ନିର୍ବାଚନୀ ପ୍ରଚାରରେ ବିଜେପି-କଂଗ୍ରେସର ଜୋରଦାର ଟକ୍କର : ଟ୍ୱିଟ୍ କରି ରାହୁଲ କହିଲେ ମହଙ୍ଗା ହ୍ରାସ କର, ନହେଲେ ଗାଦି ଛାଡ

18

କନକ ବ୍ୟୁରୋ : ‘ମହଙ୍ଗା ଗ୍ୟାସ, ମହଙ୍ଗା ରାସନ୍, ଫମ୍ପା ଭାଷଣ ବନ୍ଦ କର! ଦରଦାମ ନିୟନ୍ତ୍ରଣ କର, । ଲୋକଙ୍କୁ ରୋଜଗାର ଦିଅ ନହେଲେ ଗାଦି ଛାଡ଼’ । କିଛି ଏଭଳି ଢଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜ ଟ୍ୱିଟର ପୋଷ୍ଟରେ ଆକ୍ରମଣ କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି । ୧୬ ମାସ ଭିତରେ କେନ୍ଦ୍ର ସରକାର ୧୯ଥର ସବସିଡିଯୁକ୍ତ ରନ୍ଧନ ଗ୍ୟାସ ଦର ବୃଦ୍ଧି କରିଥିବା ରିପୋର୍ଟକୁ ଆଧାର କରି ମୋଦି ଓ ବିଜେପି ସରକାରଙ୍କ ଉପରେ ଏଭଳି ବର୍ଷିଛନ୍ତି ରାହୁଲ ଗାନ୍ଧି । ପ୍ରଥମେ ଗୁଜରାଟ ଓ ପରେ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ରାଲିରେ ମୋଦି ସରକାରଙ୍କ ଉପରେ ଖୁବ କଡା ଟିପ୍ପଣୀ କରିଆସୁଛନ୍ତି ରାହୁଲ ଗାନ୍ଧି । ବିମୁଦ୍ରାକରଣ ଓ ଜିଏସଟିକୁ ଟାର୍ଗେଟ କରି ବାରମ୍ବାର କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତିକୁ କାଠଗଡାରେ ଛିଡା କରାଇଛନ୍ତି କଂଗ୍ରେସର ଯୁବରାଜ ।

ଏପଟେ ଆଗାମୀ ୯ ତାରିଖରେ ଭୋଟ ପଡିବାକୁ ଥିବା ହିମାଚଳ ପ୍ରଦେଶରେ କଂଗ୍ରେସକୁ ତାତ୍ସଲ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି ଏଥର ନିର୍ବାଚନରେ ମଜା ଆସୁନି । ରାହୁଲଙ୍କୁ ଟାର୍ଗେଟ କରି କହିଛନ୍ତି, କଂଗ୍ରେସ ଏଠାରେ ମଇଦାନ ଛାଡି ପଳାଇଛି । ହିମାଚଳରେ ଏଥର ଏକପାଖିଆ ନିର୍ବାଚନ ହେବ ଓ ଲୋକେ କଂଗ୍ରେସକୁ ଉଚିତ ଶିକ୍ଷା ଦେବେ ବୋଲି ସେ ଅତି କଡା ଭାଷାରେ ଆକ୍ଷେପ କରିଛନ୍ତି ।

ଗୁଜରାଟ ଓ ହିମାଚଳ ପ୍ରଦେଶ ଦୁଇ ରାଜ୍ୟରେ ନିର୍ବାଚନ ଯେତିକି ପାଖେଇ ଆସୁଛି ଦୁଇ ଦଳର ସର୍ବୋଚ୍ଚ ନେତାଙ୍କ ଭିତରେ କଥା କଟାକଟି ସେତିକି ରୋଚକ ହେବାରେ ଲାଗିଛି । ଆଉ ଏହାରି ଭିତରେ ବିଧାନସଭା ନିର୍ବାଚନରେ ଦୁଇ ଦଳର ପ୍ରଦର୍ଶନ ଉପରେ ସାରା ଦେଶର ନଜର ରହିଛି । ଯାହା ୨୦୧୯ରେ ସାଧାରଣ ନିର୍ବାଚନ ଉପରେ ଯଥେଷ୍ଟ ପ୍ରଭାବ ପକାଇବ ।