ଚାଷୀ ଋଣ ଛାଡ ପ୍ରସଙ୍ଗରେ ବିଜେପିକୁ ଘେରିଲା କଂଗ୍ରେସ: ରାହୁଲ କହିଲେ, କୃଷକଙ୍କ ଋଣ ଛାଡ ନହେବା ଯାଏଁ ମୋଦିଙ୍କୁ ଶୋଇବାକୁ ଦେବେନି

137

କନକ ବ୍ୟୁରୋ: କୃଷିଋଣ ଛାଡ ନେଇ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ବଡ ବୟାନ ଦେବା ସହ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, କେନ୍ଦ୍ର ସରକାର କିଛି ପୁଂଜିପତିଙ୍କ ପାଇଁ କାମ କରୁଛନ୍ତି । ସେମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଯାଇଛି । ନରେନ୍ଦ୍ର ମୋଦି ଦେଶର କୃଷକଙ୍କ ଋଣଛାଡ ନ କରିବା ଯାଏଁ ବିରୋଧୀ ଦଳ ସଂଗ୍ରାମ କରିବ ଓ ଏଥିପାଇଁ ଚାପ ପକାଯିବ । ମୋଦି ସରକାର ଚାଷୀଙ୍କ ଋଣ ଛାଡ ନକରିବା ପର୍ଯ୍ୟନ୍ତ ତାଙ୍କୁ ଶାନ୍ତିରେ ଶୋଇବାକୁ ଦେବୁନାହିଁ ବୋଲି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି । ମଧ୍ୟପ୍ରଦେଶ, ଛତିଶଗଡରେ ନୂଆ ସରକାର ଗଠନର ୨୪ଘଂଟା ମଧ୍ୟରେ ଉଭୟ ରାଜ୍ୟରେ କୃଷି ଋଣ ଛାଡ ହୋଇଥିବା ସେ କହିଛନ୍ତି । ଏହାସହ ରାଜସ୍ଥାନରେ ବି କୃଷିଋଣ ଛାଡ ହେବ ବୋଲି ସେ ସଙ୍କେତ ଦେଇଛନ୍ତି ।

ବିଜେପି ନେତୃତ୍ବାଧୀନ ମୋଦୀ ସରକାରଙ୍କୁ ଟାର୍ଗେଟ୍ କରି ରାହୁଲ କହିଛନ୍ତି, ଦେଶର ୧୫ ବଡ଼ ଶିଳ୍ପପତିଙ୍କୁ ହଜାର ହଜାର କୋଟି ଟଙ୍କା ଋଣ ଦିଆଯାଇଛି। ସେମାନେ ଋଣ ଖିଲାପ କଲେ ସୁଦ୍ଧା ସେମାନଙ୍କ ଉପରେ କୌଣସି କାର‌୍ୟ୍ୟାନୁଷ୍ଠାନ ନିଆଯାଉ ନାର୍ହି। ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନୀଲ ଅମ୍ବାନିଙ୍କ ଭଳି ଶିଳ୍ପପତି ସରକାରଙ୍କ ଦ୍ବାରା ଉପକୃତ ହୋଇଛନ୍ତି। କିନ୍ତୁ ଚାଷୀମାନଙ୍କ ଦୁଃଖ ଯନ୍ତ୍ରଣାକୁ ସରକାର ଆଖି ବୁଜିଦେଇଛନ୍ତି। ବିଗତ ୪ ବର୍ଷ ମଧ୍ୟରେ ଚାଷୀମାନେ ଯେଉଁ ଯନ୍ତ୍ରଣାରେ ଶଢ଼ୁଛନ୍ତି, ସେଥିପ୍ରତି କାହାର ନଜର ନାହିଁ। ୧୦ ଦିନ ମଧ୍ୟରେ କୃଷି ଋଣ ଛାଡ଼ କରିବୁ ବୋଲି ଆମେ ପ୍ରତିଶ୍ରୁତି ଦେଇଥିଲୁ। ୬ ଘଣ୍ଟା ମଧ୍ୟରେ ଆମେ ଦୁଇଟି ରାଜ୍ୟ ଯଥା ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ କୃଷି ଋଣ ଛାଡ଼ କରିଛୁ।

ଦେଶର ସମସ୍ତ ଚାଷୀଙ୍କ ଋଣ ଛାଡ଼ ନହେବା ଯାଏ ଆମର ଏହି ଅଭିଯାନ ଜାରି ରହିବ। ସଂସଦ ବାହାରେ ସାମ୍ବାଦିକଙ୍କୁ ସୂଚନା ଦେଇ ରାହୁଲ ଆହୁରି କହିଛନ୍ତି ଯେ ୧୫ ଜଣଙ୍କର ୩.୫ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରିବା କ୍ଷେତ୍ରରେ ସରକାରଙ୍କୁ ବାଧିଲା ନାହିଁ। କିନ୍ତୁ ଚାଷୀଙ୍କ ଋଣ ଛାଡ଼ କରିବା ପାଇଁ ପଛଘୁଞ୍ଚା ଦେଉଛନ୍ତି। ସରକାର ଗରିବ ଲୋକ, ଛୋଟ ଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଗୋଟିଏ ଦୃଷ୍ଟିରେ ଦେଖୁଥିବା ବେଳେ ଶିଳ୍ପପତିଙ୍କୁ ଭିନ୍ନ ଦୃଷ୍ଟିରେ ଦେଖିବାକୁ ଚେଷ୍ଟା କରୁଛନ୍ତି। ଏହା ଆଉ ସହ୍ୟ କରାଯିବ ନାହିଁ ବୋଲି ରାହୁଲ କହିଛନ୍ତି।