ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷଙ୍କ ପୂଜାର୍ଚ୍ଚନା । ପୁଲୱାମା ହମଲାରେ ସହିଦ ଯବାନଙ୍କ ଆତ୍ମାର ଶାନ୍ତି ପାଇଁ ପୂଜା କଲେ ରାହୁଲ ଗାନ୍ଧି ।

81

କନକ ବ୍ୟୁରୋ : କେରଳ ୱାୟନାଡ ଆସନରୁ ଲଢୁଥିବା ରାହୁଲ ଗାନ୍ଧୀ ଆଜି ଥେରୁନେଲି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ପ୍ରାୟ ଅଧଘଂଟା ପୂଜାର୍ଚ୍ଚନା କରି ଠାକୁରଙ୍କ ଆଶିର୍ବାଦ ନେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ । ପାରମ୍ପରିକ ପୋଷାକ ପିନ୍ଧି ରାହୁଲଙ୍କ ପୂଜାର୍ଚ୍ଚନାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

କେରଳର ବ୍ରହ୍ମଗିରି ପାହାଡରେ ଥିବା ଥେରୁନେଲି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ରାହୁଲ ଗାନ୍ଧୀ । ପାରମ୍ପରିକ ପୋଷାକ ପିନ୍ଧି ଖାଲି ପାଦରେ ପାହାଡ ଚଢି ମନ୍ଦିରରେ ପହଂଚିଥିଲେ ରାହୁଲ । ମନ୍ଦିରର ପୂଜକଙ୍କ ନିର୍ଦ୍ଦେଶ ଅନୁସାରେ ନିଜ ପିତା, ଜେଜେ ମା ସହ ପୂର୍ବ ପୁରୁଷ ଓ ପୁଲୱାମା ହମଲାରେ ସହିଦଙ୍କ ଆତ୍ମାର ଶାନ୍ତି ପାଇଁ ପୂଜାର୍ଚ୍ଚନା କରିଥିଲେ । ପୂର୍ବରୁ ବି ଥେରୁନେଲି ମନ୍ଦିରକୁ ଆସିବାକୁ ରାହୁଲ ଚାହୁଁଥିଲେ, ହେଲେ ସୁରକ୍ଷା ଦୃଷ୍ଟିରୁ ତାହା ସମ୍ଭବ ହୋଇପାରିନଥିଲା ବୋଲି କହିଛନ୍ତି କଂଗ୍ରେସ ନେତା କେସି ବେଣୁଗୋପାଳ ।

ମନ୍ଦିରରେ ପ୍ରାୟ ଅଧ ଘଂଟା ଧରି ପୂଜାର୍ଚ୍ଚନା କରିଥିଲେ ରାହୁଲ ଗାନ୍ଧୀ । ଏହାପରେ ମନ୍ଦିରରୁ ପାହାଡ ତଳକୁ ଆସି ପାପନାଶିନୀ ନଦୀରେ, ନିଜ ପରିବାରର ପୂର୍ବ ପୁରୁଷ ଓ ଦେଶ ପାଇଁ ବଳିଦାନ ଦେଇଥିବା ସହିଦଙ୍କ ଆତ୍ମାର ଶାନ୍ତି ପାଇଁ ସ୍ୱତନ୍ତ୍ର ପୂଜା କରିଥିଲେ । ପୂଜକଙ୍କ ନିର୍ଦ୍ଦେଶ ଅନୁସାରେ ସଂପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁସାରେ ପୂଜା କାମ ଶେଷ କରିଛନ୍ତି ରାହୁଲ । ମନ୍ଦିରର ପୂଜା ପରେ ଦଳୀୟ କର୍ମୀଙ୍କୁ ଭେଟିଥିଲେ କଂଗ୍ରେସ ଅଧ୍ୟକ୍ଷ । ଏହାପରେ କନ୍ନୁରରେ ରାଲି କରି ପ୍ରଚାର ସଭାକୁ ସମ୍ବୋଧିତ କରିଥିଲେ ରାହୁଲ ଗାନ୍ଧୀ ।