କଂଗ୍ରେସ ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ଓଡ଼ିଶା ଆସୁଛନ୍ତି ରାହୁଲ ! ଗସ୍ତକୁ ନେଇ କଂଗ୍ରେସ ଶିବିର ଉତ୍ସାହିତ, ୨ ଲକ୍ଷ କର୍ମୀଙ୍କୁ ଏକାଠି କରିବାକୁ ଲକ୍ଷ୍ୟ ।

155

କନକ ବ୍ୟୁରୋ : ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ । ରାହୁଲ ଗାନ୍ଧୀଙ୍କ ଏହି ଗସ୍ତର ଫୋକସରେ ରହିଛି ଉପକୂଳ ଓଡ଼ିଶା । କଟକରେ ଅନୁଷ୍ଠିତ ହେବାକୁ ଥିବା ଦଳୀୟ ସମାବେଶରେ ପ୍ରାୟ ୨ ଲକ୍ଷ ଲୋକଙ୍କୁ ଏକତ୍ରିତ କରିବାର ଯୋଜନା ରଖିଛି କଂଗ୍ରେସ । ଆଉ ରାହୁଲ ଗାନ୍ଧୀଙ୍କ ଏହି ଗସ୍ତକୁ ନେଇ ଚଳଚଂଳଚ ହୋଇ ଉଠିଛି କଂଗ୍ରେସ ଶିବିର । ତେବେ ଓଡ଼ିଶା ନେତା ଓ କର୍ମୀଙ୍କୁ କି ମନ୍ତ୍ର ଦେବେ ରାହୁଲ ତାକୁ ନେଇ ଏବେ ଚର୍ଚ୍ଚା ।

ବିଜେପି ଶାସିତ ୩ଟି ରାଜ୍ୟରେ ବିଜୟ ଅଭିଜ୍ଞତା ଏବଂ ଓଡ଼ିଶା ପାଇଁ ସ୍ୱତନ୍ତ୍ର ରଣନୀତି ନେଇ ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ଏହା ହେଉଛି ରାହୁଲ ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଗସ୍ତ । ତେଣୁ ସ୍ୱାଭାବିକ୍ ଭାବରେ ଚଳଚଚଂଳ କଂଗ୍ରେସ ଶିବିର । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ, କୁହାଯାଉଛି ଓଡ଼ିଶାରେ ନିର୍ବାଚନୀ ବିଗୁଲ ଫୁଙ୍କିବେ କଂଗ୍ରେସ ଅଧ୍ୟକ୍ଷ । ଆଉ ଏଥିପାଇଁ ହେଉଛି ବିଶାଳ ଆୟୋଜନ ।

ଓଡ଼ିଶାରେ କ’ଣ ରହିବ ରାହୁଲଙ୍କ ସନ୍ଦେଶ ? କ’ଣ ରହିବ କଂଗ୍ରେସ ଅଧ୍ୟକ୍ଷଙ୍କ ଆଭିମୁଖ୍ୟ ? ଏଭଳି କିଛି ପ୍ରଶ୍ନର ଉତ୍ତରକୁ ଚାହିଁ ରହିଛନ୍ତି ସମସ୍ତେ । କାରଣ ରାଜ୍ୟ ସ୍ତରୀୟ ନେତା କରୁଥିବା ଦାବି ଉପରେ ଲାଗିବ କି ହାଇକମାଣ୍ଡଙ୍କ ମୋହର । ଆଉ ଏହାରି ଭିତରେ ଚାଷୀ ସମସ୍ୟା, ବେକାରୀ ସମସ୍ୟାକୁ ନେଇ ରାଜ୍ୟ ସରକାର ଛନ୍ଦି ହୋଇଥିବା ବେଳେ କେନ୍ଦ୍ରର ବିଜେପି ସରକାର ରାଫେଲ ଡିଲ୍ ଏବଂ ମୋଦିଙ୍କ ନୀତିକୁ ନେଇ ଅଡୁଆରେ ରହିଛି । ଏହି ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଛୁଇଁବେ କି ରାହୁଲ ଗାନ୍ଧୀ ?

ରାହୁଲଙ୍କ ଏହି ସମାବେଶରେ ଉପକୂଳର ୧୧ଟି ଜିଲ୍ଲାକୁ ଫୋକସ୍ କରି ୨ ଲକ୍ଷ ଲୋକଙ୍କ ସମାଗମ କରିବାକୁ ଦଳ ଯୋଜନା କରିଛି । ସବୁ ନିର୍ବାଚନ ମଣ୍ଡଳୀରୁ ଲୋକ କେମିତି ସମାବେଶକୁ ଆସିବେ ସେ ନେଇ କାର୍ଯ୍ୟକରିବାକୁ କଂଗ୍ରେସ ନେତାଙ୍କୁ ଦିଆଯାଇଛି ଟାର୍ଗେଟ । ଏଥିପାଇଁ  କଂଗ୍ରେସ ପକ୍ଷରୁ ବୈଠକ କରାଯାଇ  ସଂପୃକ୍ତ ଜିଲ୍ଲା ସଭାପତି ଏଂବ ବିଭିନ୍ନ ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ଦେଶରେ ବଦଳୁଥିବା ରାଜନୈତିକ ଦୃଶ୍ୟପଟ୍ଟ ଭିତରେ ରାହୁଲ ଗାନ୍ଧୀ ଏବେ ଏକ ନୂଆ ସଂଭବନା ହୋଇ ଛିଡ଼ା ହୋଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେଣୁ ରାହୁଲଙ୍କ ଓଡ଼ିଶା ଗସ୍ତ ରାଜ୍ୟ କଂଗ୍ରେସ ପାଇଁ ଯେତିକି ଗୁରୁତ୍ୱ ରଖୁଛି, ଦେଶର ରାଜନୈତିକ ପରିବର୍ତନ ଦିଗରେ ମଧ୍ୟ ସେତିକି ବଡ ବାର୍ତା ରଖୁଛି ।