ବିମୁଦ୍ରାକରଣ ପ୍ରସଙ୍ଗରେ ଆରବିଆଇ ଡାଟା ପରେ ତେଜିଲା ରାଜନୀତି : ରାହୁଲ ଗାନ୍ଧି କହିଲେ, କିଛି ଶିଳ୍ପପତିଙ୍କୁ ଫାଇଦା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ନିଆଯାଇଥିଲା ନିଷ୍ପତ୍ତି

38

କନକ ବ୍ୟୁରୋ : ବିମୁଦ୍ରାକରଣ ପ୍ରସଙ୍ଗରେ ଆରବିଆଇ ତଥ୍ୟ ଜାରି କରିବା ପରେ ତେଜିଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତିି ବିରୋଧୀ ଓ ସରକାର । ବିମୁଦ୍ରାକରଣ ମୋଦୀ ସରକାରଙ୍କର ଏକ ଯୋଜନାବଦ୍ଧ ବଡ ଦୁନୀତି ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଟାର୍ଗେଟ କରି କହିଛନ୍ତି ଜାଣିଶୁଣି ଗରିବଙ୍କ ଗୋଡରେ କୁରାଢ଼ି ମାରିଛନ୍ତି ମୋଦି ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୨୦-୨୫ଜଣ ଶିଳ୍ପପତି ବନ୍ଧୁଙ୍କୁ ଫାଇଦା ଦେବା ପାଇଁ ଦେଶର ଯୁବକ, ମହିଳା, କୃଷକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପ୍ରତି ଘୋର ଅନ୍ୟାୟ କରିଛନ୍ତି । ସେହିପରି ରାଫେଲ ଚୁକ୍ତି ପ୍ରସଙ୍ଗରେ ଏନଡିଏ ସରକାର ଉପରେ ବର୍ଷିଛନ୍ତି ରାହୁଲ । ରାଫେଲ ଚୁକ୍ତି ନେଇ ଅର୍ଥମନ୍ତ୍ରୀ ଅରୁଣ ଜେଟଲି କଂଗ୍ରେସକୁ ପ୍ରଶ୍ନ କରୁଥିବାବେଳେ ମିଳିତ ସଂସଦୀୟ କମିଟି ଗଠନ କରି ମାମଲାର ଯାଂଚ କରିବା ଦିଗରେ କାହିଁକି ନିରବ ରହିଛନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତିି ।

modi and rahul

ରାହୁଲଙ୍କ ସମାଲୋଚନା ପରେ କଡା ଜବାବ ରଖିଛି ବିଜେପି । ରାହୁଲ ଗାନ୍ଧୀଙ୍କୁ କଡା ସମାଲୋଚନା କରିବା ସହ କଳାଧନର ସଂଜ୍ଞା ବଖାଣିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ଏମିତିି କଂଗ୍ରେସ ସଂସ୍କାର ବିରୋଧି ବୋଲି ବିଜେପି ପାଲଟା ଅଭିଯୋଗ କରିଛି । ବୁଧବାର ଆରବିଆଇ ପକ୍ଷରୁ କୁହାଯାଇଥିଲା ଯେ ବିମୁଦ୍ରାକରଣ ପରେ ୯୯%ରୁ ଅଧିକ ପୁରୁଣା ନୋଟ୍ ଫେରି ଆସିଛି । ଆଉ ଏହାର ଠିକ ଦିନକ ପରେ କଂଗ୍ରେସ ଅଧ୍ୟକ୍ଷ ବିଜେପିର ଏହି ନିଷ୍ପତିକୁ ପୁଣିଥରେ ସମାଲୋଚନା କରିବା ସହ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଅନ୍ୟପଟେ କେତେ କଳାଟଙ୍କା ବିଦେଶରେ ଅଛି ଓ ବିମୁଦ୍ରାକରଣ ଯୋଗୁଁ କେତେ କଳାଟଙ୍କା ଦେଶକୁ ଫେରିଛି ସେନେଇ କେନ୍ଦ୍ର ସରକାର କୈାଣସି ସ୍ପଷ୍ଟ ସୂଚନା ଦେଇପାରି ନାହାଁନ୍ତି । ବିମୁଦ୍ରାକରଣ ବେଳେ କିଛି ବ୍ୟାଙ୍କର ଟଙ୍କା ଲେଣଦେଣ ବର୍ତ୍ତମାନ ବି ସନ୍ଦେହ ଘେରରେ ରହିଛି ।