ଆଜି କଂଗ୍ରେସର ସଭାପତି ଘୋଷିତ ହୋଇପାରନ୍ତି ରାହୁଲ ଗାନ୍ଧୀ ! ଅପରାହ୍ନରେ ହୋଇପାରେ ଯୁବରାଜଙ୍କ ପଦୋନ୍ନତିର ଘୋଷଣା

30

କନକ ବ୍ୟୁରୋ: ଆଜି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସର ଅଧ୍ୟକ୍ଷ କରାଯିବା ନେଇ ଔପଚାରିକ ଭାବେ ଘୋଷଣା କରାଯାଇପାରେ । ଗତ ୪ ତାରିଖରେ ରାହୁଲ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ଗତ ୫ ତାରିଖରେ ନାମାଙ୍କନ ଯାଂଚ ପରେ କେବଳ ରାହୁଲଙ୍କ ନାମ ହିଁ ରହୁଥିଲା । ଆଉ ସ୍ପଷ୍ଟ ହୋଇଯାଇଥିଲା ଯେ ରାହୁଲ ହିଁ ଅଧ୍ୟକ୍ଷ ହେବେ ।

ତେବେ ଔପଚାରିକତା ଦୃଷ୍ଟିରୁ ଆଜି ଦଳର କେନ୍ଦ୍ରୀୟ ନିର୍ବାଚନ ପ୍ରାଥିକରଣ ଅଧ୍ୟକ୍ଷ ମୁଲାପାଲ୍ଲି ରାମଚନ୍ଦ୍ରନ ଏବଂ ସଦସ୍ୟ ମଧୁସୂଧନ ମିସ୍ତ୍ରି ଓ ଭୁବନେଶ୍ୱର କୁମାର ଏ ସମ୍ପର୍କରେ ଘୋଷଣା କରିବେ । ଆଜି ଅପାରହ୍ନ ୩ଟାରେ ଏନେଇ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଗୁଜୁରାଟ ନିର୍ବାଚନ ପ୍ରଚାରରେ ଏବେ ରାହୁଲ ବ୍ୟସ୍ତ ଥିବାରୁ ସେ ଉପସ୍ଥିତ ରହିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ଏହା ପରେ ରାହୁଲଙ୍କ ଦ୍ୱାୟିତ୍ୱ ଗ୍ରହଣ ସମ୍ପର୍କରେ ତାରିଖ ଧାର୍ଯ୍ୟ କରାଯିବ । ତେବେ ଆସନ୍ତା ୧୬ ତାରିଖରେ ହିଁ ସୋନିଆ ଏବଂ ଦଳର ବରିଷ୍ଠ ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ରାହୁଲଙ୍କୁ ଦଳର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ସମ୍ପର୍କୀତ ପ୍ରମାଣ ପତ୍ର ପ୍ରଦାନ କରାଯିବ । ୨୦୧୯ ସାଧାରଣ ନିର୍ବାଚନ ପାଇଁ ରାହୁଳଙ୍କ ନେତୃତ୍ୱରେ କଂଗ୍ରେସ ଦଳକୁ ନୂତନ ମାର୍ଗଦର୍ଶନ ମିଳିବ ବୋଲି ଆଶା କରାଯାଉଛି ।