ଉତ୍ତରରୁ ଦକ୍ଷିଣ, ଦୁଇଟି ଆସନରୁ ଲଢ଼ିବେ ରାହୁଲ ! କେରଳର ୱାଏନାଡ୍ ଆସନରୁ ହେବେ ପ୍ରାର୍ଥୀ, ଶାହା କହିଲେ, ପରାଜୟ ଭୟରେ କେରଳ ଯାଉଛନ୍ତି ରାହୁଲ । 

61

କନକ ବ୍ୟୁରୋ : ଦୁଇଟି ଆସନରୁ ଲଢ଼ିବେ କଂଗ୍ରେସ ଅଧ୍ୟକ୍ଷ । ଆମେଠି ସହିତ ଦକ୍ଷିଣ ଭାରତରୁ ଗୋଟିଏ ଆସନରୁ ଏଥର ଲୋକସଭା ନିର୍ବାଚନ ଲଢିବେ ରାହୁଲ । ଆମେଠି ସହିତ କେରଳର ୱାଏନାଡ୍ ଆସନରୁ ନିର୍ବାଚନ ଲଢ଼ିବେ ରାହୁଲ  । କଂଗ୍ରେସର ଏପରି ଘୋଷଣା ଦକ୍ଷିଣ ଭାରତରେ କଂଗ୍ରେସର ଭୋଟ୍ ହାରକୁ ବଢାଇବ ବୋଲି ଅନୁମାନ କରାଯାଉଛି । ସେପଟେ ରାହୁଲଙ୍କ ୨ ଆସନରୁ ଲଢିବା ନିଷ୍ପତିକୁ ସମାଲୋଚନା କରିଛି ବିଜେପି । ଶାହା କହିଛନ୍ତି ପରାଜୟ ଭୟରେ କେରଳ ଯାଉଛନ୍ତି ରାହୁଲ ।

ଦୁଇଟି ଆସନରୁ ଲଢ଼ିବେ କଂଗ୍ରେସ ଅଧ୍ୟକ୍ଷ । ଦକ୍ଷିଣ ଭାରତ ଉପରେ ରାହୁଲଙ୍କ ଫୋକସ । ଦୀର୍ଘ ଦିନ ଧରି ଯେଉଁ ଚର୍ଚ୍ଚା ହେଉଥିଲା, ସେହି ଚର୍ଚ୍ଚା ଉପରେ ମୋହର ମାରିଛି କଂଗ୍ରେସ୍ । ଉତ୍ତରପ୍ରଦେଶର ଆମେଠୀ ସହ କେରଳର ୱାଇନାଡ୍ ଆସନରୁ ନିର୍ବାଚନ ଲଢ଼ିବେ ରାହୁଲ ଗାନ୍ଧୀ  । ତାମିଲନାଡୁ, କର୍ଣ୍ଣାଟକ ଏବଂ କେରଳ କଂଗ୍ରେସ ପକ୍ଷରୁ କ୍ରମାଗତ ଭାବରେ ଦକ୍ଷିଣ ଭାରତରୁ ନିର୍ବାଚନ ଲଢ଼ିବା ଅନୁରୋଧ ହୋଇ ଆସୁଥିଲା ବୋଲି ଏକ ସମ୍ମାଦିକ ସମ୍ମିଳନୀରେ କହିଛନ୍ତି, ବରିଷ୍ଠ କଂଗ୍ରେସ୍ ନେତା ଏ.କେ ଆଂଟୋନୀ ।

ଏପଟେ କଂଗ୍ରେସର ଏହି ଘୋଷଣା ପରେ ଚିରାଚରିତ ଢ଼ଙ୍ଗରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ରାଷ୍ଟୀୟ ଅଧ୍ୟକ୍ଷ । ଅମିତ ଶାହା କହିଛନ୍ତି, ପରାଜୟ ଭୟରେ କେରଳ ଯାଉଛନ୍ତି ରାହୁଲ । ଅନୁରୁପ ଢ଼ଙ୍ଗରେ, ରବିଶଙ୍କର ପ୍ରସାଦ ବି ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରି କହିଛନ୍ତି, ପରାଜୟ ଭୟରେ ମୁସଲିମ୍ ସଂଖ୍ୟା ବହୁଳ ସ୍ଥାନରୁ ରାହୁଲ ନିର୍ବାଚନ ଲଢୁଛନ୍ତି ।

ତେବେ ରାହୁଲ ଗାନ୍ଧୀଙ୍କ ଏହି ନିଷ୍ପତି କଂଗ୍ରେସକୁ କେରଳ ସମେତ ଦକ୍ଷିଣ ଭାରତର ଭୋଟ୍ ରାଜନୀତିକୁ ପ୍ରଭାବିତ କରିବ ବୋଲି ଚର୍ଚ୍ଚା ହେଉଛି । କେରଳ ୨୦ଟି ଆସନ ସମେତ ମୋଟ୍ ୧୩୦ ଲୋକସଭା ଆସନକୁ ରାହୁଲଙ୍କ ନିଷ୍ପତି ପ୍ରଭାବିତ କରିପାରେ । ହେଲେ କେରଳରେ ରାହୁଲଙ୍କ ଲଢ଼େଇ ଏତେ ସହଜ ହୋଇନପାରେ । କାରଣ ଏଠି, କ୍ଷମତାରେ ଥିବା ବାମଦଳ ସମେତ ଏଲଡିଏଫ୍ ଏବଂ ୟୁଡିଏଫ୍ ସହ ସିଧାସଳଖ ଟକ୍କର ହେବ । ରାହୁଲଙ୍କ ଉତ୍ତରରୁ ଦକ୍ଷିଣ ଯାତ୍ରା, ୨୦୧୯ ନିର୍ବାଚନୀ ପୂର୍ବରୁ ଏକ ବଡ ରଣନୀତି ବୋଲି କୁହାଯାଉଛି । କାରଣ ଦକ୍ଷିଣ ଭାରତରେ ବିଜେପିର ସଂଗଠନ ଦୁର୍ବଳ । କେବଳ କର୍ଣ୍ଣାଟକକୁ ଛାଡ଼ି ଦେଲେ ଦକ୍ଷିଣ ଭାରତର କୌଣସି ରାଜ୍ୟରେ ଏକାକି ଛିଡ଼ା ହେବା ସ୍ଥିତିରେ ବିଜେପି ନାହିଁ । ତେବେ ଦେଖିବାର କଥା କେରଳର ୱାଇନାଡ଼ ଆସନରେ ବିଜେପି ପ୍ରାର୍ଥୀ ଦେଉଛି ନା ନାହିଁ । ଆଉ ଯଦି ଦେଉଛି କାହାକୁ ଦେଉଛି । କାରଣ ୨୦୧୪ ନିର୍ବାଚନରେ ଆମେଠୀରେ ରାହୁଲ ଗାନ୍ଧୀ, ବିଜେପିର ସ୍ମୃତି ଇରାନୀଙ୍କୁ ଏକ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ।