ମାନସରୋବର ଯାତ୍ରା ସହ ମନେପଡିଲା ରାହୁଲଙ୍କ ମୃତ୍ୟୁ ସହ ମୁହାଁମୁହିଁର ୨୦ ସେକେଣ୍ଡ ! ନିର୍ବାଚନ ପ୍ରଚାରରେ ଦିଲ୍ଲୀରୁ କର୍ଣ୍ଣାଟକ ଗଲାବେଳେ ଖସିପଡୁଥିଲା ବିମାନ ।

41

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମାନସରୋବର ଯାତ୍ରା ସହ ତାଜା ହୋଇଛି ମୃତ୍ୟୁ ସହ ମୁହାଁମୁହିଁର ୨୦ ସେକେଣ୍ଡ । ନିର୍ବାଚନୀ ପ୍ରଚାରରେ ଦିଲ୍ଲୀରୁ କର୍ଣ୍ଣାଟକ ଗଲାବେଳେ ଅଚାନକ ତଳକୁ ଖସିଥିଲା ରାହୁଲଙ୍କ ଚାର୍ଟାଡ ପ୍ଲେନ । ଆଉ ମୃତ୍ୟୁ ନିଶ୍ଚିତ ବୋଲି ଧରି ନେଇଥିବା ରାହୁଲ ଗାନ୍ଧି ମନେମନେ ମାନସରୋବର ଯାତ୍ରା ଲାଗି ମାନସିକ କରିଥିଲେ । ତେବେ ଦୁର୍ଘଟଣା ଘଟିବାକୁ ଆଉ ମାତ୍ର ୨୦ ସେକେଣ୍ଡ ବାକି ଥିବାବେଳେ ନିୟନ୍ତ୍ରଣକୁ ଆସିଯାଇଥିଲା ବିମାନ । ଆଉ ଏକ ବଡ ବିପଦ ଟଳିଯାଇଥିଲା । ହେଲେ ଏହି ଘଟଣାକୁ ନେଇ ରାଜନୀତି ବି ଜୋରଦାର ହୋଇଛି ।

ଗତ ଏପ୍ରିଲ ୨୬ ତାରିଖରେ ଦିଲ୍ଲୀରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କର୍ଣ୍ଣାଟକର ହୁବଲି ଯିବା ସମୟର ଏକ ଘଟଣା । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଚାର ପାଇଁ ଯାଉଥିବା ରାହୁଲ ଗାନ୍ଧିଙ୍କ ଚାର୍ଟାଡ ପ୍ଲେନ ଅଚାନକ ତଳକୁ ଖସିବା ଆରମ୍ଭ କରିଥିଲା । ବିମାନଟି ବାମ ପଟକୁ ଢଳି ରହିବା ସହ ପ୍ରାୟ ୮ ହଜାର ଫୁଟ ତଳକୁ ଖସିଥିଲା । ୧୦ ଆସନ ବିଶିଷ୍ଟ ଏହି ଚାର୍ଟାଡ ପ୍ଲେନରେ ରାହୁଲ ଗାନ୍ଧିଙ୍କ ସହ ଥିଲେ ଅନ୍ୟ ୪ ଜଣ ଯାତ୍ରୀ, ୨ଜଣ ପାଇଲଟ୍, ଜଣେ କ୍ୟାବିନ ସଦସ୍ୟ ଓ ଜଣେ ଇଂଜିନିୟର । ଖୁବ ଜୋରରେ କମ୍ପନ ସହ ବିମାନଟି ଅଚାନକ ତଳକୁ ଖସୁଥିବାବେଳେ ପାଇଲଟଙ୍କ ନିୟନ୍ତ୍ରଣରେ ନଥିବା ଅନୁଭବ କରିପାରିଥିଲେ ବିମାନରେ ସବାର ରାହୁଲ ଗାନ୍ଧି ଓ ଅନ୍ୟମାନେ । ଥରେ ଚିନ୍ତା କରନ୍ତୁ ଆକଶରେ ଆତଙ୍କର ସେହି ସେହି ଅନୁଭୂତି ।

ମୃତ୍ୟୁରୁ ଦୂରତା ମାତ୍ର ୨୦ ସେକେଣ୍ଡ ! ଦୁର୍ଘଟଣାରୁ ବର୍ତ୍ତିଗଲା ରାହୁଲଙ୍କ ବିମାନ । ବିମାନଟି ଦ୍ରୁତ ବେଗରେ ତଳକୁ ଖସୁଥିବା ବେଳେ ମୃତ୍ୟୁ ନିଶ୍ଚିତ ବୋଲି ଧରି ନେଇଥିଲେ ରାହୁଲ ଗାନ୍ଧି । ହେଲେ ବିମାନ କ୍ରାସ ହେବାର ଅର୍ଥାତ ମାଟିକୁ ଛୁଇଁବାର ମାତ୍ର ୨୦ ସେକେଣ୍ଡ ପୂର୍ବରୁ ନିୟନ୍ତ୍ରଣକୁ ଆସିଗଲା । ଆଉ ଏକ ନିଶ୍ଚିତ ମୃତ୍ୟୁରୁ ବର୍ତିଗଲେ କଂଗ୍ରେସ ଅଧ୍ୟକ୍ଷ । ହୁବଲି ବିମାନବନ୍ଦରରେ ଅବତରଣ କରିବାର ଠିକ ପୂର୍ବରୁ ଘଟିଥିଲା ଏହି ଘଟଣା । ସେତେବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ଘଟିଥିବା କୁହାଯାଇଥିଲା । ହେଲେ ବିମାନରେ ଜାଣିଶୁଣି ତ୍ରୁଟି ରଖାଯାଇଥିବା ଅଭିଯୋଗ କରିଥିଲା କଂଗ୍ରେସ । କଂଗ୍ରେସ ପକ୍ଷରୁ ଦିଆଯାଇଥିଲା ଏକ ଏଫଆଇଆର କପି । ଯେଉଁଥିରେ ବିମାନର ଗୋଟିଏ ପଟୁ ଭୟଙ୍କର ଶବ୍ଦ ଶୁଣାଯାଉଥିବା ନେଇ ଉଲ୍ଲେଖ କରାଯାଇଛି । ବିମାନ ଖୁବ ଜୋରରେ ତଳକୁ ଖସୁଥିବାବେଳେ ରାହୁଲ ଗାନ୍ଧି ମନେମନେ ସ୍ଥିର କରିସାରିଥିଲେ ଯେ, ସେ ବର୍ତିଗଲେ କୈଳାସ ମାନସରୋବର ଯାତ୍ରା କରିବେ ।

କଂଗ୍ରେସର ଅଭିଯୋଗ ଆଧାରରେ ଡିଜିସିଏ ଏକ ଦୁଇ ଜଣିଆ ତଦନ୍ତ କମିଟି ଗଠନ କରିଥିଲା । ଆଉ ଅନୁଧ୍ୟାନ ପରେ ଜଣାପଡିଛି

ଡିଜିସିଏ ରିପୋର୍ଟ

– ଘଟଣାଦିନ ରାହୁଲଙ୍କ ଚାର୍ଟାଡ ପ୍ଲେନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା

– ବିମାନରେ ତ୍ରୁଟିକୁ ସୁଧାରିବାରେ ବିଳମ୍ବ କରିଥିଲେ ବିମାନ କର୍ମଚାରୀ

– ଆଉ ୨୦ ସେକେଣ୍ଡ ଭିତରେ ତ୍ରୁଟି ସୁଧାରି ନଥିଲେ ଦୁର୍ଘଟଣା ହୋଇଥାନ୍ତା

– ଏହି ଦୁର୍ଘଟଣା ସମୟରେ ବିମାନଟି ଅଟୋ ପାଇଲଟ୍ ମୋଡରେ ଥିଲା

– ଏପରିସ୍ଥଳେ ପାଇଲଟ ତୁରନ୍ତ ମାନୁଆଲ ଉପାୟରେ ନିୟନ୍ତ୍ରଣକୁ ନେବାକଥା

– ହେଲେ ସେଦିନ କର୍ମଚାରୀଙ୍କୁ ବିମାନ ନିୟନ୍ତ୍ରଣ କରିବାରେ ବିଳମ୍ବ ହୋଇଥିଲା

ମାତ୍ର ୨୦ ସେକେଣ୍ଡରେ ମୃତ୍ୟୁକୁ ମାତ ଦେଇଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ମାନସିକ ରଖି ମାନସରୋବର ଯାତ୍ରାରେ ବାହାରି ସାରିଛନ୍ତି । ହେଲେ ଡିଜିସିଏର ରିପୋର୍ଟ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ । ଜାଣିଶୁଣି ବିମାନରେ ଥିବା ତ୍ରୁଟିକୁ ଅଣଦେଖା କରାଯାଇଥିଲା କି? ଡିଜିସିଏ ରିପୋର୍ଟରେ ଏ ବାବଦରେ କ’ଣ ଉଲ୍ଲେଖ ଅଛି? ତାହା ଜଣାଇବାକୁ କଂଗ୍ରେସ ଦାବି କରିଛି ।