ବିଜେପି ଉପରେ ବର୍ଷିଲେ ରାହୁଲ ! କହିଲେ, ଯେଉଁ ୪ ଜଣଙ୍କୁ ମୋଦି ଦେଉଛନ୍ତି ସୁରକ୍ଷା, ତାଙ୍କ ପକେଟରୁ ‘ନ୍ୟାୟ’ ଯୋଜନା ଟଙ୍କା ଆଣିବ କଂଗ୍ରେସ ।

121

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖଉଛି, ପ୍ରଚାର ସେତିକି ବଢିବାରେ ଲାଗିଛି । ଗତ ୫ ବର୍ଷର ସଫଳତାକୁ ନେଇ ବିଜେପି, ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଥିବାବେଳେ, ମୋଦି ସରକାରଙ୍କ ବିଫଳତାକୁ ମୁଦ୍ଦା କରିଛି କଂଗ୍ରେସ । ବୁଧବାର ଆସାମର ବୋକାଖାଟରେ ଆୟୋଜିତ ହୋଇଥିବା ନିର୍ବାଚନ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆଉ ଏହାରି ଭିତରେ ନ୍ୟାୟ ସ୍କିମକୁ ନେଇ ଯେଉଁ ପ୍ରଶ୍ନ ଉଠୁଛି, ତାହାର ଉତ୍ତର ଦେଇଛନ୍ତି ରାହୁଲ ।

କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି, ଏହି ଯୋଜନାରେ ଟଙ୍କା ସେହି ୪ଜଣ ଲୋକଙ୍କ ପକେଟରୁ ଆସିବ, ଯାହାଙ୍କୁ ସୁରକ୍ଷା ଦେଉଛନ୍ତି ମୋଦି । ରାହୁଲଙ୍କ ଏଭଳି ବୟାନ ପରେ ଏବେ ତୀବ୍ର ହୋଇଛି ରାଜନୀତି । ୨୦୧୪ରେ ମୋଦି ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା କେତେ ମାତ୍ରାରେ ପୂରଣ ହୋଇଛି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ଗୋଟିଏ ପଟେ ପ୍ରତିଟି ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ମୋଦିଙ୍କ ସବୁଠୁ ବଡ ଜୁମଲା ଅଟେ । ତେବେ ନିର୍ବାଚନ ପୂର୍ବରୁ ଜନମତ ହାସଲ ପାଇଁ ଭୋଟରଙ୍କୁ ଅନେକ ସ୍ୱପ୍ନ ଦେଖାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ।

୨୦୧୯ ନିର୍ବାଚନ ଯେତିକି ପାଖଉଛି, ରାଜନୀତି ସେତିକି ବଢିବାରେ ଲାଗିଛି । ପ୍ରତିଦିନ ନୂଆ ନୂଆ ରଣନୀତି ସହ ନେତାମାନେ ରାଜନୀତି ମଇଦାନକୁ ଓହ୍ଲାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଆଉ ଏହାରି ଭିତରେ ଜନମତ ହାସଲ ପାଇଁ ଜୋରଦାର କସରତ ଚାଲିଥିବା ବେଳେ, ଆରୋପ ପ୍ରତ୍ୟାରୋପର ରାଜନୀତି ମଧ୍ୟ ବଢିବାରେ ଲାଗିଛି । ନେତାଙ୍କ ବୟାନବାଜି, ଦଳର ସଫଳତାକୁ ବଖାଣୁଥିବା ବେଳେ, ପରସ୍ପରର ବିଫଳତାକୁ କରାଯାଉଛି ନିର୍ବାଚନୀ ମୁଦ୍ଦା । ତେବେ କାହାକୁ ଭରସା କରିବେ ଭୋଟର ଏବଂ ଜନମତ କାହା ସପକ୍ଷରେ ଯିବ, ତା ଉପରେ ରହିଛି ସମସ୍ତଙ୍କ ନଜର ।