ବିଶ୍ୱ ମହିଳା ଦିବସରେ ରାହୁଲଙ୍କ ମାଷ୍ଟର ଷ୍ଟ୍ରୋକ୍: ଜୟପୁରରେ ଛିଡା କଲେ ପ୍ରତିଶ୍ରୁତିର ପାହାଡ, କଂଗ୍ରେସ କ୍ଷମତାକୁ ଆସିଲେ ଗରିବ ଝିଅଙ୍କୁ ବିବାହ ପାଇଁ ଦେବେ ସହାୟତା, ବିଧବା ଭତା ହେବ ୨ ହଜାର ଟଙ୍କା

କହିଲେ ରାଜ୍ୟରେ ସରକାର ଚଳାଉଛନ୍ତି ଚାରି ପାଂଚ ଜଣ ଅଫିସର

176

କନକ ବ୍ୟୁରୋ: ୨୦୧୯ରେ ଜୋରଦାର ପ୍ରତିଦ୍ୱନ୍ଦିତା ପାଇଁ ପ୍ରସ୍ତୁତି କରୁଛି କଂଗ୍ରେସ । ଆଉ ରାଜ୍ୟ ନେତୃତ୍ୱର ମାର୍ଗଦର୍ଶନ କରିବାକୁ ବାରମ୍ବାର ଓଡିଶା ଆସୁଛନ୍ତି ଦଳର ମୁଖିଆ ରାହୁଲ ଗାନ୍ଧି । ଓଡିଶାବାସୀଙ୍କୁ ଅଜାଡି ଦେଇଛନ୍ତି ଗଦା ଗଦା ପ୍ରତିଶ୍ରୁତି । ବିଶ୍ୱ ମହିଳା ଦିବସରେ କୋରାପୁଟ ଆସି ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଅନେକ ଲୋଭନୀୟ ଘୋଷଣା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଜୟପୁର ମାଟିରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ କ୍ଷମତାକୁ ଆସିଲେ କଣ କରିବ କଂଗ୍ରେସ, ତାର ତାଲିକା ରଖିଛନ୍ତି ।

୨୦୧୯ ସାଧାରଣ ନିର୍ବାଚନ ତାରିଖ ଘୋଷଣାକୁ ଆଉ ଅଳ୍ପଦିନ ବାକି । କେଉଁ ରଣନୀତି ଆଧାରରେ ଭୋଟଙ୍କୁ ଆକୃଷ୍ଟ କରିବେ କଂଗ୍ରେସ ନେତା ଓ କର୍ମୀ, ତାର ମାର୍ଗଦର୍ଶନ କରିଛନ୍ତି ଦଳର ସର୍ବୋଚ୍ଚ ନେତା । କାରଣ ପ୍ରାର୍ଥୀ ତାଲିକା ଚୂଡାନ୍ତ କରି ଦିଲ୍ଲୀ ପଠାଇ ସାରିଛି ଓଡିଶା ୟୁନିଟ୍ । କୋରାପୁଟ ଜୟପୁରରେ ମହିଳା ସମାବେଶକୁ ସମ୍ବୋଧିତ କରିଛନ୍ତି ରାହୁଲ ଗାନ୍ଧି । ଏହାପରେ ଦଳର ପରିବର୍ତନ ସଂକଳ୍ପ ସମାବେଶରେ ମୋଦି ଓ ନବୀନ ସରକାରଙ୍କ ଉପରେ ବର୍ଷିବା ସହ ଏକାଧିକ ମହିଳା କୈନ୍ଦ୍ରୀକ ଘୋଷଣା କରିଛନ୍ତି । ଓଡିଶାରେ କଂଗ୍ରେସ କ୍ଷମତାକୁ ଆସିଲେ ଗରିବ ପରିବାରର ଝିଅଙ୍କ ବିବାହ ପାଇଁ ଦେବ ଆର୍ଥିକ ସହାୟତା ।

ପ୍ରଥମଥର ଲାଗି ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ପ୍ରତି ପଂଚାୟତରେ ନିଯୁକ୍ତ କରାଯିବ ସ୍ପେଶାଲ ଅଫିସର । ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଶୁଣିବା ପରେ ଏମାନେ ନ୍ୟାୟ ପ୍ରଦାନ ପାଇଁ ସହାୟତା କରିବେ । ମହିଳା ଉଦ୍ୟୋଗୀଙ୍କ ପାଇଁ ଫାଇନାନସିଆଲ କର୍ପୋରେସନ୍ ହେବ । ଏହାବାଦ ଆଉଏକ ବଡ ଘୋଷଣା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ରାହୁଲ ଗାନ୍ଧି କହିଛନ୍ତି ଓଡିଶାବାସୀ କଂଗ୍ରେସକୁ ଆଶୀର୍ବାଦ କଲେ ବିଧବା ଭତାକୁ ୨ ହଜାର ଟଙ୍କା କରାଯିବ ।

ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସର ବିଜୟ ପଛରେ ଥିଲା କୃଷିଋଣ ଛାଡ ପ୍ରତିଶ୍ରୁତି । ସମାନ ଢଙ୍ଗରେ ଓଡିଶାରେ ପରିବର୍ତନର ଆହ୍ୱାନ ଦେଇ ଚାଷୀଙ୍କଲ ପାଇଁ ଋଣଛାଡ ପ୍ରତିଶ୍ରୁତି ଦୋହରାଇଛନ୍ତି ରାହୁଲ ଗାନ୍ଧି । ଧାନର ଏମଏସପି ୨୫ଶହ ଟଙ୍କା କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହାବାଦ ସମସ୍ତଙ୍କ ପାଇଁ ମିନିମମ ଇନକମ୍ ଗ୍ୟାରେଂଟି କଥା ବି କହିଛନ୍ତି । ଓଡିଶାରେ ଗରିବୀ ନହଟିବା ଯାଏଁ କଂଗ୍ରେସ ସରକାରକୁ ଆସିଲେ ପ୍ରତିମାସରେ ଟଙ୍କା ଦିଆଯିବ ।

ଓଡିଶା ମାଟିରୁ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି । ରାଫେଲ ପ୍ରସଙ୍ଗରେ ମୋଦି ସରକାରଙ୍କ ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରିବା ସହ ରାଜ୍ୟରେ ବିଜେଡି ସରକାରଙ୍କୁ ଘେରିଛନ୍ତି । ପୂର୍ବରୁ ରିମୋର୍ଟ ସରକାର ବୋଲି ଅଭିଯୋଗ ବାଢିଥିବାବେଳେ ଏବେ ଅଫିସର ରାଜ ଚାଲିଥିବା କହିଛନ୍ତି । ୪-୫ଜଣ ଅଫିସର ଓଡିଶାକୁ ଚଲାଉଥିବା କହିଛନ୍ତି ରାହୁଲ ଗାନ୍ଧି । କିନ୍ତୁ କ୍ଷମତାକୁ ଆସିଲେ ଜନତାଙ୍କ ସରକାର ବନାଇବ କଂଗ୍ରେସ । ବିଶ୍ୱ ମହିଳା ଦିବସରେ ଦିନିକିଆ ଓଡିଶା ଗସ୍ତରେ ଆସି ମହିଳା କାର୍ଡ ଖେଳିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଚଳିତଥର ୧ କୋଟି ୫୪ ଲକ୍ଷ ୬୦ ହଜାର ୫୪୫ ମହିଳା ଭୋଟର ଅଛନ୍ତି । ମୋଟ୍ ଭୋଟର ସଂଖ୍ୟାର ଏହା ୪୮.୬୨ ପ୍ରତିଶତ । ତେଣୁ ଅନୁମାନ କରାଯାଉଛି ଏହି ଭୋଟରଙ୍କୁ ଆକୃଷ୍ଟ କରିବାକୁ ରଣନୀତି ବନାଇଛନ୍ତି ରାହୁଲ ଗାନ୍ଧି ।

ସେପଟେ, ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରୟାସକୁ ସମାଲୋଚନା କରିଛି ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ମହିଳା ସଶକ୍ତିକରଣ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ଉଲ୍ଲେଖ କରିଛନ୍ତି ବିଜେଡି ମୁଖପାତ୍ର ।