ଆସନ୍ତା ୨୫ରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ! ରାହୁଲ ଗାନ୍ଧୀଙ୍କ ଗସ୍ତ ନେଇ କଂଗ୍ରେସ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ

114

କନକ ବ୍ୟୁରୋ : ଆସନ୍ତା ୨୫ ତାରିଖରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏନେଇ ଭୁବନେଶ୍ବର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ରାହୁଲଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏଆଇସିସି ସଂପାଦକ ତୁଦ୍ର ରାଜୁ, ଅନିଲ ଚୌଧୁରୀ, ଯୁଗ୍ମ ସଂପାଦକ ଆଦିତ୍ୟ ଶର୍ମା, ପିସିସି ଉପସଭାପତି ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ମୁଖପାତ୍ର ବିଭୁପ୍ରସାଦ ତରାଇ, କିଶୋର ଜେନା, ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରଶ୍ମୀ ମହାପାତ୍ର ପ୍ରମୁଖ ସାଂଗଠନିକ ଆଲୋଚନା କରିଥିଲେ ।

image Courtesy – www.thenational.ae

ତେବେ ଏଆଇସିସିର ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ଏହା ରାହୁଲଙ୍କ ପ୍ରଥମ ଓଡ଼ିଶା ଗସ୍ତ । ଏବଂ ନିରଞ୍ଜନ ପଟ୍ଟନାୟକ ମଧ୍ୟ ସଭାପତି ସମ୍ଭାଳିବା ପରେ ରାହୁଲ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି । ରାହୁଲଙ୍କ ଓଡ଼ିଶା ଗସ୍ତ ରାଜ୍ୟର କର୍ମକର୍ତ୍ତାକୁ ନୂଆ ଉତ୍ସାହ ଯୋଗାଇବ ବୋଲି କୁହାଯାଉଛି ।  କାରଣ ନିକଟରେ ତିନି ବିଜେପି ସତ୍ତାରୂଢ଼ ରାଜ୍ୟକୁ ଅକ୍ତିଆର କରିଛି କଂଗ୍ରେସ । ଆଉ କଂଗ୍ରେସର ଏହି ସଫଳତାର ସମସ୍ତ ଶ୍ରେୟ ଯାଇଛି କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀଙ୍କୁ । ଆଉ ମାତ୍ର କିଛି ମାସ ପରେ ୨୦୧୯ ଲୋକସଭା ନିର୍ବାଚନ । ଏଥିପାଇଁ ସମସ୍ତ ରାଜନୈତିକ ଦଳ ଗୁଡ଼ିକ ନିର୍ବାଚନୀ ପ୍ରଚାର ଆରମ୍ଭ କରିଦେଲେଣି । ରାହୁଲଙ୍କ ଏହି ଓଡ଼ିଶା ଗସ୍ତ ନିର୍ବାଚନୀ ପ୍ରଚାରର ଅଂଶବିଶେଷ ହୋଇପାରେ । ଚଳିତ ଓଡ଼ିଶା ଗସ୍ତରେ ରାହୁଲ ଗାନ୍ଧୀ ନିର୍ବାଚନୀ ବିଗୁଲ ବଜାଇ ପାରିନ୍ତି ।