ରାଜସ୍ଥାନର ବିରଳ ଅଧ୍ୟାଦେଶ ନେଇ ଜୋରଧରିଲା ରାଜନୀତି ! ବସୁନ୍ଧରା ରାଜେଙ୍କୁ ରାହୁଲଙ୍କ କଡ଼ା ସମାଲୋଚନା

41

ରାଜସ୍ଥାନ  ସରକାର ଆଣିଥିବା ଅଧ୍ୟାଦେଶକୁ କଡା ସମାଲୋଚନା କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ । ସିଧାସଳଖ ରାଜସ୍ତାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଟାର୍ଗେଟ୍ କରି ଟ୍ୱିଟ୍ କରିଛନ୍ତି ରାହୁଲ । ଯେଉଁଥିରେ ସେ, ଲେଖିଛନ୍ତି-ମ୍ୟାଡମ୍ ଚିଫ୍ ମିନିଷ୍ଟର ଆମେ ଏକବିଂଶ ଶତାବ୍ଦୀରେ ଅଛୁଁ । ଏହା ୨୦୧୭, ୧୮୧୭ ନୁହେଁ ବୋଲି କଟାକ୍ଷ କରିଛନ୍ତି । ରାଜସ୍ଥାନ ସରକାର ଯେଉଁ ଅଧ୍ୟାଦେଶ ଆଣିଛନ୍ତି ତାକୁ ନେଇ ସାରାଦେଶରେ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ଆଜି ଏନେଇ ମୁହଁଖୋଲିଛନ୍ତି ରାହୁଲ ଗାନ୍ଧୀ । ଏହି ଅଧ୍ୟାଦେଶ ଅନୁସାରେ କୌଣସି ବିଚାରପତି, ମାଜିଷ୍ଟ୍ରେଟ୍ କିମ୍ବା ସରକାରୀ ଅଧିକାରୀ ଡ୍ୟୁଟି ସମୟରେ ନେଇଥିବା ନିଷ୍ପତି, କୌଣସି ଯାଂଚର ପରିସରଭୁକ୍ତ ହୋଇପାରିବ ନାହିଁ । ଯାହାକୁ ନେଇ ଏବେ ବିବାଦ ଘନେଇବାରେ ଲାଗିଛି ।

ତେବେ କାହିଁକି ରାହୁଲ ଗାନ୍ଧୀ ୧୮୧୭ ବର୍ଷର ଉଦାହରଣ ରଖିଲେ ତାକୁ ନେଇ ଚର୍ଚ୍ଚା । ଏହା ପଛରେ ବି ରହିଛି ଐତିହାସିକ ତଥ୍ୟ । ସିନ୍ଧିଆ ପରିବାରଙ୍କ ରକ୍ତ ସଂପର୍କୀ ରହିଛି ବସୁନ୍ଧରା ରାଜେଙ୍କର । ୧୭୯୪ରୁ ୧୮୨୭ ଯାଏଁ ଗ୍ୱାଲିୟରରେ ଦୌଲତରାଓ ସିନ୍ଧିଆଙ୍କ ଶାସନ ଥିଲା । ୧୮୧୬ରେ ପିଣ୍ଡାରୀମାନଙ୍କୁ ଦମନ କରିବା ପାଇଁ ଇଂରେଜମାନେ ସିନ୍ଧିଆ ରାଜ ପରିବାରର ସହଯୋଗ ମାଗିଥିଲେ । ଆଉ ୧୮୧୭ ମସିହାରେ ପିଣ୍ଡାରୀମାନଙ୍କୁ ଦମନ କରିବା ପାଇଁ ଇଂରେଜ ସରକାର ଏବଂ ଗ୍ୱାଲିୟର ରାଜପରିବାର ମଧ୍ୟରେ ଏକ ଚୁକ୍ତି ହୋଇଥିଲା । ବୋଧହୁଏ ଏହାକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧୀ ୧୮୧୭ ମସିହାର ଉଦାହାରଣ ରଖିଛନ୍ତି ।