ପୁଣି ରାହୁଲ ଗାନ୍ଧୀ ହେଲେ ସମାଲୋଚନାର ଶିକାର! କହିପାରିଲେନି ଲୋକସଭାର ସଦସ୍ୟ ସଂଖ୍ୟା କେତେ ! ଜାଣନ୍ତୁ କଣ କହିଥିଲେ ରାହୁଲ

50

କନକ ବ୍ୟୁରୋ : ପଢ଼ାବହିରୁ ନେଇ ପାର୍ଲାମେଣ୍ଟ ଯାଏଁ ସବୁଠି ଲେଖାହୋଇଛି ଲୋକସଭାର ସଭ୍ୟ ସଂଖ୍ୟା ୫୪୫ । ହେଲେ ଜଣେ ସାଂସଦ କହୁଛନ୍ତି, ଲୋକସଭାରେ ସଭ୍ୟ ସଂଖ୍ୟା ୫୪୫ ନୁହେଁ ୫୪୬ । ମାନେ ଗୋଟିଏ ଆସନ ବଢ଼ାଇ ଦେଇଛନ୍ତି । କହିବା ବାଲା ଜଣକ ଏମିତି ସେମିତି ସାଂସଦ ନୁହଁନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ । ଯିଏ ଶାସକ ଦଳ ଓ ଶାସନ କଳକୁ ହଲେଇ ଦିଅନ୍ତି, ଏମିତି ଏକ ମନ୍ତବ୍ୟ ଦେଇ ସମାଲୋଚନାର ଶୀକାର ହୋଇଛନ୍ତି । ରାହୁଲ ଏଥିପାଇଁ ସୋସିଆଲ ମିଡିଆରେ ବି ଅପଦସ୍ତ ହୋଇଛନ୍ତି ।

୫୪୫ ନା ୫୪୬ :
ଏବେ ଆମେରିକା ଗସ୍ତରେ ଅଛନ୍ତି ରାହୁଲ ଗାନ୍ଧୀ । ସେଠାରେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଇଣ୍ଡିଆ ଆଟ ୭୦ ଶୀର୍ଷକ ଆଲୋଚନାରେ ଅଂଶ ଗ୍ରହଣ କରିଛନ୍ତି । ତେବେ ଛାତ୍ରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ବେଳେ ରାହୁଲ ଲୋକସଭାର ସଦସ୍ୟ ସଂଖ୍ୟା କହିଥିଲେ । ଟିକିଏ ଅଟଳି ଯାଇ ରାହୁଲ ଲୋକସଭାର ସଭ୍ୟସଂଖ୍ୟା ୫୪୬ ବୋଲି କହିଥିଲେ ।

ରାହୁଲଙ୍କ ପାଟିରୁ ଏହି ମନ୍ତବ୍ୟ ବାହାରି ଯିବା ପରେ ସେଠାରେ ବେଶ ଅପଦସ୍ତ ହୋଇଥିଲେ । ଯଦିଓ ଜାଣିଜାଣି ସେ ଏଭଳି କହିନଥିଲେ କିନ୍ତୁ ଏହା ତାଙ୍କର ଆଇକ୍ୟୁ ଟେଷ୍ଟକୁ ଜିରୋ ନମ୍ବର ଦେଇଛି । ଦେଶ ସାରା ସମାଲୋଚନା ଶୁଣିବାକୁ ପଡୁଛି ରାହୁଲଙ୍କୁ । ସୋସିଆଲ ମିଡିଆ ଫେସବୁକ, ଟ୍ୟୁଟରରେ ଅନେକ ସମାଲୋଚନା ପୂର୍ଣ୍ଣ କମେଣ୍ଟ ଆସୁଛି ।

ପ୍ରକୃତରେ ଲୋକସଭାର ସଦସ୍ୟ ସଂଖ୍ୟା ୫୪୫ । ଯେଉଁଥିରୁ ୨ଟି ସିଟ ଆଙ୍ଗଲୋ ଇଣ୍ଡିଆନଙ୍କ ପାଇଁ ସଂରକ୍ଷିତ । ଲୋକସଭାର ସଦସ୍ୟମାନେ ସିଧାସଳଖ ଭୋଟରଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି । ହେଲେ ରାହୁଲଙ୍କ ମନ୍ତବ୍ୟ ଥିଲା ପୁରା ଭିନ୍ନ । ସଦସ୍ୟ ସଂଖ୍ୟାରେ ୧ ଯୋଗ କରି ଗୋଟିଏ ଆସନ ବଢ଼ାଇ ଦେଇଛନ୍ତି ରାହୁଲ ।

ମୋଦିଙ୍କୁ ପ୍ରଶଂସା :
ତେବେ ଏହି ଅବରସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି କଂଗ୍ରେସ ଯୁବରାଜ । କହିଛନ୍ତି, ମୋଦି ମୋ ଠାରୁ ବି ଭଲ ବକ୍ତା । ଯଦିଓ ମୁଁ ବିରୋଧୀ ଦଳର ନେତା ତଥାପି ମୋଦି ମୋ ପାଇଁ ବି ପ୍ରଧାନମନ୍ତ୍ରୀ । ଲୋକଙ୍କ ପାଖରେ ସନ୍ଦେଶ ପହଂଚାଇବାର କଳା ରହିଛି ମୋଦିଙ୍କ ପାଖରେ । କେବଳ ଏତିକି ନୁହେଁ, ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଆଇଡିଆ ରାହୁଲଙ୍କୁ ବେଶ ପସନ୍ଦ ଆସିଥିବା ସେ କହିଛନ୍ତି । ତେବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ନୋଟବନ୍ଦୀ ଦ୍ୱାରା ଦେଶର କ୍ଷତି ହୋଇଛି ଓ ଏହି ସମୟରେ ମୋଦି ସଂସଦକୁ ଅନ୍ଧାରରେ ରଖିଥିଲେ ।

ଦୁଃଖ ଦିଏ ହିଂସା :
ହିଂସା କୌଣସି ସମସ୍ୟାର ସମାଧାନ ନୁହେଁ । ହିଂସା ସବୁକିଛି ଛଡାଇ ନେଇପାରେ । ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ବେଳର ଚିତ୍ର ବଖାଣି ଭାବ ବିହ୍ୱଳ ହୋଇ ପଡିଥିଲେ ରାହୁଲ । କହିଥିଲେ ହିଂସା ମୋ ଠାରୁ ଏମାନଙ୍କୁ ଛଡାଇ ନେଇଛି । ତେଣୁ ହିଂସାକୁ ଅଧିକ ପାଖରୁ ମୁଁ ଦେଖିଛି । ଏହାସହ ହିଂସାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଥିଲେ ।

ତେବେ ଦୁଇ ସପ୍ତାହ ପାଇଁ ବିଦେଶ ଗସ୍ତରେ ଥିବା ରାହୁଲ ଗାନ୍ଧୀ ବିଶ୍ୱସ୍ତରୀୟ ନେତା, ଛାତ୍ରଛାତ୍ରୀ ଓ ଏନଆରଆଇଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।