ ଅନର୍ଥ ସୃଷ୍ଟିକାରୀ ବୟାନ ଦେଇ ଦେଶର କ୍ଷତି କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ମୁଖ୍‌ତାର ଅବ୍ଦାସ ନକଭୀ କହିଛନ୍ତି । ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଏବେ ଯେଭଳି ଦୟନୀୟ ସ୍ଥିତିର ସମ୍ମୁଖୀନ ହୋଇଛି, ଦେଶରେ ମଧ୍ୟ ସେଭଳି ସ୍ଥିତି ସୃଷ୍ଟି କରିବାକୁ ରାହୁଲ ଚାହୁଁଛନ୍ତି ବୋଲି ଆରଏସଏସ୍ ପକ୍ଷରୁ କୁହାଯାଇଛି ।