ଦଳିତଙ୍କ ସମର୍ଥନରେ ଦେଶବ୍ୟାପି କଂଗ୍ରେସର ଅନଶନ ଓ ଧାରଣା : ରାହୁଲ ଗାନ୍ଧି ପହଂଚିବା ପୂର୍ବରୁ ବିବାଦ, ଧାରଣାସ୍ଥଳରୁ ଫେରିଗଲେ ସଜ୍ଜନ କୁମାର ଓ ଜଗଦୀଶ୍ ଟାଇଟଲର

32
କନକ ବ୍ୟୁରୋ : ଦଳିତଙ୍କ ସମର୍ଥନରେ କଂଗ୍ରେସର ଆଜି ଦେଶବ୍ୟାପୀ ଅନଶନ ଓ ଧାରଣ ଜାରି ରହିଛି । ଦିଲ୍ଲୀର ରାଜଘାଟରେ ବି ଚାଲିଛି ଅନଶନ ।  ତେବେ ଅନଶନ ସ୍ଥଳରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ପଂହଚିବା ପୂର୍ବରୁ ବଡ ବିବାଦ ସୃଷ୍ଟି ହୋଇଛି । ଅନଶନସ୍ଥଳରୁ ଫେରିଆସିଛନ୍ତି ଦଳର ନେତା ଜଗଦୀଶ ଟାଇଟଲର ଓ ସଜ୍ଜନ କୁମାର ।  ଦିଲ୍ଲୀ କଂଗ୍ରେସ ସଭାପତି ଅଜୟ ମାକନଙ୍କ ସହ ଆଲୋଚନା ପରେ  ଉଭୟ ନେତା ଅନଶନ ସ୍ଥଳରୁ  ଚାଲିଆସିଥିଲେ ।  ୧୯୮୪ ଶିଖ ଦଙ୍ଗାରେ ଜଗଦୀଶ ଟାଇଟଲର ଓ ସଜ୍ଜନ କୁମାର ଅଭିଯୁକ୍ତ ଅଛନ୍ତି ।  ବିରୋଧ ଆଶଙ୍କାରେ ଉଭୟଙ୍କୁ ଅନଶନସ୍ଥଳରୁ ଫେରାଇଦିଆଯାଇଥିବା କଥା କୁହାଯାଉଛି ।  ତେବେ ଟାଇଟଲର କହିଛନ୍ତି, ସେ ସଭାସ୍ଥଳ ଛାଡିନାହାନ୍ତି । ଲୋକଙ୍କ ପାଖରେ ଯାଇ ବସିବାକୁ  ସେ ଚାହୁଁଛନ୍ତି । ସେ କହିଛନ୍ତି, ସିବିଆଇ ତାଙ୍କୁ ମାମଲାରେ କ୍ଲିନଚିଟ ଦେଇସାରିଛି । ତାଙ୍କ ବିରୋଧରେ କୌଣସି ଅଭିଯୋଗ ନାହିଁ ।
ଦଳିତଙ୍କ ସମର୍ଥନରେ ରାହୁଲ ଗାନ୍ଧି ଦିଲ୍ଲୀରେ ଉପବାସ କରିବାକୁ ଥିବାବେଳେ  ଭୁବନେଶ୍ୱରର କଂଗ୍ରେସ  ଅଫିସରେ ବି ଆଜି ବରିଷ୍ଠ ନେତାମାନେ ଅନଶନ ଆରମ୍ଭ କରିଛନ୍ତି ।  ଦଳର ବରିଷ୍ଠ ନେତାମାନେ ଏହି ଅନଶନର ସାମିଲ ହୋଇଛନ୍ତି । କଂଗ୍ରେସ ଆଜି ଦେଶବ୍ୟାପୀ ଏହି ଉପବାସ ପାଳନ କରୁଛି ।   ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, କେନ୍ଦ୍ର ସରକାର ଦଳିତ ବିରୋଧୀ । ବିଜେପି ଶାସିତ ରାଜ୍ୟ ସରକାରଗୁଡିକର ଅବହେଳା ଯୋଗୁଁ  ସଂପୃକ୍ତ ରାଜ୍ୟରେ ହିଂସାକାଣ୍ଡରେ  ୧୦ଜଣଙ୍କ ପ୍ରାଣ ଗଲା ।
ସୂଚନାଯୋଗ୍ୟ, କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଦିଲ୍ଲୀ ରାଜଘାଟରେ ସକାଳ ୧୦ଟାରୁ ଉପବାସରେ ବସିଛନ୍ତି । ସନ୍ଧ୍ୟା ୬ଟା ଯାଏ ଏହି ଉପବାସ ଚାଲିବ । ସେହିଭଳି ପିସିସି ଅଫିସ ଓ ପ୍ରତ୍ୟେକ ଜିଲ୍ଲା ଅଫିସରେ ବି କଂଗ୍ରେସ କର୍ମୀ ଉପବାସରେ ବସିବେ । କଂଗ୍ରେସ ଅଭିଯୋଗ କରିଛି, ଏପ୍ରିଲ ୨ରେ ବିଭିନ୍ନ ଦଳିତ ସଙ୍ଗଠନର ଭାରତ ବନ୍ଦ ବେଳେ ହିଂସାକୁ ରୋକିବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି ।
ଏହି ହିଂସାରେ ୧୦ ଜଣ ପ୍ରାଣ ହରାଇଥିଲେ । ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ , ମହାରାଷ୍ଟ୍ର ଓ ବିହାରରେ ଅଧିକ ହିଂସା ଦେଖାଦେଇଥିଲା । ସୁପ୍ରିମକୋର୍ଟ ଏସସି-ଏସଟି ଆଇନରେ ସଂଶେଧାନ ପାଇଁ ନିର୍ଦ୍ଦେଶ ଦେବା ପରେ ଏହା ବିରୋଧରେ ଦଳିତ ସଙ୍ଗଠନ ତାତିଛନ୍ତି । ଏହା ବିରୋଧରେ ଏପ୍ରିଲ ୨ରେ ଭାରତ ବନ୍ଦ ବି ପାଳନ କରାଯାଇଛି । କେନ୍ଦ୍ର ସରକାର ଏ ନେଇ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ବି ଦାଖଲ କରିଛନ୍ତି ।