‘ଆରଏସଏସ’ ଛଡ଼ା କାହାକୁ ମାନୁନି ବିଜେପି ! ମୋଦିଙ୍କ ଉପରେ ବର୍ଷିଲେ ରାହୁଲ

39

କନକ ବ୍ୟୁରୋ : କର୍ଣ୍ଣାଟକରେ ବିଜେପିକୁ ଲାଗିଛି ବଡ଼ ଝଟକା । ୟେଦିୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ୫୫ ଘଣ୍ଟିଆ ବିଜେପି ସରକାରର ପତନ ହୋଇଛି । ଆଉ ଏହାପରେ କଂଗ୍ରେସ ଶିବିରରେ ଆରମ୍ଭ ହୋଇଛି ସେଲିବ୍ରେସନ । ଆଉ ଏହି ମଉକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ପ୍ରେସ କନଫରେନ୍ସରେ ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଓ ଦେଶର ଜନତା କିମ୍ବା ସମ୍ବିଧାନର ଉପରେ ନୁହଁନ୍ତି । ପ୍ରଧାନମନ୍ତ୍ରୀ ଲୋକତାନ୍ତ୍ରିକ ଭାବେ ନୁହେଁ ବରଂ ଏକଛତ୍ରବାଦୀ ଭାବେ ଶାସନ କରୁଛନ୍ତି ।

ଏହାଛଡ଼ା ରାହୁଲ କହିଛନ୍ତି, ଭାରତରେ କେହି ଶକ୍ତିଶାଳୀ ନୁହଁନ୍ତି । ଲୋକଙ୍କ ଇଚ୍ଛାଶକ୍ତି ହିଁ ସବୁଠୁ ଅଧିକ ବଳବାନ । ଏପରିକି ପ୍ରଧାନମନ୍ତ୍ରୀ ମଧ୍ୟ ଜନତା, ସୁପ୍ରିମକୋର୍ଟ ,ସଂସଦ କିମ୍ବା ବିଧାନସଭା ଠାରୁ ବଡ଼ ନୁହଁନ୍ତି । ଯଦି ପ୍ରଧାନମନ୍ତ୍ରୀ ଏଭଳି ଭାବୁଥାନ୍ତି ତେବେ ଏଭଳି ଚିନ୍ତା କରିବା ଛାଡ଼ିଦିଅନ୍ତୁ । କାରଣ କର୍ଣ୍ଣାଟକ ବିଧାନସଭାରେ ଜାତୀୟ ସଙ୍ଗୀତ ଗାନ ପୂର୍ବରୁ ବିଜେପି ବିଧାୟକ ଓ ବାଚସ୍ପତି ଯେଉଁଭଳି ଭାବେ ଉଠି ଆସିଲେ ତାହା ଦର୍ଶାଉଥିଲା କି ବିଜେପି ନେତା ସମ୍ବିଧାନକୁ କିଭଳି ସମ୍ମାନ କରୁଛନ୍ତି । ଲୋକତନ୍ତ୍ରକୁ କିଣିବାକୁ ଚେଷ୍ଟା କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କୁ କର୍ଣ୍ଣାଟକବାସୀ ଉଚିତ ଜବାବ ଦେଇଛନ୍ତି ।

ଭାରତରେ ବାହୁବଳ କିମ୍ବା ଅର୍ଥବଳ ସବୁ କିଛି ନୁହେଁ । ଏହି ଶିକ୍ଷା କର୍ଣ୍ଣାଟକବାସୀଙ୍କ ଠାରୁ ବିଜେପି ଓ ଆରଏସଏସ ନେବା ଆବଶ୍ୟକ । କର୍ଣ୍ଣାଟକବାସୀ ବିଜେପିକୁ ସ୍ପଷ୍ଟ ମତ ଦେଇନାହାନ୍ତି । କିନ୍ତୁ ଏଭଳି କ୍ଷେତ୍ରରେ କଂଗ୍ରେସ ଓ ଜେଡ଼ିଏସ ବିଧାୟକଙ୍କୁ ପ୍ରଲୋଭିତ କରି ସରକାର ଗଢ଼ିବାକୁ ଚେଷ୍ଟା କରୁଥିଲା ବିଜେପି । କିନ୍ତୁ ଏଥିରେ ସଫଳ ହୋଇପାରିନଥିଲା । ଏଭଳି କରିବାକୁ ପ୍ରଧାନମନ୍ତ୍ରୀ ବିଜେପି ନେତା ମାନଙ୍କୁ ମଞ୍ଜୁରୀ ଦେଇଥିଲେ ବୋଲି ଅଭିଯୋଗ ଆଣିଛନ୍ତି ରାହୁଲ ।

ପ୍ରଧାନମନ୍ତ୍ରୀ ବାରମ୍ବାର ଭଷ୍ଟ୍ରାଚାର ରୋକିବାକୁ କହୁଛନ୍ତି କିନ୍ତୁ ଅସଲରେ ସେ ନିଜେ ହିଁ ଭଷ୍ଟ୍ରାଚାର କରୁଛନ୍ତି । ବିଜେପି ଦଳ ଦେଶର ସମସ୍ତ ସଂସ୍ଥାନ ଉପରେ ଆଧିପତ୍ୟ ଜାହିର କରିବାକୁ ଚେଷ୍ଟା କରୁଛି । ସେମାନେ ଭାବୁଛନ୍ତି ଦେଶର ସମସ୍ତ ସଂସ୍ଥାକୁ ନିଜ ଅଧିନରେ ରଖିବା ପାଇଁ । ବିଜେପି କେବଳ ଆରଏସଏସକୁ ଛାଡ଼ିଦେଲେ ଅନ୍ୟ କାହା କଥା ମାନୁନି । ଏଭଳି କରି ଦେଶକୁ ବରବାଦ କରିବାକୁ ଚେଷ୍ଟା କରୁଛି ବିଜେପି । ଏପରିକି ବାରମ୍ବାର ଜନାଦେଶର ଅପମାନ କରୁଛି ବିଜେପି । ଯାହା ଦେଶ ପାଇଁ ଏକ ବଡ଼ ବିପଦ ।