ମିଶନ୍ ଗୁଜରାଟର ତୃତୀୟ ଦିନରେ ରାହୁଲ ଗାନ୍ଧୀ ! କଂଗ୍ରେସକୁ କହିଲେ ପାଣ୍ଡବ ଓ ବିଜେପିକୁ କୌରବଙ୍କ ସହ କଲେ ତୁଳନା

43

କନକ ବ୍ୟୁରୋ : ଗୁଜରାଟ ନିର୍ବାଚନ ନେଇ ଏବେ ପାଣିପାଗ ପୁରା ଗରମ ଅଛି । ଗୁଜରାଟ ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଲଢ଼େଇ ଜୋରଦାର ହେବାରେ ଲାଗିଛି । ଉଭୟ ଦଳ ନିଜକୁ ଆଗରେ ରଖିବା ପାଇଁ ନୂଆ ନୂଆ ରଣନୀତି ପ୍ରୟୋଗ କରୁଛନ୍ତି । ବିଜେପି ଯେଉଁଠି ନିଜ ଗଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେହେରା ଏବଂ ବିକାଶର ଦାବିକୁ ଅସ୍ତ୍ର କରି ଆଗକୁ ବଢ଼ିବାକୁ ଚାହୁଥିବା ବେଳେ କଂଗ୍ରେସ ଜାତିଗତ ସମୀକରଣ ଆଧାରରେ ବିଜେପିର ଦୁର୍ଗ ପତନ ଘଟାଇବାକୁ ଚାହୁଛି । କଂଗ୍ରେସ ଜାତିଗତ ସମୀକରଣ ଆଧାରରେ ବିଜେପିର ଖେଳ ବିଗାଡ଼ିବା ପାଇଁ ଯୋଜନାକୁ ଏବେ ଚୂଡ଼ାନ୍ତ ରୂପ ଦେଉଛି ।

ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଅଛନ୍ତି ମିଶନ ଗୁଜରାଟରେ । ଏନେଇ ସେ ସେଠାରେ ନବସର୍ଜନ ଯାତ୍ରା କରୁଛନ୍ତି । ଆଜି ଏହି ଯାତ୍ରାର ତୃତୀୟ ଦିନ ଥିଲା । ରାୟବରେଲି ଏଣ୍ଟିପିସ ପ୍ଲାଂଟରେ ହୋଇଥିବା ଦୁର୍ଘଟଣାରେ ପୀଡ଼ିତ ପରିବାରଙ୍କ ପରିବାରକୁ ଭେଟିବା ପରେ ଗୁଜରାଟ ଫେରିଥିଲେ । ରାହୁଲ ଗୁଜରାଟର ବଲସାଡ଼ ଜିଲ୍ଲାରେ କରିଥିବା ଏକ ନିର୍ବାଚନୀ ରାଲିରେ ବିଜେପିକୁ କୌରବ ଓ କଂଗ୍ରେସକୁ ପାଣ୍ଡବ ସହ ତୁଳନା କରିଛନ୍ତି । ସେ ଏଠାରେ କହିଛନ୍ତି ଗୁରାଟରେ ସତ ଓ ମିଥ୍ୟା ମଧ୍ୟରେ ଲଢ଼େଇ ହେବ । ଏବଂ କଂଗ୍ରେସ ପାଖରେ ସତ ବ୍ୟତୀତ ଆଉ କିଛି ନାହିଁ । ଏହାସହ ରାହୁଲ ଗାନ୍ଧୀ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପାଖରେ ସରକାର, ପୋଲିସ, ସେନା , ଗୁଜରାଟ, ଉତ୍ତରପ୍ରଦେଶ , ମଧ୍ୟପ୍ରଦେଶ ଓ ଛତିଶଗଡ଼ର ସରକାର ଅଛନ୍ତି । କିନ୍ତୁ ଆମ ପାଖରେ କେବଳ ସତ୍ୟ ଅଛି । ଆଉ ଅନ୍ୟ କିଛି ଚିଜ ମଧ୍ୟ ଆମକୁ ଦରକାର ନାହିଁ ।

ଆଉ ଗୁଜରାଟ ଜନତା ସତ୍ୟକୁ ନିଶ୍ଚୟ ସମର୍ଥନ କରିବେ ବୋଲି ଆଶା କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଗତକାଲି ମଧ୍ୟ ଗୁଜରାଟର ଭରୁଚରେ ରାହୁଲ ଗାନ୍ଧୀ ଏକ ନିର୍ବାଚନୀ ରାଲିରେ ଉଦବୋଧନ ଦେଇ ମୋଦି ସରକାର ଉପରେ କଡ଼ା ପ୍ରହାର କରିଥିଲେ । ଦେଶରେ ଭୟଙ୍କର ବେକାରୀ ସମସ୍ୟା ଯୋଗୁଁ ସବୁଠି ହତାଶା ସୃଷ୍ଟି ହୋଇଛି ଏବଂ ନିର୍ବାଚନ ଦିନ ବିଜେପିକୁ କରେଣ୍ଟ ଲାଗିବ ବୋଲି ରାହୁଲ କହିତିଲେ । ଗୁଜରାଟର କୃଷକଙ୍କ ପାଇଁ ସରକାରଙ୍କ ତିଳେ ହେଲେ ଦରଦ ନଥିବାରୁ ସେମାନେ ଅତ୍ୟନ୍ତ ଦୟନୀୟ ସ୍ଥିତି ଦେଇ ଗତି କରୁଛନ୍ତି ବୋଲି ମଧ୍ୟ ସେ କହିଥିଲେ । ତେବେ ନିର୍ବାଚନ ପରେ ହିଁ ଜଣାପଡ଼ିବ ରାହୁଲଙ୍କ ଏହି ରଣନୀତି କାମ ଦେଲା ନା ନାହିଁ ।