ମନ୍ତ୍ରୀ ମାନିଲେ ଚାକିରି ନାହିଁ ! ନିର୍ବାଚନ ବେଳେ ୨ କୋଟି ଚାକିରିର ସ୍ୱପ୍ନ, ଏବେ କହୁଛନ୍ତି ଚାକିରି କାହିଁ ?

28

କନକ ବ୍ୟୁରୋ : ପ୍ରତିବର୍ଷ ୨କୋଟି ନିଯୁକ୍ତିର ସ୍ୱପ୍ନ ଦେଖାଇ କ୍ଷମତାକୁ ଆସିଥିବା କେନ୍ଦ୍ରର ବିଜେପି ସରକାର, ଏବେ କହୁଛନ୍ତି ଚାକିରି କାହିଁ? କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀଙ୍କ ଏକ ବୟାନ ଏବେ ସୃଷ୍ଟି କରିଛି ଏକ ରାଜନୈତିକ ଯୁଦ୍ଧ । ଯେଉଁଥିରେ ଗଡକରୀ କହିଛନ୍ତି ଚାକିରି ନାହିଁ, ସଂରକ୍ଷଣ ଦେଲେ କ’ଣ ହେବ । ମନ୍ତ୍ରୀଙ୍କ ଏଭଳି ବୟାନକୁ ନେଇ ମୋଦି ସରକାରକୁ ଘେରିଛି କଂଗ୍ରେସ । ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ।

ଚାକିରି କେଉଁଠି ? କୁଆଡୁ ଆସିବ ନିଯୁକ୍ତି ? ଏହି ଦୁଇଟି ପ୍ରଶ୍ନକୁ ନେଇ ଏବେ ସରଗରମ ହୋଇଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତି ରାହୁଲ ଗାନ୍ଧୀ ଏବଂ ନୀତିନ ଗଡ଼କାରୀ । ବେକାରୀ ଓ ନିଯୁକ୍ତି ପ୍ରସଙ୍ଗରେ ସବୁବେଳେ ମୋଦି ସରକାରଙ୍କୁ ଟାର୍ଗେଟ୍ କରି ଆସୁଥିବା ରାହୁଲ ଗାନ୍ଧୀଙ୍କୁ ଆଉ ଗୋଟିଏ ବଡ ମୌକା ଆଣି- ଦେଇଛି, ମହାରାଷ୍ଟ୍ରରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ଦେଇଥିବା ଏକ ବୟାନ୍ । ଯେଉଁଥିରେ ଗଡ଼କରୀ କହିଛନ୍ତି -ଧରି ନିଅନ୍ତୁ ଆରକ୍ଷଣ ଦେଇଦିଆଗଲା । ହେଲେ ଚାକିରି ନାହିଁ? ବୈଷୟିକ ଜ୍ଞାନ କୌଶଳ ଯୋଗୁଁ ବ୍ୟାଙ୍କରେ ଚାକିରି କମୁଛି । ସରକାରୀ ନିଯୁକ୍ତି ଅଟକି ରହିଛି । ଚାକିରି କେଉଁଠି ?

ମରାଠା ଆରକ୍ଷଣକୁ ଦୃଷ୍ଟିରେ ରଖି ଗଡ଼କାରୀ ଦେଇଥିବା ଏହି ବୟାନ୍-କେବଳ ଯେ ବିରୋଧୀଙ୍କୁ ୱାକ୍ ଓଭର ମିଳିଛି ତାହା ନୁହେଁ, ନିଜ ପୋଷ୍ଟରେ ଗୋଲଟିଏ କଲା ଭଳି ସ୍ଥିତି ସୃଷ୍ଟି କରିଛି । ଆଉ ଗଡ଼କାରୀଙ୍କ ଏହିି ବୟାନକୁ ନେଇ ଆସିଛି କଂଗ୍ରେସ ଅଧ୍ୟକ୍ଷଙ୍କ ଟ୍ୱିଟ୍ । ଯେଉଁଥିରେ ରାହୁଲ ଗାନ୍ଧୀ ଲେଖିଛନ୍ତି-ବହୁତ ସୁନ୍ଦର ପ୍ରଶ୍ନ ଗଡ଼କରୀ ଜୀ । ପ୍ରତିଟି ଭାରତୀୟ ସେହି ସମାନ ପ୍ରଶ୍ନ ପଚାରୁଛନ୍ତି ।

rahul gandhi

ରାହୁଲ ଗାନ୍ଧୀଙ୍କ ଏହି ଛୋଟିଆ ଟ୍ୱିଟ୍ ଭିତରେ ଲୁଚି ରହିଛି ଏକ ବଡଧରଣର ସମାଲୋଚନା । କାରଣ ପ୍ରତି ବର୍ଷ ୨ କୋଟି ନିଯୁକ୍ତିର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ଭାରତୀୟ ଜନତା ପାର୍ଟିର ନେତା ଯେତେବେଳେ କହୁଛନ୍ତି ଚାକିରି କେଉଁଠି । ନିଶ୍ଚିତ ଭାବରେ ତାହା ବିରୋଧୀଙ୍କୁ ସମାଲୋଚନା କରିବାକୁ ଏକ ବଡ ସୁଯୋଗ ଆଣିଦେଇଛି । ନିଯୁକ୍ତି ସୁଯୋଗ ମୋଦି ସରକାରଙ୍କ ପାଇଁ ବଡ ଚ୍ୟାଲେଂଜ୍ ବୋଲି କୁହାଯାଉଥିବା ବେଳେ ଏହି ପ୍ରସଙ୍ଗକୁ ବାରମ୍ବାର ଉଠାଇଛନ୍ତି ରାହୁଲ ଗାନ୍ଧୀ । ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ବି ନିଯୁକ୍ତିକୁ ନେଇ ପ୍ରଶ୍ନ କରିଥିଲେ ରାହୁଲ ।

ବଡ କଥା ହେଉଛି- କେନ୍ଦ୍ର ସରକାର ଚାକିରି ଦେବାରେ ବିଫଳ ହୋଇଥିବା ବେଳେ ନିଯୁକ୍ତି ସୁଯୋଗର ନୂଆ ନୂଆ ସଂଜ୍ଞା ନିରୁପଣ କରି ଆସିଛନ୍ତି । କେତେବେଳେ ପକୁଡି ବିକିବାକୁ ନିଯୁକ୍ତି କୁହାଯାଉଛି ତ ଆଉ କେତେବେଳେ ୪ଚକିଆ ଗାଡ଼ି କିଣିଲେ ରୋଜଗାର ସୃଷ୍ଟିର ମାଧ୍ୟମ କୁହାଯାଉଛି । ଆଉ ଏସବୁ ଭିତରେ ନିର୍ବାଚନର ଠିକ୍ କିଛି ମାସ ପୂର୍ବରୁ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କ ବୟାନ୍ ଏନଡିଏ ସରକାରଙ୍କ ଆଡୁଆ ପାଲଟିଛି ।