ରାହୁଲ ଗାନ୍ଧିଙ୍କ ସୁରକ୍ଷାରେ ପୁଣି ତ୍ରୁଟି । ଏସପିଜି ସୁରକ୍ଷାବଳୟ ଭେଦ କରି ଅଚାନକ ରାହୁଲଙ୍କ ଗାଡ଼ି ନିକଟକୁ ଧାଇଁ ଆସିଲେ ଯୁବକ, ଆଉ ତା ପରେ… । ଦେଖନ୍ତୁ ଭିଡ଼ିଓ

40

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମଙ୍ଗଳବାର ରାଜସ୍ଥାନର ଧୋଲପୁରରେ ରୋଡ ସୋ’ ସମୟରେ ଜଣେ ଯୁବକ ଏସପିଜି ସୁରକ୍ଷାବଳୟକୁ ଭେଦ କରିବା ପରେ ଏଭଳି ପ୍ରଶ୍ନ ସାମ୍ନାକୁ ଆସୁଛି । ତେବେ ଯୁବକ ଜଣକ ରାହୁଲଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ସୁରକ୍ଷାକର୍ମୀ ମାନେ ତାଙ୍କୁ ତୁରନ୍ତ ଧରି ନେଇଥିଲେ । ରାହୁଲ ଏବେ ରାଜସ୍ଥାନ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଧୋଲପୁରରେ ଏକ ଜନସଭା କରିବା ସହ ରୋଡ ସୋ’ କରିଥିଲେ । ଆଉ ଏହି ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା ।


ଗୋଟିଏ ସପ୍ତାହ ମଧ୍ୟରେ ରାହୁଲ ଗାନ୍ଧିଙ୍କ ସୁରକ୍ଷାରେ ଦୁଇ ଦୁଇଥର ତ୍ରୁଟି ଦେଖାଦେଲାଣି । ଏହା ପୂର୍ବରୁ ଶନିବାର ମଧ୍ୟପ୍ରଦେଶର ଜବଲପୁରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରୋଡ ସୋ’ କରୁଥିବା ବେଳେ ଅଚାନକ ଏକ ବିସ୍ଫୋରଣ ହୋଇଥିଲା । ଆଉ ଏଭଳି ବିସ୍ଫୋରଣ ଦେଖି ଲୋକମାନେ ମଧ୍ୟ ଚକିତ ହୋଇଯାଇଥିଲେ । ପରେ ଜଣା ପଡିଥିଲା ଯେ, ରାହୁଲ ଗାନ୍ଧିଙ୍କ ଆଳତି କରିବାକୁ ଦୀପ ଆଣୁଥିବା ବେଳେ ଏହାର ନିଆଁ ବେଲୁନରେ ଲାଗିଯିବାରୁ ଏଭଳି ବିସ୍ଫୋରଣ ହୋଇଥିଲା ।

ରାହୁଲଙ୍କ ସୋ’ରେ ଏଭଳି ଘଟଣା ବାରମ୍ବାର ହେଉଥିବାରୁ ସୁରକ୍ଷାକର୍ମୀଙ୍କ ଚିନ୍ତା ମଧ୍ୟ ବଢି ଯାଇଛି । ତେଣୁ ଏସପିଜି ପକ୍ଷରୁ ରାହୁଲଙ୍କ ସୁରକ୍ଷାକୁ ଆହୁରି ବଢାଇବାକୁ ନିଷ୍ପତି ନିଆଯାଇଛି । ଏପରିକି ମଧ୍ୟପ୍ରଦେଶ ଘଟଣାରେ ସରକାର ଯାଞ୍ଚ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।