ଭାରତୀୟ ବାୟୁସେନାର ନାମ ପରିବର୍ତ୍ତନ କରି ଅମ୍ବାନୀ ବାୟୁସେନା କରିଦେବା ଉଚିତ୍ । ଜାଣନ୍ତୁ କାହିଁକି ଏମିତି କହିଲେ ରାହୁଲ ଗାନ୍ଧୀ

210

ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର ତାତି । ପ୍ରଚାର ସମୟରେ ଉଭୟ କଂଗ୍ରେସ ଓ ବିଜେଡି ପରସ୍ପରକୁ ଟାର୍ଗେଟ କରିବାକୁ ଭୁଲୁନାହାନ୍ତି । ଆଉ ଏଭଳି ସମୟରେ ଜାଲୋରରେ ହେଉଥିବା ଏକ ନିର୍ବାଚନୀ ସଭାରେ ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରବଳ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସିଧାସଳଖ ବିଜେପି ସରକାର ଉପରେ ଟାର୍ଗେଟ କରି ରାହୁଲ କହିଛନ୍ତି, ଦେଶର ମୋଟ ରେଲୱେ ବଜେଟ ୧ ଲକ୍ଷ ୨୦ ହଜାର କୋଟି ଟଙ୍କା ଟପିଲାଣି । କିନ୍ତୁ ଏହାର ଫାଇଦା ସାଧାରଣ ଜନତାଙ୍କୁ ମିଳୁନାହିଁ ବରଂ ଅଦାନୀ ଗ୍ରୁପ ଏହି ବଜେଟର ଫାଇଦା ପାଉଛନ୍ତି । ତେଣୁ ଭାରତୀୟ ରେଳ ବିଭାଗର ନାମ ପରିବର୍ତ୍ତନ କରି ଅଦାନୀ ରେଲୱେ କରିଦେବା ଆବଶ୍ୟକ ବୋଲି ରାହୁଲ କହିଛନ୍ତି । ସେହିଭଳି ଭାରତୀୟ ବାୟୁସେନାର ନାମ ପରିବର୍ତ୍ତନ କରି ଅମ୍ବାନୀ ବାୟୁସେନା କରିଦେବା ଦରକାର ବୋଲି ରାହୁଲ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ବାରମ୍ବାର ଦେଶର ପ୍ରତିରକ୍ଷା ଉପରେ ଜୋର ଦେଇ ଆସୁଛନ୍ତି । କିନ୍ତୁ ବାସ୍ତବ କଥା ହେଲା, ଯୁପିଏ ସରକାର ସମୟରେ ବାୟୁସେନାକୁ ୧୨୬ଟି ବିମାନ କ୍ରୟ କରିବାକୁ ଅନୁମତି ଦିଆଯାଇଥିଲା । ସରକାର ଚାହୁଁଥିଲେ ଏହି ବିମାନ ଗୁଡିକ ଦେଶରେ ନିର୍ମାଣ କରାଯାଉ । ଯାହାଫଳରେ ଦେଶର ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିବ । ଏଥିପାଇଁ ଏହି ବିମାନ ଗୁଡିକୁ (ହାଲ୍) ରେ ନିର୍ମାଣ କରାଯିବାକୁ ଚୁକ୍ତି କରାଯାଇଥିଲା । କିନ୍ତୁ ୨୦୧୪ ପରେ ସରକାର ବଦଳିବା ସହ ସବୁକିଛି ପରିବର୍ତ୍ତନ ହୋଇଥିଲା । ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ଆଉ ଅନୀଲ ଅମ୍ବାନୀଙ୍କ ସହ ଫ୍ରାନ୍ସ ଯାଇ ଭାରତୀୟ ବାୟୁସେନା ପାଇଁ ବିମାନ କିଣିବାକୁ ଡିଲ୍ କରିଥିଲେ । ତେବେ ୧୨୬ ବଦଳରେ କେବଳ ୩୬ ବିମାନ କିଣିବାକୁ ଫ୍ରାନ୍ସ ସହ ଚୁକ୍ତି ହୋଇଥିଲା । ଏପରିକି ଏହି ଚୁକ୍ତିରେ ବିମାନର ନିର୍ମାଣ କରିବ ନାହିଁ ବରଂ ଅନୀଲ ଅମ୍ବାନୀଙ୍କ କମ୍ପାନି ନିର୍ମାଣ କରିବ ବୋଲି କୁହାଯାଇଥିଲା । ଏହାଛଡା ଯୁପିଏ ସରକାର ସମୟରେ ଗୋଟିଏ ବିମାନ ପାଇଁ ୫୨୬ କୋଟି ଟଙ୍କା ଯେଉଁ ଯୁକ୍ତି ହୋଇଥିଲା ସେଥିରେ ପରିବର୍ତ୍ତନ କରି ଗୋଟିଏ ବିମାନର ମୂଲ୍ୟ ୧୬୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା ।

ଏହାଛଡା ରାଫେଲ ଭଳି ଏତେବଡ ଦୁର୍ନୀତିର ଯେତେବେଳେ ଯାଞ୍ଚ କରିବାକୁ ସିବିଆଇ ଅଣ୍ଟା ଭିଡିଲା ସେତେବେଳେ ସିବିଆଇର ନିର୍ଦ୍ଦେଶକଙ୍କୁ ତାଙ୍କ ପଦରୁ ହଟଇ ଦିଆଗଲା । କାରଣ ଏହି ଯାଞ୍ଚ ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି ଓ ଅନୀଲ ଅମ୍ବାନୀଙ୍କ ନାଁ ସାମ୍ନାକୁ ଆସିଥାନ୍ତା ବୋଲି ରାହୁଲ କହିଛନ୍ତି । ଏତିକିରେ ଅଟକିନାହାନ୍ତି ରାହୁଲ । କହିଛନ୍ତି, ପୂର୍ବରୁ ନରେନ୍ଦ୍ର ମୋଦି ଅଚ୍ଚେ ଦିନ କହିବା ବେଳେ ଜନତା କହୁଥିଲେ ଆସିବ । କିନ୍ତୁ ଏହି ଚାରି ବର୍ଷ ମଧ୍ୟରେ ଏହା ବଦଳି ଯାଇଛି । ମୋଦି ଚୌକିଦାର କହିବା ବେଳେ ଲୋକେ କହୁଛନ୍ତି, ଚୋର ହୈ ।

ଏସବୁ ବାଦ୍ ଜିଏସଟି ପ୍ରସଙ୍ଗରେ ରାହୁଲ କହିଛନ୍ତି, କଂଗ୍ରେସ ସରକାର ସମୟରେ ଜିଏସଟି ଆଣିବାକୁ କୁହାଯାଇଥିଲା । କଂଗ୍ରେସର ଜିଏସଟିରେ ଦେଶରେ ଗୋଟିଏ ଟିକସ ବ୍ୟବସ୍ଥା ଓ ସବୁଠୁ କମ ଟିକସ ଅଣାଯିବ ବୋଲି କୁହାଯାଇଥିଲା । ଏପରିକି ଯେଉଁ ସାମଗ୍ରୀ ଗରିବ ଲୋକମାନେ ବ୍ୟବହାର କରୁଛନ୍ତି ତାହା ଉପରେ ଟିକସ ନିଆଯିବ ନାହିଁ ବୋଲି ମଧ୍ୟ ସ୍ଥିର କରାଯାଇଥିଲା । କିନ୍ତୁ ମୋଦି ସରକାରରେ ଆସିଲା ଗବର ସିଂ ଟ୍ୟାକ୍ସ । ଯେଉଁ ଟ୍ୟାକ୍ସ ବ୍ୟବସ୍ଥାରେ ଭିନ୍ନ ଭିନ୍ନ ସାମଗ୍ରୀ ଉପରେ ଭିନ୍ନ ଭିନ୍ନ ଟିକସ ବ୍ୟବସ୍ଥା ଲାଗୁ କରାଗଲା । ତେବେ ଏହାର ଫାଇଦା ସିଧାସଳଖ ୧୦ରୁ ୧୫ ଜଣଙ୍କୁ ମିଳୁଛି ବୋଲି ରାହୁଲ କହିଛନ୍ତି ।