ଆଜିଠୁ କଂଗ୍ରେସରେ ରାହୁଲ ଯୁଗ : ଦଳର ସଭାପତି ଭାବେ ନେବେ ଦାୟିତ୍ୱ

23

କନକ ବ୍ୟୁରୋ : କଂଗ୍ରେସରେ ରାହୁଲ ଯୁଗ । ଦିଲ୍ଲୀ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ରାହୁଲ ଆଜି ସଭାପତି ଭାବେ ଦାୟିତ୍ୱ ନେବେ । କଂଗ୍ରେସର ସବୁ ବରିଷ୍ଠ ନେତା, ପ୍ରାୟ ୩ ହଜାର କର୍ମକର୍ତା ଓ ମାଆ ସୋନିଆଙ୍କ ଉପସ୍ଥିତିରେ ରାହୁଲଙ୍କ ଅଭିଷେକ ହେବ । ଏଥିପାଇଁ କଂଗ୍ରେସ ଭବନରେ ସବୁ ପ୍ରକାର ପ୍ରସ୍ତୁତି ସରିଛି । ୧୧ ଡିସେମ୍ବରରେ ରାହୁଲ ଗାନ୍ଧୀ ସର୍ବସମ୍ମତିରେ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଆଜି ମାଆ ସୋନିଆଙ୍କ ଠାରୁ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବେ । ଏହାସହ କଂଗ୍ରେସ ସୋନିଆଙ୍କ ରାଜ ଶେଷ ହୋଇ ରାହୁଲ ଯୁଗ ଆରମ୍ଭ ହେବ । ରାହୁଲଙ୍କ ସ୍ୱାଗତ ପାଇଁ କଂଗ୍ରେସ ମୁଖ୍ୟାଳୟକୁ ସୁନ୍ଦର ଭାବେ ସଜାଯାଇଛି । ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ହେବା ପରେ ଖୁସି ମନାଇବା ଲୋକ ଗୀତର ଆୟୋଜନ କରାଯାଇଛି । ସେହିପରି ଉପସ୍ଥିତ କର୍ମକର୍ତାଙ୍କୁ ମିଠା ବି ବଂଟନ କରାଯିବ ।

ସଭାପତି ହେବା ପରେ ରାହୁଲଙ୍କ ପାଇଁ ଚ୍ୟାଲେଞ୍ଜ କଣ ହେବ ଓ ନୂଆ ଟିମ ହେବ କିଭଳି ଆସନ୍ତୁ ନଜର ପକାଇବା – ଆସନ୍ତାବର୍ଷ ୮ ରାଜ୍ୟରେ ବିଧାନସଭା ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କର୍ମୀଙ୍କ ମନୋବଳ ବଢାଇବା ରାହୁଲଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ । ତୃଣମୂଳ ସ୍ତରରେ ସଙ୍ଗଠନକୁ ସଜାଡିବା ବି ରାହୁଲଙ୍କ ପାଇଁ ଏକ ବଡ ଆହ୍ୱାନ । ଏବେ ପ୍ରଶ୍ନ ଉଠୁଛି ସେ ସୋନିଆଙ୍କ ଟିମ ସହ କାମ କରିବେ ନା ନୂଆ ଟିମ ଗଢିବେ । ରାହୁଲଙ୍କ ଟିମରେ ଏବେ ରହିଛନ୍ତିି ସଚିନ ପାଇଲଟ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦୀପେନ୍ଦର ସିଂ ହୁଡା, ମିଲିନ୍ଦ ଦେଓରା,ଗୌରବ ଗୋଗଇ, ମନୀଷ ତିୱାରି, ସୁସ୍ମିତା ଦେବ । କିନ୍ତୁ ଏବେ ସଭାପତି ହେବା ପରେ ଏଆଇସିସିର ପୁନଃଗଠନ ହେବା ଆଶା କରାଯାଉଛି । ରାହୁଲ ଯେହେତୁ ଯୁବପୀଢି ଉପରେ ବିଶ୍ୱାସ କରୁଛନ୍ତି , ତେଣୁ ଧୀରେ ଧୀରେ ୬୫ ବର୍ଷରୁ ଅଧିକ ଲୋକଙ୍କୁ ଦଳର ଦାୟିତ୍ୱରୁ ହଟାଯାଇପାରେ ।

ପି.ଚିଦାମ୍ବରମ, କପିଲ ଶିବଲ, ଆନନ୍ଦ ଶର୍ମା, ଶଶୀ ଥରୁରୁ ପାର୍ଲାମେଂଟରେ ଦଳକୁ ଆଗକୁ ନେବେ । ଗୁଲାମ ନବୀ ଆଜାଦ, କମଲ ନାଥ ଓ ମଲ୍ଲିକାର୍ଜୁନ ଖଡଗେ ଉଭୟ ସଙ୍ଗଠନ ଓ ପାର୍ଲାମେଂଟରେ ସକ୍ରିୟ ରହିପାରନ୍ତି । ଏ.କେ.ଆଣ୍ଟେନି, କରନ ସିଂ, ମୋହସିନା କିଦୱାଇ, ଆର.କେ ଧାୱନ ପରାମର୍ଶଦାତା ଭୂମିକା ନିର୍ବାହ କରିପାରନ୍ତି ।