ରାହୁଲଙ୍କ ଇସ୍ତଫା ପ୍ରସ୍ତାବକୁ ଖାରଜ କଲା କଂଗ୍ରେସ କାର୍ଯ୍ୟକାରୀ କମିଟି । କହିଲା ନିର୍ବାଚନ ହାରିବା ସହ ଦଳ ଧ୍ୱଂସ ହୋଇଯାଇନାହିଁ, କଂଗ୍ରେସ ପୁଣିଥରେ ଆଗକୁ ବଢିବ

353

କନକ ବ୍ୟୁରୋ : ମୋଜି ମ୍ୟାଜିକକୁ ଚ୍ୟାଲେଞ୍ଜ ଦେଇନପାରି ଶୋଚନୀୟ ଭାବେ ପରାଜିତ ହୋଇଥିବା କଂଗ୍ରେସରେ ଚାଲିଛି ମାନସ ମନ୍ଥନ । ସ୍ଥିତି ଏମିତି ହୋଇଛି ଯେ, ପରାଜୟ ପାଇଁ ନୈତିକ ଦାୟିତ୍ୱ ନେଇ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଚାହିଁଥିଲେ ରାହୁଲ ଗାନ୍ଧି । ତେବେ ଆଜି କଂଗ୍ରେସ କାର୍ଯ୍ୟକାରୀ କମିଟି ରାହୁଲଙ୍କ ପ୍ରସ୍ତାବକୁ ଖାରଜ କରିଦେଇଛି ।

ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ଅଧ୍ୟକ୍ଷ ପଦ ଛାଡିବାକୁ ପ୍ରସ୍ତାବ ଦେଇଥିଲେ ରାହୁଲ ଗାନ୍ଧି । ହେଲେ କଂଗ୍ରେସ କାର୍ଯ୍ୟକାରୀ କମିଟି, ରାହୁଲଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛି । ବରଂ ଏଭଳି ଚ୍ୟାଲେଞ୍ଜିଂ ସମୟରେ ଦଳର ନେତୃତ୍ୱ ନେଇ ଦଳକୁ ଠିକ୍ ରାସ୍ତା ଦେଖାଇବାକୁ ରାହୁଲଙ୍କୁ ଅନୁରୋଧ କରିଛି ସିଡବ୍ଲୁସି ।

୨୦୧୪ ନିର୍ବାଚନରେ ୪୪ଟି ଆସନ ଜିତିଥିଲା କଂଗ୍ରେସ । ୨୦୧୯ରେ ଏହି ଆସନ ସଂଖ୍ୟା ୫୨ରେ ପହଁଚିଛି । ତେବେ ୧୮ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ଦଳ ଖାତା ଖୋଲିପାରିନି । ଏପରିକି କଂଗ୍ରେସର ଗଡ ଆମେଥିରେ ନିଜେ ହାରିଯାଇଛନ୍ତି ରାହୁଲ । ମୋଦି ମ୍ୟାଜିକରେ ଶୋଚନୀୟ ପରାଜିତ ହେବା ପରେ ନିଜକୁ ଦାୟୀ କରିଥିଲେ ରାହୁଲ । ଏପରିକି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ସଙ୍କେତ ଦେଇଥିଲେ । ହେଲେ ଦଳୀୟ ନେତା ଏହାକୁ ଖଣ୍ଡନ କରିଆସୁଥିଲେ । ୨୪ ଘଂଟା ଧରି ଚର୍ଚାରେ ଥିଲା ରାହୁଲଙ୍କ ଇସ୍ତଫା ଖବର । ଶନିବାର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାହୁଲଙ୍କ ଇସ୍ତଫା ପ୍ରସ୍ତାବ ଖାରଜ ହୋଇଯାଇଛି । ନେତା କହିଛନ୍ତି, କଂଗ୍ରେସ ତାର ଆଶା ପୁରଣ କରିପାରିନି ସତ ହେଲେ ଦଳ ପରାଜିତ ହେବା ପରେ ଧ୍ୱଂସ ହୋଇଯାଇନାହି , କଂଗ୍ରେସ ପୁଣି ଆଗକୁ ବଢିବ ।

ଏପଟେ ନିର୍ବାଚନରେ ପରାଜୟର ନୈତିକ ଦାୟିତ୍ୱ ନେଇ ରାହୁଲ ଗାନ୍ଧିଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇଦେଇଛନ୍ତି ଓଡିଶା ପିସିସି ସଭାପତି ନିରଂଜନ ପଟ୍ଟନାୟକ । ୟୁପି କଂଗ୍ରେସ ମୁଖ୍ୟ ରାଜ ବବର ମଧ୍ୟ ପଦ ଛାଡିବା ନେଇ ଘୋଷଣା କରିସାରିଛନ୍ତି ।