ରାହୁଲ ଆସିବେ କଣ କହିବେ? ଚୁପ ରହିବେ ନା ନବୀନଙ୍କ ଉପରେ ବର୍ଷିବେ ।

75

କନକ ବ୍ୟୁରୋ : ଆସନ୍ତାକାଲି ପୁରୀରେ ରାଜ୍ୟ ସରକାରଙ୍କ ପକ୍ଷରୁ କାଳିଆ ଯୋଜନାରେ ଆର୍ଥିକ ପ୍ରୋତ୍ସାହନ ରାଶି ବଣ୍ଟନ ହେଉଥିବା ବେଳେ ଭୁବନେଶ୍ୱରରେ ସମାବେଶ କରୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀ କାଲି ଦଳୀୟ ସମାବେଶରେ କର୍ମୀ ଓ ନେତାଙ୍କୁ ସମ୍ବୋଧନ କରିବା ସହ ବିଭିନ୍ନ ବର୍ଗର ଲୋକଙ୍କୁ ସାକ୍ଷତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଗୋଟିଏ ଦିନରେ ରାହୁଲଙ୍କ ସମାବେଶ ଏବଂ ନବୀନଙ୍କ କାର୍ଯ୍ୟକ୍ରମ, ଓଡ଼ିଶାର ରାଜନୈତିକ ମାହୋଲକୁ ସରଗରମ କରି ଦେଇଛି ।

ଗୋଟିଏ ଦିନରେ ଦୁଇ ଦୁଇଟି ବଡ କାର୍ଯ୍ୟକ୍ରମ । ନିର୍ବାଚନ ପୂର୍ବରୁ ଭୁବନେଶ୍ୱରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବଡଧରଣର ସମାବେଶ କରୁଥିବା ବେଳେ ପୁରୀରେ କାଳିଆ ଟଙ୍କା ବଂଟନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଦିଙ୍କ ଘନଘନ ଓଡ଼ିଶା ଗସ୍ତ ଏବଂ ନବୀନଙ୍କ ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ ନିର୍ବାଚନ ବର୍ଷରେ ଓଡ଼ିଶାର ରାଜନୈତିକ ମାହୋଲକୁ ସରଗରମ କରି ରଖିଥିବା ବେଳେ ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ଓଡ଼ିଶାରେ ଜଣେ ପରେ ଜଣେ କଂଗ୍ରେସ ନେତା ଦଳ ଛାଡୁଥିବା ବେଳେ ଦଳର ନେତା ଓ କର୍ମୀଙ୍କୁ କେଉଁ ବାର୍ତା ଦେବେ ରାହୁଲ ଗାନ୍ଧୀ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ମୋଦି, ବିଜେଡି ପ୍ରତି ନରମ ଆଭିମୁଖ୍ୟ ଗ୍ରହଣ କରିଥିବାବେଳେ କଂଗ୍ରେସ ଅଧ୍ୟକ୍ଷ, ନବୀନ ସରକାରଙ୍କ ପ୍ରତି କେଉଁ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତା ଉପରେ ରହିଛି ସମସ୍ତଙ୍କ ନଜର ।

ଏପଟେ ଚାଷୀଙ୍କୁ କାଳିଆ ଟଙ୍କା ଯୋଗାଇ ଦେବା ପାଇଁ ପୁରୀରେ ବଡଧରଣର କାର୍ଯ୍ୟକ୍ରମ କରୁଛନ୍ତି ରାଜ୍ୟ ସରକାର । ବଡ କଥା ହେଉଛି-କଂଗ୍ରେସ ବାରମ୍ବାର ଅଭିଯୋଗ କରି ଆସୁଥିଲା, ରାହୁଲଙ୍କ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ କରୁଛି ବିଜେଡି । ଆଉ ଏଭଳି ସ୍ଥିତିରେ ଗୋଟିଏ ଦିନରେ ଦୁଇଟି କାର୍ଯ୍ୟକ୍ରମ ଓଡ଼ିଶା ରାଜନୀତିକୁ ସରଗରମ କରିଛି । ରାଜନୀତିର ଏହି ପ୍ରତିଦ୍ୱନ୍ଦିତା ଆଗକୁ ହୁଏତ ଆହୁରି ତୀବ୍ରତର ହେବ, କାରଣ ଆଗକୁ ଆସୁଛି ୨୦୧୯ ସାଧାରଣ ନିର୍ବାଚନ ।

Comments are closed.